ପାଟଣାଗଡ଼: ପ୍ରସିଦ୍ଧ ତୀର୍ଥକ୍ଷେତ୍ର ହରିଶଙ୍କରଠାରେ ଚାଲିଥିବା ହରିଶଙ୍କର ମହୋତ୍ସବ ତଥା ବୈଶାଖ ମେଳାର ବୁଧବାର ଥିଲା ତୃତୀୟ ଦିବସ। ତୃତୀୟ ଦିବସ ସନ୍ଧ୍ୟାରେ ଦେବୋତ୍ତର ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ମନ୍ଦିର ନିକଟ ଷ୍ଟେଜ ନଂ ୧ରେ ବଲାଙ୍ଗୀର ଉପଜିଲ୍ଲାପାଳ କୁମାର ନାଗଭୂଷଣ ମୁଖ୍ୟ ଅତିଥି, ଡିଏସ୍ଏସ୍ଓ ନବକୃଷ୍ଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସଭା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା। ଷ୍ଟେଜ ନଂ ୧ରେ ଭୁବନେଶ୍ବରର ନୃତ୍ୟ ନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।
ସେହିପରି ଗୁଡ଼ଭେଲାର କୃଷ୍ଣପ୍ରିୟା କଳା ପରିଷଦ, ବଲାଙ୍ଗୀରର ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା। ପରେ ରାମଲୀଳା ମଧ୍ୟ ପରିବେଷଣ ହୋଇଥିଲା। ସେହିପରି ଯାତ୍ରା ପଡ଼ିଆସ୍ଥିତ ଷ୍ଟେଜ ନଂ ୨ରେ ବଲାଙ୍ଗୀରର ମାନଭଞ୍ଜନ, ପଞ୍ଚମ, ସୁନ୍ଦରଗଡ଼ର ପଏଁରୀ, କଳାହାଣ୍ଡିର ଘୁମୁରା ନୃତ୍ୟ ପରିବେଷଣ ହୋଇଥିଲା। ପରେ ଦଣ୍ଡନୃତ୍ୟ ପରିବେଷଣ କରାଯାଇଥିଲା। ମହୋତ୍ସବରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ପଡ଼ୋଶୀ ଛତିଶଗଡ଼ରୁ ବହୁ ପର୍ଯ୍ୟଟକ ତଥା ଭକ୍ତମାନଙ୍କ ଭିଡ଼ ଲାଗୁଛି।