ପୁରୀ: ପୁରୀ ତାଳବଣିଆ ଥାନାରେ ଜଣେ ଭିନ୍ନକ୍ଷମଙ୍କୁ ଥାର୍ଡଡିଗ୍ରି ଦିଆଯାଇଛି। ମାଡ଼ରେ ଭିନ୍ନକ୍ଷମ ଯୁବକଙ୍କ ଅଣ୍ଟା ପାଖରେ ନୋଳା ଫାଟିଯାଇଛି। ଆଖି ପତା ବି କଳା ପଡ଼ିଯାଇଛି। ବେକ ପାଖ, ହାତ ଓ ଅନ୍ୟାନ୍ୟ ଜାଗାରେ ବି ଗଭୀର ଆଘାତ ଲାଗିଛି। ଯନ୍ତ୍ରଣାରେ ଯୁବକ ଜଣକ ଉଠି ପାରୁନାହାନ୍ତି କି ଠିକ୍ରେ ଚଲାବୁଲା କରି ପାରୁନାହାନ୍ତି। ଏ ସଂପର୍କରେ ଯୁବକଙ୍କ ବାପା ପୁରୀ ଏସ୍ପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏସ୍ପିଙ୍କ ଅନୁପସ୍ଥିତିରେ ଏଏସ୍ପିଙ୍କୁ ଏହାକୁ ଗ୍ରହଣ କରିଛନ୍ତି। କିନ୍ତୁ ଅଦ୍ୟାବଧି ତାଙ୍କୁ ନ୍ୟାୟ ମିଳିପାରି ନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ପୁରୀ ତାଳବଣିଆ ଥାନା ଭୂଦାନ ନିକଟର ଅଟୋଚାଳକ ଅଭିମନ୍ୟୁ ପାଢ଼ୀ ଅଭିଯୋଗ କରିଛନ୍ତି, ତାଙ୍କ ପୁଅ ଅନିଲ(୩୩) ୬୦ ପ୍ରତିଶତ ଭିନ୍ନକ୍ଷମ। ଗୋଡ଼ ଖରାପ କାରଣରୁ ଠିକ୍ରେ ଚାଲିବୁଲି ପାରୁନି। ବ୍ୟାଙ୍କ କଲୋନି ମଙ୍ଗଳାମନ୍ଦିର ସମ୍ମୁଖରେ ଏକ ଛୋଟ ପାନଦୋକାନ କରିଛି।
ଗତ ୩୦ ତାରିଖ ମଧ୍ୟାହ୍ନରେ କିଛି ନିଶାଖୋର ତାଙ୍କ ଦୋକାନ ପାଖକୁ ଆସି ପାଟିତୁଣ୍ଡ କରିଥିଲେ। ଏହା ଦେଖି ଅନିଲ ବାରଣ କରିଥିଲେ। ଏଥିରେ ଉପସ୍ଥିତ ନିଶାଖୋରମାନେ ଉତ୍କ୍ଷିପ୍ତ ହୋଇ ପାଟିତୁଣ୍ଡ କରିଥିଲେ। ପରେ ଦୁଇପକ୍ଷଙ୍କ ଭିତରେ ପାଟିତୁଣ୍ଡ ଲାଗିବାରୁ ସଂପୃକ୍ତ ନିଶାଖୋର ଏକ ମାରଣାସ୍ତ୍ର ଆଣି ଧମକଚମକ ଦେଇଥିଲେ। ସଂପୃକ୍ତ ବ୍ୟକ୍ତି ରେଳବିଭାଗରେ ବେଡ୍ରୋଲ୍ କର୍ମଚାରୀ ଭାବେ କାମ କରନ୍ତି। ଏହା ଦେଖି ପାଖଲୋକେ ଆସି ବୁଝାସୁଝା କରିବା ସମୟରେ ପିସିଆର୍ ଭ୍ୟାନ୍ ଆସି ଦୁଇପକ୍ଷଙ୍କୁ ଥାନାକୁ ଉଠାଇ ନେଇଥିଲା। ପୁଅକୁ ବି ଥାନାକୁ ନେଇ ଯାଇଥିଲା। ଥାନାରେ ପୁଅକୁ ଅପରାହ୍ଣ ୩ଟାରୁ ରାତି ପ୍ରାୟ ସାଢ଼େ ୧୦ଟା ପର୍ଯ୍ୟନ୍ତ ଅଟକ ରଖାଗଲା। ପୁଅ ବସିଥିବା ବେଳେ ହଠାତ୍ ଜଣେ ପୁଲିସ ଅଧିକାରୀ ଆସି ପୁଅକୁ ଏକ ଲୁହା ପାଇପ୍ରେ ନିସ୍ତୁକ ପିଟିଥିଲେ। ଅଣ୍ଟା, ହାତ ଆଦିରେ ପ୍ରହାର ବସିଥିଲା। ଫଳରେ ବାମପାର୍ଶ୍ବ ଅଣ୍ଟା ପାଖ, ବାମ ହାତରେ ଗଭୀର ଆଘାତ ଲାଗିଛି। ବାମ ଗାଲକୁ ଶକ୍ତ ଚାପୁଡ଼ା ମାରିବାରୁ ଆଖି ପତା କଳା ପଡ଼ିଯାଇଛି। ରାତିରେ ଏଭଳି ମାଡ଼ ଦେଖି ସେ ନିଜେ ବି ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ ବି ମାଡ଼ର ଧମକ ମିଳିଥିଲା।
ଉଭୟ ପୁଅ ଓ ତାଙ୍କୁ ସଂପୃକ୍ତ ପୁଲିସ ଅଧିକାରୀ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ପାଖରେ ଅନ୍ୟ ଜଣେ ମହିଳା ପୁଲିସ ଅଧିକାରୀ ଛିଡ଼ା ହୋଇ ବାରଣ କରିଥିଲେ ବି ସମ୍ପୃକ୍ତ ପୁଲିସ ଅଧିକାରୀ ମାଡ଼ ପରେ ମାଡ଼ ମାରି ଚାଲିଥିଲେ। ପରେ ନେହୁରା ହେବାରୁ ପୁଅକୁ ରାତି ପ୍ରାୟ ୧୧ଟାରେ ଥାନାରୁ ଛାଡ଼ିଥିଲେ। କିନ୍ତୁ ଏତେ ଜୋର୍ରେ ପୁଅକୁ ପିଟିଥିଲେ ଯେ ପରଦିନ ସକାଳୁ ଆଉ ପୁଅ ଶେଯରୁ ଉଠିପାରିଲାନି। ଚାଲିବୁଲି ପାରିଲାନି। ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରାଇଥିଲି। ଡାକ୍ତର ଏକ୍ସ-ରେ କରିବାକୁ କହିଛନ୍ତି। ଅନ୍ୟପଟେ ଏଭଳି ଘଟଣା ପରେ ସେ ଗତକାଲି ଏସ୍ପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏସ୍ପିଙ୍କ ଅନୁପସ୍ଥିତିରେ ଏଏସ୍ପି ତାଙ୍କ ସହ ଆଲୋଚନା କରିଛନ୍ତି। ଏଏସ୍ପି ଏ ଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି। କିନ୍ତୁ ଅଦ୍ୟାବଧି କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ତାଳବଣିଆ ଥାନା ଅଧିକାରୀ ପବିତ୍ର ମହାରଣା କିନ୍ତୁ ଥାର୍ଡଡିଗ୍ରିକୁ ଖଣ୍ଡନ କରିଛନ୍ତି। ନିଶାଗ୍ରସ୍ତ ଅବସ୍ଥାରେ ଦୁଇପକ୍ଷ ମାଡ଼ଗୋଳ ହୋଇଥିଲେ। ପିସିଆର୍ ସେମାନଙ୍କୁ ଥାନାକୁ ଆଣିଥିଲା। ପୁଣି ପିସିଆର ସେମାନଙ୍କୁ ଛାଡ଼ି ଦେଇଥିଲା ବୋଲି ଶ୍ରୀ ମହାରଣା କହିଛନ୍ତି।