ଥାନା ହାଜତରେ ପୁଲିସର ଥାର୍ଡ ଡିଗ୍ରି ଘଟଣା : ଏସ୍‌ସିବିରେ ଆହତଙ୍କୁ ଭେଟି ପାରିଲେନି ପରିବାର

ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ

ପୁଲିସର ଗାଳିଗୁଲଜ, ଦୁର୍ବ୍ୟବହାର ଅଭିଯୋଗ
ପରିବାରର ଅନୁମତି ନ ନେଇ ଜଣଙ୍କର ଅସ୍ତ୍ରୋପଚାର
ମିଳିତ ଟିମ୍‌ କରୁଛନ୍ତି ଚିକିତ୍ସା,ଏକ୍ସ‌ରେ ରିପୋର୍ଟକୁ ଅପେକ୍ଷା

କଟକ : ପିପିଲି ପୁଲିସର ଥାର୍ଡ ଡିଗ୍ରି ଘଟଣାରେ ସବୁ ସୀମା ଲଂଘିଛି ପୁଲିସ। କିଏ କହୁଛି ହାତ ପଚିଗଲାଣି ତ କିଏ କହୁଛି ହାଡ଼ ଗୁଣ୍ଡ ହୋଇଯାଇଛି। ଏସ୍‌ସିବି କର୍ତ୍ତୃପକ୍ଷ ଏ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଉନାହାନ୍ତି, କେବଳ ଅବସ୍ଥା ସ୍ଥିର ରହିଛି କହି କଥା ସାରିଦେଉଛନ୍ତି। ଗୁରୁତର ଆହତ ହୋଇଥିବା ଜଣଙ୍କର ଆଜି ହାତରେ ଅସ୍ତ୍ରୋପଚାର କରାଯାଇଥିବା ଜଣାପଡ଼ିଛି। କିନ୍ତୁ ଅସ୍ତ୍ରୋପଚାର ପୂର୍ବରୁ ପରିବାରବର୍ଗଙ୍କ ଅନୁମତି ନିଆଯାଇନି। ପୁଲିସ୍‌ ଅନୁମତି ନିଆଯାଇ ଅସ୍ତ୍ରୋପଚାର କରାଯାଇଛି।

ଅନ୍ୟ ୪ଜଣଙ୍କ ଶରୀର ବିଭିନ୍ନ ଅଙ୍ଗର ହାଡ଼ ଭାଙ୍ଗିଥିବା ସନ୍ଦେହ କରାଯାଉଥିବାବେଳେ ଏକ୍ସରେ ରିପୋର୍ଟ ଆସି ନଥିବାରୁ କିଛି ସ୍ପଷ୍ଟ ହୋଇନି। ଚିକିତ୍ସା ପାଇଁ ସର୍ଜରି, ଅର୍ଥୋପେଡିକ ଓ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ବିଶେଷଜ୍ଞଙ୍କୁ ନେଇ ଟିମ୍‌ ଗଠନ କରାଯାଇ ଚିକିତ୍ସା ଚାଲିଛି। ଅନ୍ୟପଟେ ଆହତ ଅଭିଯୁକ୍ତଙ୍କୁ ଭେଟିବାକୁ ଆସିଥିବା ପରିବାରର ସଦସ୍ୟମାନଙ୍କୁ ଡାକ୍ତରଖାନାରେ ଭେଟିବାକୁ ଦେଇନି ପୁଲିସ। ଖାଲି ସେତିକି ନୁହେଁ, ଭେଟିବାକୁ ଆସିଥିବା ଅଭିଯୁକ୍ତ ଜଗନ୍ନାଥ ପୁଷ୍ପାଳକ(୧୯)ଙ୍କ ବାପା‌, ଭାଇଙ୍କୁ ପୁଲିସ ଗାଳିଗୁଲଜ ଓ ଖରାପ ବ୍ୟବହାର ପ୍ରଦର୍ଶନ କରିଛନ୍ତି ବୋଲି ତାଙ୍କ ଭାଇ ଗୁରୁତର ଅଭିଯୋଗ କରିଛନ୍ତି।

ପିପିଲିର ଗୁରୁତର ଆହତମାନଙ୍କୁ କଡ଼ା ପୁଲିସ ପହରା ଭିତରେ ସର୍ଜରି ବିଭାଗରେ ରଖାଯାଇଛି। ସମସ୍ତଙ୍କୁ ଗୋଟିଏ ସ୍ଥାନରେ ରଖାଯାଇ ଚିକିତ୍ସା କରାଯାଉଥିବାବେଳେ ସେହି ସ୍ଥାନକୁ କାହାରିକୁ ଛାଡୁନି ପୁଲିସ। କେବଳ ଚିକିତ୍ସା କରୁଥିବା ଡାକ୍ତର, ପାରାମେଡିକାଲ କର୍ମଚାରୀଙ୍କୁ ଛାଡିଦେଲେ ପୁଲିସ କାହାରିକୁ ଭିତରକୁ ଛାଡୁନି। ଏସ୍‌ସିବି କର୍ତ୍ତୃପକ୍ଷ ମଧ୍ୟ ଏସଂପର୍କରେ କୌଣସି ମତାମତ ଦେବାକୁ ରାଜି ହେଉ ନଥିବାବେଳେ ଏହି ଘଟଣାରେ ଏସ୍‌ସିବି ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣ‌ା ହିଁ କେବଳ ଗଣମାଧ୍ୟମକୁ ଯାହା ସୂଚନା ଦେଇପାରିବେ ବୋଲି କୁହାଯାଉଛି। ହେଲେ, ଏହି ସମ୍ବେଦନଶୀଳ ଘଟଣାରେ ସେ ମଧ୍ୟ ପୂରା ଚୁପ୍‌ ରହିବା ସହ ତାଙ୍କର ଫୋନ ମଧ୍ୟ ଲାଗୁନି। କ’ଣ ପାଇଁ ଓ କାହା ଚାପରେ ଏସ୍‌ସିବି କର୍ତ୍ତୃପକ୍ଷ ଚିକିତ୍ସା ବ୍ୟବସ୍ଥା ଓ ଘଟଣାକୁ ‌ନେଇ ମୁହଁ ଖୋଲୁ ନାହାନ୍ତି ତାହା ଜଣାପଡ଼ି ପାରୁ ନାହିଁ।

ଆହତମାନଙ୍କ ଶରୀରର ଏକାଧିକ ସ୍ଥାନରେ କ୍ଷତ ହୋଇଥିବାବେଳେ ନୋଳା ବସି ମା˚ସ ପଚିଯାଇଛି। ମଳଦ୍ବାରରେ ଗଭୀର କ୍ଷତ ହୋଇଛି ଓ ଶରୀରରେ ମାଡ଼ର ସ୍ପଷ୍ଟ ଦାଗ ରହିଛି। ଗତକା‌ଲି ସେମାନଙ୍କର ବିଭିନ୍ନ ପରୀକ୍ଷା କରାଯାଇଥିବାବେଳେ ସର୍ଜରି ବିଭାଗର ପ୍ରଥମ ମହଲାରେ ସେମାନଙ୍କୁ ଗୋଟିଏ କୋଠରୀରେ ରଖି ଚିକିତ୍ସା କରାଯାଇଛି। ପୁଲିସ ସେମାନଙ୍କୁ ଜଗି ବସିଛି। କାହାରିକୁ ସେମାନଙ୍କୁ ଦେଖା କରିବାକୁ ଦିଆଯାଉନଥିବା ଜଣାପଡ଼ିଛି। ଆହତ ଜଗନ୍ନାଥଙ୍କ ବାପା ଓ ଭାଇ ପିପିଲି ଥାନାର ବରିଷ୍ଠ ଅଧିକାରୀଙ୍କ ସହ କଥା ହେବା ପରେ ଆଜି ଏସ୍‌ସିବିରେ ପହଞ୍ଚିଥିଲେ। ଭାଇଙ୍କୁ ଦେଖା କରିବାକୁ ୱାର୍ଡକୁ ଯାଇଥିବାବେଳେ ପୁଲିସ ସେମାନଙ୍କୁ ଛାଡ଼ି ନଥିବା ତାଙ୍କ ଭାଇ ରଘୁନାଥ ପୁଷ୍ପାଳକ ଅଭିଯୋଗ କରିଛନ୍ତି। ବାପା ପୁଅକୁ ଦେଖି ନପାରି ଭୋ, ଭୋ କାନ୍ଦୁଥିବାବେଳେ ପୁଲିସ ଦେଖା ତ କରାଇ ଦେଲାନି, ଗାଳିଗୁଲଜ କରିଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ତେବେ, ଏ ସଂପର୍କରେ ପୁଲିସର ପ୍ରତିକ୍ରିୟା ମିଳିପାରିନି। ସୂଚନାଯୋଗ୍ୟ, ପିପିଲି ଥାନାରେ ୭ଦିନ ଧରି ୬ଜଣ ଅଭିଯୁକ୍ତଙ୍କୁ ପୁଲିସ୍‌ ନିସ୍ତୁକ ପିଟିବାରୁ ସେମାନଙ୍କ ମଧ୍ୟରୁ ୫ଜଣ ଗୁରୁତର ହୋଇପଡ଼ିଥିଲେ। ତରବରିଆ ଭାବେ ପୁଲିସ୍‌ ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା। ନିମାପଡ଼ା ଜେଲ୍‌ କର୍ତ୍ତୃପକ୍ଷ ସେମାନଙ୍କ ଅବସ୍ଥା ଦେଖି ଫେରାଇ ଦେଇଥିଲା। ପରେ ସମସ୍ତ ଆହତ ଅଭିଯୁକ୍ତଙ୍କୁ କଟକ ବଡ଼ ମେଡିକାଲ୍‌କୁ ଅଣାଯାଇଥିଲା।

ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ
ପିପିଲି : ପିପିଲି ଥାନା ହାଜତରେ ଯେଉଁ ଅଭିଯୁକ୍ତମାନଙ୍କୁ ପୁଲିସ୍‌ ଥାର୍ଡଡିଗ୍ରି ଦେଇଥିଲା, ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିଲା ବୋଲି ଜଣାପଡ଼ିଥିଲା। ପୁଲିସ୍‌ ନାବାଳକକୁ ସାବାଳକ ଦର୍ଶାଇ ୬ ଦିନ କାଳ ଅଟକ ରଖିବା ସହିତ ମାଡ଼ ମାରିଥିଲା। ଏହି ଖବର ପ୍ରଚାରିତ ହେବା ପରେ ପିପିଲିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ତାହାର ପ୍ରତିବାଦରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଏକ ପିଟିସନ ଦାଏର୍‌ କରାଯାଇଛି।

ଏହି ନାବାଳକର ଘର ପିପିଲି ଥାନା ଅନ୍ତର୍ଗତ ଜୟପୁର ଶାସନ ଅଞ୍ଚଳରେ। ଗତ ୧୩ ତାରିଖ ରାତି ସାଢେ଼ ୯ଟା ବେଳେ ସାଜିଦ୍‌ ହୁସେନ୍‌ ନାମକ ଜଣେ ଯୁବକଙ୍କୁ କିଛି ଦୃର୍ବୃତ୍ତ ପିପିଲି ବିଜେଡି କାର୍ଯ୍ୟାଳୟ ନିକଟରେ ଆକ୍ରମଣ କରିଥିଲେ। ସେହି ଅଭିଯୋଗରେ, ୬ ଜଣଙ୍କୁ ଗିରଫ କରିଥିଲା ପୁଲିସ। ତେବେ ସେମାନଙ୍କ ଭିତରେ ଥିଲା ଏହି ନାବାଳକ। କିନ୍ତୁ, ପୁଲିସ୍‌ କୌଣସି ପ୍ରମାଣପତ୍ର ତନଖି ନ କରି ନାବାଳକକୁ ସାବାଳକକୁ ବୋଲି ଦର୍ଶାଇଥିଲା। ଏପରିକି ଏହି ନାବାଳକ ଅଭିଯୁକ୍ତର ବୟସ ୧୭ ବର୍ଷ ବୋଲି କୁହାଯାଉଥିବାବେଳେ ପିପିଲି ପୁଲିସ୍‌ ୧୮ ବର୍ଷ ବୋଲି ଦର୍ଶାଇଥିଲା। ନାବାଳକ ପରିବାରର ଅଭିଯୋଗ ଅନୁସାରେ , ଗତ ୧୩ ତାରିଖ ରାତି ୮ଟାରୁ ସାଢ଼େ ୮ଟା ଭିତରେ ପୁଲିସ୍‌ ତାଙ୍କ ପୁଅକୁ ଉଠାଇ ନେଇଥିଲା। ଏ ସମ୍ପର୍କରେ ପରିବାର ପକ୍ଷରୁ କୌଣସି ସୂଚନା ଦେଇ ନ ଥିଲା। ଆହୁରି ମଧ୍ୟ ଅଭିଯୋଗ କରାଯାଇଛି ଯେ, ସାଜିଦ୍‌ଙ୍କୁ ସାଢ଼େ ୯ଟା ସମୟରେ ଆକ୍ରମଣ କରାଯାଇଥିବା‌ବେଳେ ପୁଲିସ୍‌ ତାଙ୍କ ପୁଅକୁ ଆଗୁଆ ଉଠାଇ ନେଇଥିଲା। ଏହାପରେ ତାକୁ ୬ ଦିନ କାଳ ଥାନାରେ ଅଟକ ରଖାଯିବା ସହିତ ମାଡ଼ ମରାଯାଇଛି। ଏଥିସହିତ କୋର୍ଟ ବି ଚାଲାଣ କରାଯାଇଛି।

ଏହିଭଳି ଏକ ଘଟଣାର ପ୍ରତିବାଦରେ ସାମ୍ବାଦିକ ରାକେଶ ରୋଶନ ମହାନ୍ତି ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହେବାସହ ଏକ ପିଟିସନ ଦାୟର କରିଛନ୍ତି। ନାବାଳକକୁ ଗିରଫ ଓ କୋର୍ଟଚାଲାଣ ସମୟରେ ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ ପାଳନ କରାଯାଇ ନ ଥିବା ଆବେଦନକାରୀ ପିଟିସନ୍‌ରେ ଦର୍ଶାଇଛନ୍ତି। ତେଣୁ ପୀଡ଼ିତ ନାବାଳକଙ୍କୁ ତୁରନ୍ତ ନିମାପଡ଼ା ସବ୍‌ଜେଲ୍‌ରୁ ମୁକ୍ତ କରି ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ସହ ଥାନାଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର