ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ମାମଲା : ମାମଲା ରୁଜୁ କରୁନି ପୁଲିସ

ଥାନାରୁ ଫେରିଗଲେ ଚାଇଲ୍‌ଡ ଲାଇନ୍‌ ଟିମ୍‌

ରାଉରକେଲା : ଥାନାରେ ନାବାଳାକଙ୍କୁ ଥାର୍ଡ ଡିଗ୍ରୀ ଭଳି ସମ୍ବେଦନଶୀଳ ଘଟଣାକୁ ଇତି ମଧ୍ୟରେ ୧୨ ଦିନ ବିତିଯାଇଛି। ପୁଲିସର ଏଭଳି ଅମାନୁଷିକ କାର୍ଯ୍ୟକୁ ବିଭିନ୍ନ ମହଲରୁ ଦୃଢ଼ ନିନ୍ଦା କରାଯାଇଛି। ରାଜ୍ୟ ମାନବାଧିକାର କମିଶନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ରାଉରକେଲା ଏସ୍‌ପି ମୁକେଶ କୁମାର ଭାମୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏତେସବୁ ଘଟଣା ଘଟିଲା ପରେ ଚୁପ୍‌ ବସିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ), ଚାଇଲ୍‌ଡ ଲାଇନ୍‌ ଓ ଜିଲ୍ଲା ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁସି)। ନାବାଳକଙ୍କୁ ନ୍ୟାୟ ଦେବାକୁ ଯେମିତି ଏମାନଙ୍କ ପାଖରେ ସମୟ ନାହିଁ। ଅବଶ୍ୟ ସିଡବ୍ଲ୍ୟୁସି ଥରେ ନୁହେଁ ଦୁଇ ଦୁଇଥର ନାବାଳକଙ୍କୁ ଘଟଣା ସଂକ୍ରାନ୍ତରେ ପଚାରଉଚୁରା କରିଛନ୍ତି। ନାବାଳଙ୍କୁ ଥାନାରେ ମାଡ ମରାଯାଇଥିବା ସିଡବ୍ଲ୍ୟୁସି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ଏସବୁ ସତ୍ବେ ପୁଲିସ ମାମଲା ରୁଜୁ ନ କରି ପଛଘୁଞ୍ଚା ଦେବା ଲୋକଙ୍କ ମଧ୍ୟରେ ନାନା ସନ୍ଦେହ ସୃଷ୍ଟି ହୋଇଛି।

ଆଜି ଚାଇଲ୍‌ଡ ଲାଇନ୍‌ ଟିମ୍ ନାବାଳକଙ୍କ ଆଈଙ୍କୁ ଧରି ଉଦିତନଗର ଥାନାରେ ପହଞ୍ଚିଥିଲେ। ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଲିଖିତ ଏତଲା ଦେବାକୁ ବସିଥିଲେ। ପୁଲିସ କିନ୍ତୁ ମାଡ ମାରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ନ କରି ସେମାନଙ୍କୁ ଥାନାରୁ ଫେରାଇ ଦେଇଥିଲେ। ସେପଟେ ସିଡବ୍ଲ୍ୟୁସି ଉଦିତନଗର ପୁଲିସ ବିରୋଧରେ ମାମଲା ରୁଜୁ କରିବାକୁ ରାଉରକେଲା ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି। ଏହାର ନକଲ ସୁନ୍ଦରଗଡ ଜିଲ୍ଲାପାଳ, ସୁନ୍ଦରଗଡ ଜୁଭେନାଲଇ ଜଷ୍ଟିସ୍‌ ବୋର୍ଡ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇଛନ୍ତି। ଅଦ୍ୟାବଧି କିନ୍ତୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସେପଟେ କିଛି ରାଜନୈତିକ ଦଳର ନେତା ମାମଲାକୁ ରଫାଦଫା କରିବାକୁ ନାବାଳକ ଆଈ ଉପରେ ଚାପ ପକାଉଥିବା ଚର୍ଚ୍ଚା ହେଉଛି। ଯଦି ଏସ୍‌ପି, ଥାନା ଓ ଡିସିପି ଏମିତି ନୀରବଦ୍ରଷ୍ଟା ସାଜନ୍ତି, ନାବାଳକଙ୍କୁ ନ୍ୟାୟ ମିଳିବା ଅସମ୍ଭବ। ‌ତେବ‌େ ଆଗାମୀ ଦିନରେ ଏସ୍‌ପି ଓ ଡିସିପିଓ ଏହି ସମ୍ବେଦନଶୀଳ ମାମଲାକୁ କେତେ ଗୁରୁତର ଦେଉଛନ୍ତି, ତାକୁ ସହରବାସୀ ଚାହିଁ ବସିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୨୬ ଡିସେମ୍ବର ରାତିରେ ଟିମ୍ବର କଲୋନି ଅଞ୍ଚଳର ଜଣେ ନାବାଳକଙ୍କୁ ଉଦିତନଗର ପୁଲିସ ମୋବାଇଲ ଚୋରି ଅଭିଯୋଗରେ ଥାନାକୁ ଉଠାଇ ନେଇଥିଲା। ଥାନାର ଜୈନିକ ସବ୍ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ତିନିଜଣ ନାବାଳକଙ୍କୁ ଗାଳିଗୁଲଜ ଓ ଧମକଚମକ ଦେଇଥିଲେ। ତା’ପରେ ତାଙ୍କୁ ଗୋଇଠା ମାରିବା ସହିତ ପାଦକୁ ବୁଟ୍‌ରେ ଦଳି ମାଡ ମାରିଥିଲେ। ପୂର୍ବାହ୍ନ ୧୧ଟାରୁ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ କିଛି ଖାଇବାକୁ ନ ଦେଇ ସେମିତି ବସାଇଥିଲେ। ରାତି ୮ଟା ପରେ କିଛି ଖାଇିବାକୁ ଦିଆ ଯାଇଥିଲା। ପୁଣି ରାତି ପ୍ରାୟ ସାଢ଼େ ୯ଟାରେ ଭିତର ରୁମ୍‌ ଭିତରକୁ ଡାକି ନିଆ ଯାଇଥିଲା। ତାଙ୍କୁ ପ୍ୟାଣ୍ଟ ସାର୍ଟ ଖୋଲିବାକୁ ଆଦେଶ ଦିଆ ଯାଇଥିଲା। ନାବାଳକ ନ ଖୋଲିବାରୁ ଥାନାର ଜୈନିକ ସବ୍‌ଇନ୍ସପେକ୍ଟର ଚାପୁଡା ମାରିଥିଲେ। ଅଧିକ ମାଡ ଭୟରେ ନାବାଳକ ସାର୍ଟ ପ୍ୟାଣ୍ଟ ଖୋଲିବା ପରେ ତାଙ୍କୁ ବିଦ୍ୟୁତ୍‌ ଚେଙ୍କ ଦିଆ ଯାଇଥିଲା। ସେ କିଣିଥିବା ନୂଆ ମୋବାଇଲକୁ ମଧ୍ୟ ପୁଲିସ ନେଇ ଯାଇଥିଲା, ଯଦିଓ ତା’ର କିଣା ରସିଦ ତାଙ୍କ ପାଖରେ ଥିଲା। ଶେଷରେ ‘ମାଡ଼ ମାରିବା କଥା କାହାକୁ କହିବୁ ନାହିଁ, କି ଡାକ୍ତରଖାନାକୁ ଯିବୁ ନାହିଁ, ନ ହେଲେ ପୁଣି ଥାନାକୁ ଉଠାଇ ଆଣିବୁ’ ଏମିତି ଧମକ ଦେଇ ପୁଲିସ ପରଦିନ, ଅର୍ଥାତ୍‌ ଡିସେମ୍ବର ୨୭ରେ ଥାନାରୁ ନାବାଳକଙ୍କୁ ଛାଡି ଦେଇଥିଲେ। ଭୟରେ ନାବାଳକ ସେକଥା ନିଜ ଆଈଙ୍କୁ ବି କହି ନଥିଲେ। କିନ୍ତୁ ଦେହ ମାଲିସ କରିବାବେଳେ ମାଡ଼ ଖାଇଥିବା ସ୍ଥାନକୁ ଆଈ ଛୁଇଁବାବେଳେ ନାବାଳକ ଯନ୍ତ୍ରଣାରେ କାନ୍ଦି ଉଠିବାରୁ ସବୁ କଥା ଜଣା ପଡ଼ି ଯାଇଥିଲା। ପରେ ଦୁହେଁ ସମାଜସେବୀ ପ୍ରମିଳା ଦାସଙ୍କୁ ପୁଲିସର ସେ ଅମାନୁଷିକ କାର୍ଯ୍ୟ ସଂକ୍ରାନ୍ତରେ କହିଥିଲେ। ସମାଜସେବୀ ଶ୍ରୀମତୀ ଦାସ ଏ ସଂକ୍ରାନ୍ତରେ ଗତ ଡିସେମ୍ବର ୨୯ରେ ସିଡବ୍ଲ୍ୟୁସି ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କୁ ଦିଆ ଯାଇଥିବା ନିର୍ଯାତନା ସଂପର୍କରେ ନାବାଳକଙ୍କ ବୟାନର ଭିଡିଓ ମଧ୍ୟ ବର୍ତ୍ତମାନ ଗଣମାଧ୍ୟମ ପାଖରେ। ନାବାଳକ ଘରକୁ ଫେରିବାର କିଛି ଦିନ ପରେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର