ସମ୍ବଲପୁର/ଚିପିଲିମା: ବୈଶ୍ବିକ ସ୍ତରରେ ଚିନ୍ତା କରି ସ୍ଥାନୀୟ ସ୍ତରରେ ତାହାର କାର୍ଯ୍ୟାନ୍ବୟନ ପାଇଁ ଶନିବାର ଆଇଆଇଏମ୍ ସମ୍ବଲପୁରର ନବମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପ୍ରମୋଦ କୁମାର ମିଶ୍ର କହିଛନ୍ତି। ବୈଶ୍ୱିକ ଯୋଗାଣ ଶୃଙ୍ଖଳାରେ ବାଧା, ସଂରକ୍ଷଣବାଦୀ ନୀତି, ବଢୁଥିବା ଭୂ-ରାଜନୈତିକ ଉତ୍ତେଜନା ଏବଂ ପରିବର୍ତ୍ତିତ ବୈଶ୍ୱିକ ବାଣିଜ୍ୟ ଢାଞ୍ଚା ଏବେ ଜଟିଳତା ସୃଷ୍ଟି କରୁଛି। ଏହି ଯାତ୍ରା ସମୟରେ ଗୋଟିଏ କଥା ସ୍ପଷ୍ଟ ଯେ ଭବିଷ୍ୟତ କେବଳ ଉତ୍ତରାଧିକାରୀ ସୂତ୍ରରେ ମିଳିବ ନାହିଁ, ଏହାକୁ ସୃଷ୍ଟି କରିବାକୁ ହେବ। ନିଜ ଭବିଷ୍ୟତକୁ ଗଢ଼ି ତୋଳିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ଦରକାର। ଆଜି ଆପଣ ଯେଉଁ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିଛନ୍ତି, ତାହାକୁ ନିର୍ମାଣ କରି ଆହୁରି ଅନେକ ମାଇଲଖୁଣ୍ଟ ହାସଲ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଦେଶ ହିତ ପାଇଁ କାମ କରିବା ଏବଂ ଲୋକମାନେ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ କେମିତି ଉଠିବେ, ସେ ଦିଗରେ ପ୍ରୟାସ କରିବାକୁ ଡ. ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ। ଆଇଆଇଏମ୍ ସମ୍ବଲପୁର ନିଜସ୍ବ ଶିକ୍ଷା ଢାଞ୍ଚାରେ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)କୁ ଅନ୍ତର୍ଭୁକ୍ତ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପଶ୍ଚିମ ଓଡ଼ିଶାର ବୁଣାକାରଙ୍କ ପାଇଁ ମାଷ୍ଟର ବୁଣାକାର କାର୍ଯ୍ୟକ୍ରମ ଆରମ୍ଭ କରାଯିବା ମଧ୍ୟ ଏକ ପ୍ରଶଂସନୀୟ ପ୍ରୟାସ। ଏହା ଆଞ୍ଚଳିକ ବିକାଶରେ ସହାୟକ ହେବ ବୋଲି ସେ କହିଥିଲେ।
ଆଇଆଇଏମ୍ ସମ୍ବଲପୁରର ନବମ ସମାବର୍ତ୍ତନ ଉତ୍ସବ
୬୦ ପ୍ରତିଶତ ମହିଳା ସ୍ନାତକ, ଆଇଆଇଏମ୍ ମଧ୍ୟରେ ପ୍ରଥମ
ଆଇଆଇଏମ୍ ସମ୍ବଲପୁର ‘ବିଓଜି’ର ଅଧ୍ୟକ୍ଷ, ସେଲ୍ସଫୋର୍ସ ଇଣ୍ଡିଆ ଓ ଦକ୍ଷିଣ ଏସିଆର ଅଧ୍ୟକ୍ଷ ତଥା ସିଇଓ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ କହିଲେ ଯେ ଶିକ୍ଷା ଏକ ଜୀବନବ୍ୟାପୀ ଯାତ୍ରା। ଦୁନିଆ ଦ୍ରୁତ ଗତିରେ ବିକଶିତ ହେଉଛି। ଏଣୁ ଉଭୟ ସୁଯୋଗ ଏବଂ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିବ। ପ୍ରତିଦିନ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଲେ ତାହା ନିଜ ପାଇଁ ତଥା ନିଜ ଦେଶ ପାଇଁ ଏକ ବଡ଼ ଅବଦାନ ହେବ ବୋଲି କହିଥିଲେ। ବୋଷ୍ଟନ୍ କନ୍ସଲଟିଂ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶକ ଆଶିଷ ଗର୍ଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ ସ୍ବାଗତ ଭାଷଣ ଦେବା ଅବସରରେ କହିଲେ, ପ୍ରଥମ ଥର ପାଇଁ ଆମ ପାଖରେ ୫ଟି ଭିନ୍ନ ଭିନ୍ନ ପ୍ରୋଗ୍ରାମ ଏମ୍ବିଏ, ଏକଜିକ୍ୟୁଟିଭ୍ ଏମ୍ବିଏ, ଏମ୍ବିଏ ଫର୍ ୱାର୍କିଂ ପ୍ରଫେସନାଲ୍ସ, ପିଏଚ୍ଡି ଏବଂ ପିଏଚଡି ଫର୍ ୱାର୍କିଂ ପ୍ରଫେସନାଲ୍ସର ଛାତ୍ରଛାତ୍ରୀମାନେ ଡିଗ୍ରି ହାସଲ କରିଛନ୍ତି। ଏହାବ୍ୟତୀତ ଭାରତର କୌଣସି ଆଇଆଇଏମ୍ କିମ୍ବା ଅଗ୍ରଣୀ ବି-ସ୍କୁଲ ଇତିହାସରେ ଏହା ପ୍ରଥମ ଘଟଣା ଯେଉଁଠାରେ ସ୍ନାତକ ହାସଲ କରିଥିବା ମହିଳାଙ୍କ ସଂଖ୍ୟା ପୁରୁଷ ଛାତ୍ରଛାତ୍ରୀଙ୍କ ତୁଳନାରେ ଅଧିକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/20/JWGlFGTXjEmVGNqLB5zD.jpg)