ତୃତୀୟ କାଡାଭରିକ୍ ପ୍ରତିରୋପଣ, ଅପରେସନ୍ ଥିଏଟର ଭିତରକୁ ଗଲେ ରୀତାରାଣୀ ମହାନ୍ତ ଓ ରତ୍ନାକର ମହାନ୍ତି

କଟକ: କଟକର ଏସସିବିରେ ଫେବ୍ରୁଆରି ମାସରେ ରାଜ୍ୟର ପ୍ରଥମ ଓ ଦ୍ବିତୀୟ କାଡାଭରିକ୍ ପ୍ରତିରୋପଣ ସଫଳତାର ସହ ସମ୍ପନ୍ନ ହେବା ପରେ ତୃତୀୟ କାଡାଭରିକ୍ ପ୍ରତିରୋପଣ କାମ ଆରମ୍ଭ ହୋଇଛି। ଆଜି ବିଜୁ ଜୟନ୍ତୀରେ ମାଗଣାରେ ଏହି କାଡାଭରିକ୍ ପ୍ରତିରୋପଣ କରାଯାଉଛି। ମୟୂରଭଞ୍ଜ ଜିଲ୍ଲାର ରୀତାରାଣୀ ମହାନ୍ତ ଓ କାମାକ୍ଷାନଗରର ରତ୍ନାକର ମହାନ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯିବା ଲାଗି ଉଭୟଙ୍କୁ ଅପରେସନ୍ ଥିଏଟର ଭିତରକୁ ନିଆଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ବରର ହାଇଟେକ୍ ହସ୍ପିଟାଲରେ ରାଜଲକ୍ଷ୍ମୀ ଦାଶ ନାମ୍ନୀ ଜଣେ ମହିଳାଙ୍କୁ ବ୍ରେନ୍‌ଡେଡ୍ ଘୋଷଣା କରାଯିବା ପରେ ତାଙ୍କ ପରିବାରବର୍ଗ ଅଙ୍ଗଦାନ କରିବାକୁ ରାଜି ହୋଇଥିବାରୁ ତାଙ୍କର ଦୁଇଟି କିଡ୍‌ନିକୁ ଏସ୍‌ସିବି ମେଡିକାଲର ଦୁଇ ରୋଗୀଙ୍କ ଶରୀରରେ ପ୍ରତିରୋପଣ ହେଉଛି । ଗୁରୁବାର ସକାଳେ ଏହି ପ୍ରତିରୋପଣ ମଧ୍ୟ ସଫଳ ହେବ ବୋଲି ଆଶା କରାଯାଉଛି।

ସୂଚନା ଅନୁସାରେ, ଏକ ଦୁର୍ଘଟଣାରେ ଆହତ ହୋଇ ହାଇଟେକ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ରାଜଲକ୍ଷ୍ମୀ ଦାଶ(୪୫)। ହେଲେ ଦିନକୁ ଦିନ ତାଙ୍କ ଅବସ୍ଥା ଗୁରୁତର ହେବା ସହ ବୁଧବାର ସକାଳୁ ସେ ବ୍ରେନ୍‌ଡେଡ୍‌ ସ୍ଥିତିକୁ ଚାଲି ଯାଇଥିଲେ। ଫଳରେ ତାଙ୍କ ପରିବାର ଲୋକ ରାଜଲକ୍ଷ୍ମୀଙ୍କ ଅଙ୍ଗଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତ ଏ ସଂପର୍କରେ ସଟୋ ନୋଡାଲ ଅଧିକାରୀ ପ୍ରଫେସର ଡାକ୍ତର ଚିତ୍ତ ରଂଜନ କରଙ୍କ ସହ ଆଲୋଚନା କରିଥିଲେ। ବିଧିବଦ୍ଧ ଭାବେ ବ୍ରେନ୍‌ଡେଡ୍ ଘୋଷଣା ପରେ ତାଙ୍କ କିଡ୍‌ନି ଏସ୍‌ସିବି ଓ ଆପୋଲା ହସ୍ପିଟାଲର ଦୁଇ ଜଣ ରୋଗୀଙ୍କ ଦେହରେ କାଡାଭରିକ୍‌ ପ୍ରତିରୋପଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।

ଏଥିପାଇଁ ଏସ୍‌ସିବିରୁ ୟୁରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଦତ୍ତେଶ୍ବର ହୋତାଙ୍କ ନେତୃତ୍ବରେ ଆସିଷ୍ଟାଣ୍ଟ ପ୍ରଫେସର ସଂଜୟ ଚୌଧୁରୀ ଓ ୨ଜଣ ପିଜି ଛାତ୍ରଙ୍କୁ ନେଇ ଏକ ସ୍ବତନ୍ତ୍ର ବିଶେଷଜ୍ଞ ଟିମ୍‌ ହାଇଟେକ୍‌ରେ ପହଞ୍ଚି ଥିଲେ। ସେମାନେ ପ୍ରଥମେ ମୃତ ରାଜଲକ୍ଷ୍ମୀଙ୍କ ଶରୀର‌ରୁ ୨ଟି କିଡ୍‌ନି ଅସ୍ତ୍ରୋପଚାର କରି ବାହାର କରିଥିଲେ। ଦୁଇଟି କିଡ୍‌ନି ମଧ୍ୟରୁ ଗୋଟିଏ ଏସ୍‌ସିବିର ରୀତାରାଣୀ ମହାନ୍ତ ଓ ଅନ୍ୟଟି ରତ୍ନାକର ମହାନ୍ତିଙ୍କୁ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର