ଭୁବନେଶ୍ୱର : ନୂଆଦିଲ୍ଲୀସ୍ଥିତ ଥିଙ୍କ୍ ଟ୍ୟାଙ୍କ ଓଡ଼ିଶା ଫୋରମ୍ ପକ୍ଷରୁ ଓଡ଼ିଆଙ୍କର ସବୁଠୁ ପ୍ରିୟ ମିଠା ‘ରସଗୋଲା’ ଉପରେ ଏକ ଆଲୋଚନାଚକ୍ର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜଣାଶୁଣା ଲେଖକ, ଭାଷାବିତ୍ ତଥା ରସଗୋଲା ଉପରେ ବହୁ ଗବେଷଣା କରିଥିବା ଡ. ଅସିତ ମହାନ୍ତି ଯୋଗଦେଇ କହିଥିଲେ ଯେ, ଷୋଡ଼ଶ ଶତାବ୍ଦୀରେ ବଳରାମ ଦାସଙ୍କ ଦ୍ୱାରା ରଚିତ ଦାଣ୍ଡି ରାମାୟଣରେ ଏବଂ ପ୍ରଭୁ ଜଗନ୍ନାଥଙ୍କୁ ନୀଳାଦ୍ରିବିଜେ ସମୟରେ ରସଗୋଲା ଭୋଗ ହେଉଥିବା ଉଲ୍ଲେଖ ଅଛି। ଏହାସହ ୫୦୦ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ମଠ ଓ ମନ୍ଦିରରେ ଦେବତାଙ୍କୁ ରସଗୋଲା ଭୋଗ ଲାଗି ହେଉଥିବା ପ୍ରମାଣ ଅଛି।
ଶ୍ରୀ ଚୈତନ୍ୟଙ୍କ ପ୍ରଭାବରେ ରସଗୋଲା ଓଡ଼ିଶାରେ ପହଞ୍ଚିଥିବା ପଶ୍ଚିମବଙ୍ଗ ଦାବି କରୁଥିବାବେଳେ ଶ୍ରୀ ମହାନ୍ତି ଏହାକୁ ଖଣ୍ଡନ କରିଛନ୍ତି। ସେ କହିଲେ ଯେ, ପଶ୍ଚିମବଙ୍ଗ ଦାବି କରୁଛି ଯେ, ରସଗୋଲା ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା ଛେନା ବି ପଶ୍ଚିମବଙ୍ଗରେ ପ୍ରଥମେ ପ୍ରସ୍ତୁତ ହୋଇଛି। ଏହି ଅବସରରେ ଶ୍ରୀ ମହାନ୍ତି ବିଭିନ୍ନ ପତ୍ରିକା, ପୁସ୍ତକରେ ପ୍ରକାଶ ପାଇଥିବା ଲେଖା, ଅଭିଲେଖାଗାରରୁ ସଂଗୃହୀତ ବହୁ ପୁରାତନ ତଥ୍ୟକୁ ଉପସ୍ଥାପନ କରିଥିଲେ। କାଲକାଟା ବିଶ୍ୱବିଦ୍ୟାଳୟ ଦ୍ୱାରା ୧୯୨୪ରେ ପ୍ରକାଶ ପାଇଥିବା ଏକ ଓଡ଼ିଆ ଲେଖାରେ ଉଲ୍ଲେଖ କରାଯାଇଛି ଯେ, ରସଗୋଲାର ଉତ୍ପତି ଓଡ଼ିଶାରୁ ହିଁ ହୋଇଛି। ୧୫୦୦ ଶତାବ୍ଦୀ ପୂର୍ବରୁ ଓଡ଼ିଶାରେ ରସଗୋଲା ଉପଲବ୍ଧ ହେଉଥିବା ନେଇ ବହୁ ତଥ୍ୟ ରହିଥିବା ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ।
ଶ୍ରୀ ମହାନ୍ତିଙ୍କ ବକ୍ତବ୍ୟ ପରେ ରସଗୋଲା ଉପରେ ଆଲୋଚନା ହୋଇଥିଲା। ‘ବାଙ୍ଗଲାର ରସଗୋଲା’କୁ ଜିଆଇ ଟ୍ୟାଗ୍ ମିଳିବାକୁ ବିରୋଧ କରିବା ସହ ଓଡ଼ିଶାର ରସଗୋଲାକୁ ଯେପରି ଜିଆଇ ଟ୍ୟାଗ୍ ମିଳିବ ସେନେଇ ସରକାର ପଦକ୍ଷେପ ନେବା ଦରକାର ବୋଲି ବକ୍ତାମାନେ କହିଥିଲେ। ବକ୍ତାମାନେ ମତ ଦେଇଥିଲେ ଯେ, ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳୁ ନଚେତ ରସଗୋଲା ପୂର୍ବ ଭାରତର ଏକ ସ୍ୱତନ୍ତ୍ର ମିଠା ବୋଲି ମାନ୍ୟତା ମିଳୁ।