ଗଞ୍ଜାମ: ଗଞ୍ଜାମ ଜିଲ୍ଲା କେ ନୂଆଗାଁ ଥାନା ଅନ୍ତର୍ଗତ ନୂଆପଡା ଫାଣ୍ଡି ଇଲାକାରେ ଗତ କିଛି ଦିନ ହେଲା ଚୋରଙ୍କ ପାଦୁର୍ଭାବ ବଢ଼ିବାରେ ଲାଗିଛି। ମଙ୍ଗଳବାର ମଧ୍ୟରାତ୍ରିରେ ୨ଟି ଗ୍ରାମର ୨ଟି ଘରୁ କିଛି ଦୁର୍ବୁତ୍ତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଚିକିଟି ବ୍ଲକ ଅନ୍ତର୍ଗତ ଚାନ୍ଦପୁର ମୁଖ୍ୟ ବଜାରରେ ରହୁଥିବା ଫୁଲବାଣୀ କୃଷି ଅଧୀଦର୍ଶନରେ କାର୍ଯ୍ୟରତ ମିଥୁନ ବେହେରାଙ୍କ ଘରେ କିଛି ଦୁର୍ବୁତ୍ତ ବାଡ଼ି ପଟୁ କବାଟ ଭାଙ୍ଗି ଘରେ ପଶି ପ୍ରାୟ ୪ ଭରି ସୁନାର ଅଳଙ୍କାର ଲୁଟି ନେଇ ଫେରାର ହୋଇଥିଲେ। ସେହିପରି ଡଭାର ଗ୍ରାମର ସନାତନ ସାହୁଙ୍କ ଘରେ ପଶି ୫ ଭରି ସୁନା ଏବଂ ୧୫ ଭରି ରୁପାର ଅଳଙ୍କାର ସହିତ ୧୫ ହଜାର ଟଙ୍କା ଚୋରି କରି ଫେରାର ହୋଇଯାଇଥିଲେ । ପରେ ଉଭୟଙ୍କ ପକ୍ଷରୁ ପୃଥକ ପୃଥକ ଭାବେ କେ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ ଦେବା ପରେ କେ ନୂଆଗାଁ ଥାନା ଅଧିକାରୀ କିଶୋର କୁମାର ସାମଲ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଅନୁଯାୟୀ, ମିଥୁନ ବେହେରା ଫୁଲବାଣୀରେ ରହୁଥିବା ବେଳେ ତାଙ୍କ ବାପା ଓ ମାଆ ଚାନ୍ଦପୁର ମୁଖ୍ୟ ବଜାରରେ ଥିବା ନିଜ ଘରେ ରହି ଆସୁଥିଲେ l ଗତକାଲି ଉଭୟେ ଖାଇସାରି ଶୋଇଥିବା ବେଳେ ବାଡ଼ି ପଟୁ କବାଟ ଭାଙ୍ଗି ଆଲମାରୀରେ ରଖାଯାଇଥିବା ସୁନାର ଏକ ବ୍ରେସଲେଟ, ୫ଟି ମୁଦି ଓ ପ୍ରାୟ ୪ ଭରି ଓଜନର ସୁନା ଅଳଙ୍କାର ଚୋରି ହୋଇଛି। ଚୋରି କରୁଥିବା ବେଳେ କିଛି ଶବ୍ଦ ହେବାର ଶୁଣି ହଠାତ ଉଠି ଚିତ୍କାର କରିବା ପରେ ଦୁର୍ବୁତ୍ତ ମାନେ ଫେରାର ହୋଇ ଯାଇଥିଲେ l ସେହିପରି ସନାତନ ସାହୁ ଏବଂ ତାଙ୍କ ପରିବାର ଲୋକେ ଖାଇସାରି ଘରେ ଶୋଇଥିବା ବେଳେ ୩ରୁ ୪ ଜଣ ଦୁର୍ବୁତ୍ତ ଘର ବାଡ଼ି ପଟୁ କବାଟ ଭାଙ୍ଗି ଘରେ ପଶି ଆଲମିରାରେ ଥିବା ପ୍ରାୟ ୫ ଭରି ସୁନା ଅଳଙ୍କାର, ୧୫ ଭରି ରୁପାର ଅଳଙ୍କାର ଏବଂ ୧୫ ହଜାର ଟଙ୍କା ଲୁଟି ନେଇ ପଳାଇ ଯାଇଥିଲେl