ରଥଯାତ୍ରା ତୃତୀୟ ସମନ୍ବୟ ବୈଠକ : ରଥକାଠ ଅଭାବକୁ ନେଇ ହୋହଲ୍ଲା

ଶ୍ରୀଜଗନ୍ନାଥ ବନ ପ୍ରକଳ୍ପର ସ୍ଥିତି ପରଖିବାକୁ ଦାବି, ୩ ମାସରେ ପିସିସିଏଫ୍ ଦେବେ ଷ୍ଟାଟସ୍ ରିପୋର୍ଟ

ପୁରୀ : ରଥଯାତ୍ରା ତୃତୀୟ ସମନ୍ବୟ ବୈଠକ ଆଜି ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରୁ ରଥକାଠ ଅଭାବକୁ ନେଇ ହୋହଲ୍ଲା ହୋଇଥିଲା। ରଥକାଠ ସଂକଟର ପ୍ରତିକାର ବ୍ୟବସ୍ଥା କରିବାକୁ ସେବାୟତ ଓ ବୁଦ୍ଧିଜୀବୀମାନେ ଦାବି କରିବା ପରେ ଶ୍ରୀଜଗନ୍ନାଥ ପ୍ରକଳ୍ପର ସ୍ଥିତି ପରଖି ୩ ମାସ ଭିତରେ ଏହାର ଷ୍ଟାଟସ୍ ରିପୋର୍ଟ ଦେବାକୁ ପିସିସିଏଫ୍‌ଙ୍କୁ କୁହାଯାଇଛି। ରଥଯାତ୍ରା ସମୟରେ ପାନୀୟ ଜଳ, ପରିମଳ, ସ୍ବାସ୍ଥ୍ୟସେବା, ବିଜୁଳି ସେବା ଆଦି ଉପରେ ଗୁରୁତ୍ବାରୋପ କରାଯାଇଛି।

ସମନ୍ବୟ ବୈଠକରେ ବାଣିଜ୍ୟ ମନ୍ତ୍ରୀ ପଦ୍ମନାଭ ବେହେରା, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲ୍, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ଆଇଜି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଜିଲ୍ଲାପାଳ ବଲୱନ୍ତ ସିଂ, ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିବର୍ଷ ରଥ ସମୟରେ ଫାଶୀ ଓ ଅନ୍ୟାନ୍ୟ କାଠର ଅଭାବ ଦେଖାଦେଉଥିବାରୁ ରଥଯାତ୍ରା ପାଇଁ ସ୍ବତନ୍ତ୍ର ଭାବେ କରାଯାଇଥିବା ଶ୍ରୀଜଗନ୍ନାଥ ବନ ପ୍ରକଳ୍ପର ସ୍ଥିତି ଉପରେ ଜବାବ ମାଗିଥିଲେ ସେବାୟତ ସମୂହ। ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର କହିଥିଲେ, ଶ୍ରୀଜଗନ୍ନାଥ ବନ ପ୍ରକଳ୍ପରେ ରୋପଣ କରାଯାଇଥିବା ଫାଶୀ ଗଛର ଅବସ୍ଥା ଠିକ୍ ନାହିଁ। ଏହା ଦୁଇ ଶାଖିଆ ହୋଇ ଯାଉଥିବାରୁ ରଥ ପାଇଁ ଅନାବଶ୍ୟକ। ଏ ସଂପର୍କରେ ଏକ କମିଟି ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ପରିଦର୍ଶନ କରି ରିପୋର୍ଟ ବି ଦେଇଥିଲେ। ପ୍ରତି ବର୍ଷ ରଥକାଠ ସଂକଟ ଦେଖା ଦେଉଥିବାରୁ ଏହାର ମୂଳ କାରଣ ଖୋଜି ବାହାର କରିବାକୁ ଶ୍ରୀ ଦାସ ମହାପାତ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାଛଡ଼ା ପ୍ରାଚୀ ନଦୀ କୂଳରେ ଲାଗିଥିବା ଲିମ୍ବ ଗଛର ସୁରକ୍ଷା ଦିଗରେ ଦୃଷ୍ଟି ଦେବାକୁ ଅନେକ ପ୍ରସ୍ତାବ ଦେଇଥିଲେ।

ଜବାବରେ ପିସିସିଏଫ୍ କହିଥିଲେ, ରଥଯାତ୍ରା ପାଇଁ ୨୦୦୦ ମସିହାରେ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା। ବର୍ତମାନ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପର ୨୫୦୦ ହେକ୍ଟର ଜାଗାରେ ରଥଯାତ୍ରା ପାଇଁ ଗଛ ଲଗାଯାଇଛି। ଏହା ସୁରକ୍ଷିତ ରହିଛି ଓ ରଥଯାତ୍ରାରେ କୌଣସି ପରିସ୍ଥିତିରେ କାଠ ସଂକଟ ଦେଖାଦେବନି ବୋଲି ସେ ଯୁକ୍ତି ବାଢ଼ିଥି‌ଲେ। ତେବେ ଏହାକୁ ନେଇ ହୋହଲ୍ଲା ହେବା ପରେ ପିସିସିଏଫ୍‌ଙ୍କୁ ତିନି ମାସ ଭିତରେ ଶ୍ରୀଜଗନ୍ନାଥ ପ୍ରକଳ୍ପର ଷ୍ଟାଟସ୍ ରିପୋର୍ଟ ଦେବାକୁ ମନ୍ତ୍ରୀ ନିର୍ଦେଶ ଦେଇଥି‌ଲେ। ସ୍ବାସ୍ଥ୍ୟ ସେବାକୁ ନେଇ ବି ଆଜି ଅନେକ ବିରକ୍ତିଭାବ ପ୍ରକାଶ କରିଥିଲେ। ପୁରୀରେ ଦିନକୁ ଦିନ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଏ ଦିଗରେ କ’ଣ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପ୍ରଶ୍ନ ଉଠିଥିଲା। ଏହାର ଉତ୍ତରରେ ଜିଲ୍ଲାପାଳ କହିଥିଲେ, ଗ୍ରାମାଞ୍ଚଳରେ ଏଥି ପାଇଁ ୨୨ଟି ମେଡ଼ିକାଲ ଟିମ୍ ନିୟୋଜିତ ଥିବା ବେଳେ ସହରାଞ୍ଚଳରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇଛି। ଡାକ୍ତରମାନେ ବିଭିନ୍ନ ଅଞ୍ଚଳରେ କ୍ୟାମ୍ପ କରି ଆବଶ୍ୟକ ଔଷଧ ଯୋଗାଇ ଦେଉଛନ୍ତି। ରଥଯାତ୍ରା ସମୟରେ ଡାକ୍ତର ଓ କର୍ମଚାରୀ ଅଭାବ ପ୍ରସଙ୍ଗ ଉଠିବାରୁ ଦୁଇ ତିନି ଦିନ ଭିତରେ ବାହାର ଜିଲ୍ଲାରୁ ଆସିଥିବା ଟିମଙ୍କୁ ପୁନର୍ବାର ପୁରୀ ଆଣିବାକୁ ନିଷ୍ପତ୍ତି ହୋଇଥିଲା।

ପାନୀୟ ଜଳ ସଂପର୍କରେ ଆଲୋଚନା ବେଳେ ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ କହିଥିଲେ, ବାତ୍ୟାରେ ୪ଟି ଓଭରହେଡ୍ ପାଣିଟାଙ୍କି ଭାଙ୍ଗିଯାଇଛି। ଏହାର ମରାମତି ପାଇଁ ଯୋଜନା ଚାଲିଛି। ରଥଯାତ୍ରା ସମୟରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ବଡ଼ଦାଣ୍ଡରେ ୩୨ଟି ଟ୍ୟାଙ୍କର ଓ ୨୦୦ଟି ଷ୍ଟାଣ୍ଡପୋଷ୍ଟ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଟାଙ୍କି ଭାଙ୍ଗିବା ପ୍ରସଙ୍ଗ ଉଠିଥିଲା। ଯଥାଶୀଘ୍ର ଏହାର ମରାମତି କାର୍ଯ୍ୟ ସାରିବାକୁ ଆଇନ ମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଥିଲେ। ବୈଠକରେ ଗ୍ରାମାଞ୍ଚଳ ଜଳଯୋଗାଣ ଉପରେ ବି ବିସ୍ତୃତ ଆଲୋଚନା ହୋଇଥିଲା। ଦୁଇଥର ପାଣି ପରୀକ୍ଷା ସରିଥିବା ବେଳେ ତୃତୀୟ ଥର ପାଇଁ ପିଇବା ପାଣି ପରୀକ୍ଷା ହେବାକୁ ଯାଉଛି ବୋଲି ସଂପୃକ୍ତ ବିଭାଗର ଅଧିକାରୀ ସୂଚନା ଦେଇଥିଲେ। ରଥଯାତ୍ରା ସମୟରେ ୨୨ ଲକ୍ଷ ପାଣି ବୋତଲର ବ୍ୟବସ୍ଥା କରାଯାଇଛି। ବିଦ୍ୟୁତ୍ ବିଭାଗ ଗ୍ରାମାଞ୍ଚଳକୁ ବିଜୁଳି ସେବା ସ୍ବାଭାବିକ କରିବା ପାଇଁ ଜୁନ୍ ୩୦କୁ ଡେଡ୍‌ଲାଇନ୍ ଦେଇଥିଲା। ରଥଯାତ୍ରା ସମୟରେ ନିରବଚ୍ଛିନ୍ନ ବିଜୁଳି ସେବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ସେହିଭଳି ପରିବହନ, ରେଳବାଇ, ଜାତୀୟ ରାଜପଥ, ଏନଏଚ୍‌ଏଆଇ, ପୂର୍ତ ବିଭାଗ, ପୌରସଂସ୍ଥା, ଡ୍ରେନେଜ୍, ଶାନ୍ତିଶୃଙ୍ଖଳା, ଟେଲିଫୋନ୍ ସେବା ଆଦି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର