୭ ଦିନ ରଖି ପିଟିଲେ
ନୋଳାବସି ମାଂସ ପଚିଯାଇଛି
ମଳଦ୍ବାର ମୁହଁରେ ଗଭୀର କ୍ଷତ
ମୃତ୍ୟୁ ସହ କରୁଛନ୍ତି ସଂଘର୍ଷ
ପୁରୀ/ପିପିଲି/ନିମାପଡା : ପୁରୀରୁ ଆଉ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ହାଜତ ଭିତରେ ପୁଲିସ୍ର ଥାର୍ଡଡିଗ୍ରିରେ ୫ ଜଣ ଅଭିଯୁକ୍ତ ଗୁରୁତର ହୋଇପଡ଼ିଛନ୍ତି। ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ପୁଲିସ୍ ସେମାନଙ୍କୁ ୭ ଦିନ ଧରି ନିର୍ଘାତ ପିଟି ଚାଲିଥିଲା। ଫଳରେ, ସେମାନଙ୍କ ନୋଳା ବସି ମାଂସ ପଚି ଯାଇଥିବାବେଳେ ମଳଦ୍ବାରରେ ଗଭୀର କ୍ଷତ ହୋଇଛି। ଗତକାଲି ବାସେଳୀ ସାହି ଥାନାରେ ହାଜତ ମୃତ୍ୟୁ ଘଟଣାରେ ସାରାରାଜ୍ୟରେ ତମ୍ବିତୋଫାନ ହେବା ପରେ ପୁଲିସ୍ ମନରେ ଛନକା ପଶିବାରୁ ସେମାନଙ୍କୁ କୋର୍ଟଚାଲାଣ କରିଥିଲା। ଏହାପରେ ସେମାନଙ୍କୁ ନିମାପଡ଼ା ଜେଲ୍କୁ ପଠାଇ ଦିଆଯାଇଥିଲା। ସେମାନଙ୍କର ଅବସ୍ଥା ଦେଖି ଜେଲ୍ କର୍ତ୍ତୃପକ୍ଷ ବି ଫେରାଇ ଦେଇଛନ୍ତି। ଏହାପରେ ସେମାନଙ୍କୁ କଟକ ବଡ଼ମେଡିକାଲ (ଏସ୍ସିବି)କୁ ସ୍ଥାନାନ୍ତର କରାଯାଇଥିବା କୁହାଯାଉଛି। ଏସ୍ସିବି ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ, ଏହି ଘଟଣାରେ ଅଭିଯୁକ୍ତଙ୍କ ପ୍ରତି ପୁରୀ ପୁଲିସ୍ ନିର୍ମମ ଆଚରଣ ସବୁ ସୀମା ସରହଦ ଟପି ଯାଇଥିବା କୁହାଯାଉଛି।
ଗତକାଲି ପୁରୀର ବାସେଳୀ ସାହି ଥାନାରେ କେ. ରମେଶଙ୍କୁ ପୁଲିସ ବାଡ଼େଇ ବାଡ଼େଇ ମାରିଥିବା ଘଟଣାକୁ ନେଇ ସାରାରାଜ୍ୟରେ ହୋ’ହାଲ୍ଲା ସହ ତୀବ୍ର ପ୍ରତିକ୍ରିୟା ଲାଗିରହିଛି। ଏହିଭଳି ଏକ ଅବସ୍ଥାରେ ହାଜତରେ ଥାର୍ଡଡିଗ୍ରି ଯୋଗୁ ୫ ଜଣ ଗୁରୁତର ହେବା ଘଟଣା ଆହୁରି ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ୍ର ଆଚରଣ ପ୍ରତି ପ୍ରଶ୍ନ ଉଠିଛି। ଗତକାଲି ପିପିଲି ଥାନାରେ ଏକ ମାମଲାରେ ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିବା ପରେ ସେମାନଙ୍କୁ ରାତିରେ ନିମାପଡ଼ା ଜେଲକୁ ପଠାଯାଇଥିଲା। ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅସୁସ୍ଥ ସହ ବେହୋସ୍ ଥିଲେ। ଗୁରୁତର ଅସୁସ୍ଥ ଥିବାରୁ ନିମାପଡ଼ା ଜେଲ କର୍ତ୍ତୃପକ୍ଷ ଅଭିଯୁକ୍ତଙ୍କୁ ଜେଲ୍ରେ ରଖିନଥିଲେ। ବିନା ଡାକ୍ତରୀ ପରୀକ୍ଷାରେ ଜେଲ୍ରେ ରଖିବେ ନାହିଁ ବୋଲି ମନା କରି ଦେଇଥିଲେ। ପୁଲିସ ନିରାଶ ହୋଇ ଫେରିଥିଲା। ତେବେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଅନ୍ୟତ୍ର ରଖିଥିଲେ। ଆଜି ସକାଳେ ଅଭିଯୁକ୍ତମାନଙ୍କୁ ନିମାପଡ଼ା ମେଡିକାଲ ଅଣାଯାଇଥିଲା। ନିମାପଡ଼ା ମେଡିକାଲରେ ଡାକ୍ତର ଅଭିଯୁକ୍ତଙ୍କ ଅବସ୍ଥା ଦେଖିବା ପରେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ରେଫର୍ କରିଥିଲେ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ପ୍ରତାପ ବେହେରା, ହାପିଜ ଖାନ, ଜଗନ୍ନାଥ ପୁଷ୍ପାଳକ, ମହମ୍ମତ ତଫିକ, ଧରଣୀଧର ବେହେରାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରୁ ଅର୍ଜୁନ ବେହେରା ସୁସ୍ଥ ରହିଛନ୍ତି।
ମିଳିଥିବା ସୂଚନା ମୁତାବକ ଗତ ୧୩ ତାରିଖ ଦିନ ପିପିଲି ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଏକ ଆକ୍ରମଣ ଘଟଣାରେ ଗିରଫ କରିଥିଲା। ପିପିଲି ଥାନାରେ ପୁଲିସ ଇନଫର୍ମର ଥିବା ସାଜିଦ ହୁସେନ ନାମକ ଜଣେ ବ୍ୟକ୍ତି ଏକ ବ୍ରାଉନ ସୁଗାର ଚୋରାଚାଲାଣକୁ ଧରାଇ ଦେଇଥିଲେ। ଏହି ଘଟଣାକୁ ନେଇ ଗିରଫ ଅଭିଯୁକ୍ତମାନେ ସାଜିଦକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣାରେ ପିପିଲି ପୁଲିସ ଚଢ଼ଉ କରି ୬ ଜଣ ଅଭିଯୁକ୍ତକୁ ଗିରଫ କରିବା ସହିତ ଦୁଇଟି ଖଣ୍ଡା ଓ ବାଇକ ଜବତ କରିଥିଲା। ସାଜିଦକୁ ଆକ୍ରମଣ ଘଟଣାରେ ପ୍ରତିକ୍ରିୟାଶୀଳ ହୋଇ ପୁଲିସ ଅଭିଯୁକ୍ତମାନଙ୍କୁ ଭୀଷଣ ମାଡ଼ ମାରିଛନ୍ତି। ଦୀର୍ଘ ୭ ଦିନ ଧରି ମାଡ଼ ମରାଯାଇଛି। ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପ୍ଲାଷ୍ଟିକ୍ ପାଇପ, ରୋଲ ବାଡ଼ି ପଛ ପଟେ ପୂରାଇ ଦିଆଯାଇଛି। ନଖ ତଡ଼ା ଯାଇଥିବା ନେଇ ଚର୍ଚ୍ଚା ହେଉଛି। ମାଡ଼ରେ ଅଭିଯୁକ୍ତମାନଙ୍କ ମାଂସ ପଚିଯିବା ଅବସ୍ଥାକୁ ଆସିଯାଇଛି। ପୁଲିସର ଏଭଳି ବର୍ବରତାର ଶିକାର ହୋଇ ଅଭିଯୁକ୍ତମାନେ ମେଡିକାଲରେ ଜୀବନ ସହିତ ସଂଘର୍ଷ କରୁଛନ୍ତି।
ତେବେ, ଏ ସଂପର୍କରେ ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳ କହିଛନ୍ତି, ପୁଲିସ ଅଭିଯୁକ୍ତମାନଙ୍କୁ ମାଡ଼ ମାରିନାହିଁ। ସେମାନେ ଅସୁସ୍ଥ ଥିବାରୁ ଚିକିତ୍ସାଧୀନ ରହିଛନ୍ତି ବୋଲି ସଫେଇ ଦେଇଛନ୍ତି। ଏକାବେଳେ ୫ ଜଣ ଅଭିଯୁକ୍ତଙ୍କ ଦେହ କିଭଳି ଖରାପ ହେଲା, ତାହା ଏବେ ତଦନ୍ତ ସାପେକ୍ଷ।
ଏହି ଘଟଣା ଏବେ ପୁରୀ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଛି। ଅଭିଯୁକ୍ତଙ୍କୁ ଏମିତି ଜୁଲମ କିଏ ଦେଉଛି, କାହା ନିର୍ଦ୍ଦେଶରେ ଗତ କିଛିଦିନ ହେବ ଏହି ବର୍ବରତା ସବୁ ସୀମା ଟପିଛି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ପୁଲିସର ଅଭିଯୁକ୍ତଙ୍କ ପ୍ରତି ଏ ପ୍ରକାର ନିର୍ଯାତନା ଏବେ ବିଚାରବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରିଛି। ‘ଅନ୍ ସ୍ପଟ୍ ଜଷ୍ଟିସ୍’ ଦେବାକୁ ଯାଇ ପୁଲିସ ଏବେ ଅକ୍ଷମଣୀୟ ଭୁଲ କରି ବସୁଥିବା କୁହାଯାଉଛି।