୧୧୨ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ତୃତୀୟ ଆକ୍ରାନ୍ତ, ଏ ପର୍ଯ୍ୟନ୍ତ ୧୫ ଜଣଙ୍କ ସହ ଯୋଗାଯୋଗ ହୋଇପାରିନି

ଭୁବନେଶ୍ୱର: ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ଜଣେ ‘ସୁପରସ୍ପ୍ରେଡର’ ପାଲଟିବାର ଆଶଙ୍କା ପ୍ରକାଶ ପାଇଛି। ଆଜି ଏଭଳି ଏକ ମନ୍ତବ୍ୟ ରଖିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟମୁଖପାତ୍ର ଡ.ସୁବ୍ରତ ବାଗଚୀ। କାରଣ ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ୧୧୨ ଜଣ ଆସିଥିବା ସୂଚନା ମିଳିଛି। ରାଜ୍ୟର ପ୍ରଥମ ଦୁଇ କରୋନା ଆକ୍ରନ୍ତଙ୍କ ସଂସ୍ପର୍ଶରେ ୫୫ଜଣ ଆସିଥିଲେ।  ମାତ୍ର ତୃତୀୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଏଯାବତ ସର୍ବାଧିକ ଆସିଛନ୍ତି। ମୁଖ୍ୟମୁଖପାତ୍ର ବାଗଚୀଙ୍କ ଅନୁସାରେ, ତୃତୀୟ ବ୍ୟକ୍ତି ଦିଲ୍ଲୀର ବିମାନବନ୍ଦର ଠାରୁ ଆରମ୍ଭ କରି ସେ ଯେଉଁ କ୍ଲିନିକରେ ଚିକିତ୍ସିତ ହେଉଥିଲେ, ସେତେବେଳ ପର୍ଯ୍ୟନ୍ତ ୧୧୨ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ।

ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡ. ବାଗଚୀ କହିଛନ୍ତି, ତୃତୀୟ ଆକ୍ରାନ୍ତ ବ୍ୟକ୍ତିଙ୍କ ସହିତ ମୋଟ ୧୧୨ ଜଣ ସଂସ୍ପର୍ଶରେ ଆସିଛନ୍ତି । ସେ ଦିଲ୍ଲୀରୁ ଭୁବନେଶ୍ୱର ବିମାନରେ ଆସିବା ମଧ୍ୟରେ ୩୨ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ । ପରିବାରରେ ସେ ସ୍ତ୍ରୀ ଓ ଝିଅଙ୍କ ସଂସ୍ପର୍ଶରେ ଆସିଥିଲେ । ଘରେ ଡ୍ରାଇଭର ଓ ୩ ଜଣ ସହାୟକଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି କହିଛନ୍ତି । ତୃତୀୟ ସଂକ୍ରମିତ ବ୍ୟକ୍ତି ଯେଉଁ ବ୍ୟାଙ୍କରେ କାମ କରୁଥିଲେ, ସେଠାରେ ୪୪ ଜଣ ସହଯୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ । ସେହିପରି ୭ ଜଣ ବିଧାନସଭାର କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିଲେ । ଅସୁସ୍ଥ ହେବା ପରେ ସେ ଏକ କ୍ଲିନିକକୁ ଯାଇଥିଲେ । କ୍ଲିନିକରେ ଆଡମିଟ ହେବା ସମୟରେ ୩୧ ଜଣଙ୍କ ସଂସ୍ପର୍ଶରେ ଆସିଥିବା ବେଳେ କ୍ଲିନିକର ପରୀକ୍ଷାଗାର (ଲ୍ୟାବ)ରେ ୩ ଜଣଙ୍କୁ ମିଶାଇ ମୋଟ ୧୧୨ ଜଣଙ୍କ ସହିତ ସଂସ୍ପର୍ଶରେ ଆସିଥିଲେ ।

ଡ.ବାଗଚୀ କହିଛନ୍ତି, ତୃତୀୟ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଯୋଗାଯୋଗ ତାଳିକା ପ୍ରସ୍ତୁତ କରାଯାଇଛି । କିନ୍ତୁ ଏ ପର୍ଯ୍ୟନ୍ତ ମୋଟ୧୫ ଜଣଙ୍କ ସହିତ ଯୋଗାଯୋଗ ହୋଇପାରି ନାହିଁ । ଏମାନଙ୍କ ମଧ୍ୟରୁ ୧୧ ଜଣଙ୍କ ନମୁନା ପରୀକ୍ଷା ହୋଇଛି । ଜଣଙ୍କ ନେଗେଟଭି ଆସିଛି । ବାକି ୧୦ ଜଣଙ୍କ ନମୁନାକୁ ଅପେକ୍ଷା କରାଯାଇଛି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି ଯେ, ଆଜି ଦିନ ୧୨ଟା ପର୍ଯ୍ୟନ୍ତ ୨୫୬ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି । ସେଥିରୁ ଏପର୍ଯ୍ୟନ୍ତ ୩ ଜଣଙ୍କ ନମୁନା ପଜିଟିଭ ଆସିଛି । ସମସ୍ତ ଆକ୍ରାନ୍ତ ଭଲ ଅଛନ୍ତି । ସମସ୍ତେ ଅନ୍ୟ ରୋଗୀଙ୍କ ଭଳି ହସ୍ପିଟାଲର ରନ୍ଧା ଖାଦ୍ୟ ଖାଉଛନ୍ତି ।

ସମ୍ବନ୍ଧିତ ଖବର