ଥାନାରେ ଥାର୍ଡଡିଗ୍ରି: ତଦନ୍ତ ନିର୍ଦେଶ ଦେଲେ ଏସ୍‌ପି, ଜିଲ୍ଲା ମୁଖ୍ୟାଳୟକୁ ବଦଳି

ବଲାଙ୍ଗୀର: ବିଚ୍‌ ରାସ୍ତାରେ ପୁଲିସର ଦବଙ୍ଗଗିରି। ଆଉ ଥାନାରେ ଥାର୍ଡଡିଗ୍ରି। ଥାନା ଭିତରେ ପୁଅ ଆଗରେ ବାପାଙ୍କୁ ନିସ୍ତୁକ ମାଡ଼। ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ନିରୀହ ବ୍ୟକ୍ତି। ଦୋଷ କଣ ଜାଣିନଥିଲେ ବି ବନ୍ଧପଡ଼ା ଫାଣ୍ଡି ଅଧିକାରୀ ସରୋଜ ରଥଙ୍କଠାରୁ ନିସ୍ତୁକ ମାଡ଼ ଖାଇଛନ୍ତି। ପୁଲିସର ଏଭଳି ଥାର୍ଡଡିଗ୍ରି ବିରୋଧରେ ମାଡ଼ଖାଇ ଚିକିତ୍ସାଧୀନ ଥିବା ସୁରେଶ ସାହୁ ମୁହଁ ଖୋଲିଛନ୍ତି। ଏସ୍‌ପିଙ୍କ ନିକଟରେ ଲିଖିତ ଅଭିଯୋଗ ଦେବା ପରେ ଏସ୍‌ପି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବଲାଙ୍ଗୀର ଏସ୍‌ଡିପିଓ ତୋଫାନ ବାଗଙ୍କୁ ପୂରା ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ଅନ୍ୟପଟେ ବନ୍ଧପଡ଼ା ଫାଣ୍ଡି ଅଧିକାରୀ ସରୋଜ ରଥଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରି ଅଣାଯାଇଛି।

ସିଂହାମୁଣ୍ଡା ଗାଁର ସୁରେଶ ସାହୁ କହିଛନ୍ତି, ଅଭିଯୋଗ କଣ ଜାଣିନଥିଲେ। ହଠାତ୍‌ ପୁଲିସ ଆସି ସାପ୍ତାହିକ ହାଟ ଭିତରୁ ଟେକି ନେଲା। ପୁଅ ଥାନାରେ ଅଛି ବୋଲି ବାଟରେ କହିଲେ। ଆଉ ଥାନାକୁ ପହଞ୍ଚୁ ପହଞ୍ଚୁ ପାହାର ପାହାର ଆରମ୍ଭ କରିଦେଲେ ଦବଙ୍ଗ ପୁଲିସ ବାବୁ। ପୁଅ ଆଗରେ ବାପାଙ୍କୁ ନିସ୍ତୁକ ମାଡ଼। ସେ ବାରଂବାର ନେହୁରା ହୋଇ ପଚାରୁଥିଲେ ମୋତେ କଣ ପାଇଁ ପିଟୁଛନ୍ତି। କିନ୍ତୁ କିଛି ନକହି ବାଉଁଶ ବାଡ଼ିରେ ପିଟି ଚାଲିଥିଲେ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ପୁଲିସର ମାଡ଼ଖାଇ ସୁରେଶଙ୍କ ଦେହ କଳା ପଡ଼ିଯାଇଛି। କିନ୍ତୁ ଫାଣ୍ଡି ଅଧିକାରୀଙ୍କ ଚାଲାକି କମ ନୁହେଁ। ମାଡ଼ ମାରି ଘାଇଲା କରିବା ପରେ ଏକ କମାଣ୍ଡର ଜିପ୍‌ରେ ଗୁରୁତର ଅବସ୍ଥାରେ ସୁରେଶଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ପଠାଇଦେଇଥିଲେ। ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ସୁରେଶ ଚିକିତ୍ସିତ ହେଉଛନ୍ତି। ଡାକ୍ତରଖାନାର ପ୍ରେସ୍‌କ୍ରିପସନରେ ଶାରୀରିକ ନିର୍ଯାତନା ଦିଆଯାଇଥିବା କଥା ସ୍ପଷ୍ଟ ଭାବରେ ଲେଖାଯାଇଛି। ଏପରିକି ଗୋଡ଼ ହାତ ଭାଙ୍ଗିଥିବାର ସନ୍ଦେହ କରି ଅସ୍ଥିଶଲ୍ୟ ବିଭାଗ ଡାକ୍ତରଙ୍କୁ ପରାମର୍ଶ କରିବାକୁ ନିର୍ଦେଶ ଦିଆଯାଇଛି। ହେଲେ କଣ ପାଇଁ ମାଡ଼ ଖାଇଲେ ସୁରେଶ ଆଜି ଯାଏ ଜାଣିନଥିବା କହିଛନ୍ତି। ଅକାରଣରେ ମାଡ଼ ମାରିଥିବା ଫାଣ୍ଡି ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଭିଜିଲାନ୍ସ ମାମଲା ପରେ ପୁଣି ଚର୍ଚ୍ଚାରେ

ଥାର୍ଡଡିଗ୍ରି ଦେଇଥିବା ପୁଲିସ ଅଧିକାରୀ ସରୋଜ ରଥ ବନ୍ଧପଡ଼ାର ଫାଣ୍ଡି ଅଧିକାରୀ। ବାବୁଙ୍କ କାରନାମାର ଫର୍ଦ୍ଦ ପୁରୁଣା। ଆଗରୁ ମୁରିବାହାଲ ଥାନାରେ ଏସ୍‌ଆଇ ଥିଲେ। ଚାର୍ଜସିଟ କୋହଳ କରିବା ପାଇଁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅଗଷ୍ଟ ୧ ତାରିଖ ୨୦୨୦ ମସିହାରେ ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ। ଚାକିରିରୁ ନିଲମ୍ବନ ବି ହୋଇଥିଲେ। କିନ୍ତୁ କେମିତି କେଜାଣି ପୁଣିଥରେ ଫାଣ୍ଡି ଅଧିକାରୀ ଭାବେ ବନ୍ଧପଡା ଫାଣ୍ଡିରେ ନିଯୁକ୍ତି ପାଇଥିଲେ। ଗତକାଲି ଥାର୍ଡଡିଗ୍ରି ଘଟଣା ସାମ୍ନାକୁ ଆସିବା ପରେ ପୁଣିଥରେ ଦବଙ୍ଗ ପୁଲିସ ବାବୁ ଚର୍ଚ୍ଚାକୁ ଆସିଛନ୍ତି। ଘଟଣା ସମ୍ପର୍କରେ ଜାଣିବା ପାଇଁ ଫାଣ୍ଡି ଅଧିକାରୀ ସରୋଜ ରଥଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ହେଁ ସେ ଫୋନ୍‌ ଉଠାଇନଥିଲେ।

ସମ୍ବନ୍ଧିତ ଖବର