ଫୁଲବାଣୀ/ଗୋପାଳପୁର : ଗୋପାଳପୁର ଥାନାରେ ରାଇକିଆର ବ୍ୟବସାୟୀ ସୁମନ ସାହୁଙ୍କୁ ଥାର୍ଡଡିଗ୍ରୀ ଘଟଣାରେ ଗୋପାଳପୁର ଥାନା ଓ ରାଇକିଆ ଥାନାର ତତ୍କାଳୀନ ଅଧିକାରୀ ଶ୍ରୀକାନ୍ତ ଖମାରୀ ଜେରାର ସମ୍ମୁଖୀନ ହୋଇଛନ୍ତି। ଗତକାଲି କନ୍ଧମାଳ ଡିଏସ୍ପି ସ୍ନେହାଶିଷ ସାହୁ ଗୋପାଳପୁର ଥାନାରେ ପହଞ୍ଚିଥିଲେ। ଅପରାହ୍ଣ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖମାରୀ ଓ ସୁମନଙ୍କୁ ଆଣିବାକୁ ରାଇକିଆ ଯାଇଥିବା ଏଏସ୍ଆଇ ବି.ତିରୁପତି ରାଓଙ୍କୁ ଜେରା କରିଥିଲେ। କେଉଁ ପରିସ୍ଥିତିରେ ସୁମନଙ୍କୁ ରାଇକିଆରୁ ଅଣାଗଲା, ତାଙ୍କୁ ଗୋପାଳପୁର ଥାନାରେ କେତେ ସମୟ ଅଟକ ରଖାଯାଇଥିଲା ଓ କେଉଁମାନେ ତାଙ୍କୁ ମାଡ଼ ମାରିଥିଲେ ଏସମ୍ପର୍କରେ ଶ୍ରୀ ସାହୁ ଟିକିନିଖି ତଥ୍ୟ ସଂଗ୍ରହ କରିଛନ୍ତି। ଏହାସହ ଗୋପାଳପୁର ଥାନାର ଆଇଆଇସି ସାରଦା ପ୍ରସନ୍ନ ଦାସଙ୍କ ସହ ସେ ଆଲୋଚନା ଏବଂ ସିସି କ୍ୟାମେରାର ଫୁଟେଜ୍କୁ ଯାଞ୍ଚ କରିଥିଲେ। ଖୁବ୍ଶୀଘ୍ର କୋର୍ଟକୁ ତଦନ୍ତ ରିପୋର୍ଟ ପ୍ରଦାନ କରାଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।
ତେବେ ବ୍ୟବସାୟୀଙ୍କୁ ଥାର୍ଡ଼ଡିଗ୍ରୀ ଘଟଣାର ମୁଖ୍ୟ ଅଭିଯୁକ୍ତ ଖମାରୀଙ୍କ ବିରୋଧରେ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କେଉଁ ଆଡ଼କୁ ଗତି କରୁଛି ତାହା ଦେଖିବାକୁ ବାକି ରହିଛି। ସମସ୍ତ ଅଭିଯୋଗ ସତ ପ୍ରମାଣିତ ହେଲେ ତାଙ୍କ ପାଇଁ ନିଶ୍ଚିତ ଭାବେ ଅଡ଼ୁଆ ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଆଜି ରାଇକିଆ ଥାନାରେ ବ୍ୟବସାୟୀ ସୁମନ ଏବଂ ତାଙ୍କ ପତ୍ନୀ ସୁଭଦ୍ରାଙ୍କୁ ପୁଣି ଦ୍ବିତୀୟ ଥର ଡକାଇ ପଚରାଉଚରା କରା ଯାଇଥିଲା। ଦିନ ଗୋଟାଏରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ପାଖାପାଖି ୩ ଘଣ୍ଟା ଧରି ଥାନାଧିକାରୀ ସେମାନଙ୍କଠୁ ଘଟଣା ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ।
ସ୍ମୃତିରେଖାଙ୍କ ସହ ଟଙ୍କା ନେଣଦେଣ, ଥାନାରେ ସୁମନଙ୍କୁ କେତେଜଣ ମାଡ଼ ମାରିଥିଲେ, ତାଙ୍କୁ ଗୋପାଳପୁର ଥାନାରେ କେତେ ସମୟ ଅଟକ ରଖାଗଲା ଓ କେଉଁମାନେ ତାଙ୍କୁ ରାଇକିଆରୁ ଆଣିଥିଲେ ଏସମସ୍ତ ତଥ୍ୟ ସଂଗ୍ରହ ହୋଇଛି। ତେବେ ପୁଲିସ ପୁଣି ସେହି ପୁରୁଣା କଥାକୁ ଦୋହରାଇବା ବଦଳରେ କାର୍ଯ୍ୟାନୁଷ୍ଠାନକୁ ତ୍ବରାନ୍ବିତ କରୁ ବୋଲି ଦମ୍ପତି ଦାବି କରିଛନ୍ତି। କାରଣ ଏହି ଘଟଣାରେ ତଦନ୍ତ କେବଳ ପଚରାଉଚରାରେ ହିଁ ସୀମିତ ହୋଇ ରହିଯାଇଛି। ପୁଲିସ ବିଭାଗ କାହାର ଚାପର ବଶବର୍ତ୍ତୀ ନହୋଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସୁମନ ଓ ପତ୍ନୀ କହିଛନ୍ତି।