ପୁରୀ/ଗୋପ: ବାଘ ଭାବି ଫିସିଂ କ୍ୟାଟ୍(କଟାସ)କୁ ପିଟି ପିଟି ମାରି ଦେଇଛନ୍ତି ଗାଁ ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି ଗୋପ ବ୍ଲକ୍ ତଥା ଅସ୍ତରଙ୍ଗ ବନାଞ୍ଚଳ ଅଧୀନ କାଦୁଆ ନଈ ନିକଟ ପଲ୍ଲୀଠାରେ। ଏହି ଘଟଣା ପରେ ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ବିବେକ କୁମାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, କାଦୁଆ ନଈ ଦୁଇପାର୍ଶ୍ବରେ ଚାଷ ଜମି ରହିଛି। ପାଖ ପଲ୍ଲୀ ଗାଁର ଜଣେ ବ୍ୟକ୍ତି ଚାଷ ଜମିକୁ ଯାଇଥିବାବେଳେ ଏହି ଫିସିଂ କ୍ୟାଟ୍ ତାଙ୍କୁ କାମୁଡ଼ି ଗୋଡ଼ାଇଥିଲା। ପରେ ଗାଁ ଲୋକେ ମିଶି ଫିସିଂ କ୍ୟାଟ୍କୁ ଆକ୍ରମଣ କରିଥିଲେ। ଫିସିଂ କ୍ୟାଟ୍ଟି ଆହତ ହୋଇଯିବା ପରେ ଦଉଡ଼ିରେ ବାନ୍ଧି ଟାଣି ଟାଣି ଆଣି ଗାଁ ଦାଣ୍ଡ ଖୁଣ୍ଟିରେ ବାନ୍ଧି ଦେଇଥିଲେ। କିନ୍ତୁ ପ୍ରବଳ ମାଡ଼ ଖାଇଥିବାରୁ କିଛି ସମୟ ଭିତରେ ଫିସିଂ କ୍ୟାଟ୍ଟି ମରି ଯାଇଥିଲା। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।
ସେଭ୍ କୋଷ୍ଟାଲ୍ ଲାଇଫ୍ର ମୁଖ୍ୟ ପ୍ରକୃତିବନ୍ଧୁ ସରୋଜ କୁମାର ଜେନା କହିଛନ୍ତି, ଫିସିଂ କ୍ୟାଟ୍ ଏକ ବିରଳ ବନ୍ୟଜନ୍ତୁ। ଏମାନେ ସେଭଳି ହିଂସ୍ର ନୁହନ୍ତି। ଏମାନେ କେବଳ ମାଛ, କୁକୁଡ଼ା ଆଦି ମାରି ଖାଇଥାନ୍ତି। କିନ୍ତୁ ମନୁଷ୍ୟଙ୍କ ପାଇଁ ଏମାନେ ବିପଦ ନୁହନ୍ତି। ତଥାପି ଏହି ବିରଳ ଫିସିଂ କ୍ୟାଟ୍କୁ ନିର୍ଦ୍ଦୟ ଭାବେ ପିଟି ପିଟି ମାରିଦେବା ନିନ୍ଦନୀୟ। ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଜରୁରି। ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଆକାଶ ରଥ କହିଛନ୍ତି, ଫିସିଂ କ୍ୟାଟ୍କୁ ଏଭଳି ମାରିଦେବା ଠିକ୍ ନୁହେଁ। ସଚେତନତା ଅଭାବ ଏହାର ମୁଖ୍ୟ କାରଣ। ସୂଚନାଯୋଗ୍ୟ, ଗତକାଲି ସତ୍ୟବାଦୀ ଅଞ୍ଚଳରେ ବାଘ ଆତଙ୍କ ଦେଖା ଦେଇଥିଲା। ଏହାର ଏକ ଭିଡିଓ ବି ଭାଇରାଲ୍ ହୋଇଥିଲା। କିନ୍ତୁ ଆଜି ସୁଦ୍ଧା ଏହାର ସତ୍ୟତା ନେଇ ବନବିଭାଗ ସ୍ପଷ୍ଟ କରି ପାରିନି।