ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା: ହାତୀବାରି ଥାନାରୁ ହଟିଲେ ଏଏସ୍‌ଆଇ ସୁଶାନ୍ତ ପାତ୍ର

ରାଉରକେଲା: ଯୁବକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଦେବା ପୁଲିସବାବୁଙ୍କୁ ମହଙ୍ଗା ପଡିଛି। ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ହାତୀବାରି ଥାନାର ଏଏସ୍ଆଇ ସୁଶାନ୍ତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ତାଙ୍କୁ ହାତୀବାରି ଥାନାରୁ ସୁନ୍ଦରଗଡ଼ ରିଜର୍ଭକୁ ବଦଳି କରାଯାଇଛି। ସଂଧ୍ୟା ସୁଦ୍ଧା ସୁନ୍ଦରଗଡ଼ ରିଜର୍ଭରେ ଯୋଗଦେବାକୁ କୁହାଯାଇଛି। ଏଏସ୍‌ଆଇ ସୁଶାନ୍ତ ପାତ୍ରଙ୍କୁ ଥାନାରୁ ରିଲିଭ୍‌ କରିବାକୁ ଡିଆଇଜି ଶ୍ରୀ ଶେଖର ହାତୀବାରି ଥାନା ଅଧିକାରୀ ବୀରକିଶୋର ମଲ୍ଲିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ଉଚ୍ଚ ଅଧିକାରୀଙ୍କ ଏଭଳି ତ୍ବରିତ ପଦକ୍ଷେପକୁ ମାଡର ଶିକାର ଅଭିଯୋଗକାରୀ ଯୁବକ ଓ ତାଙ୍କ ପରିବାର ପକ୍ଷରୁ ସ୍ବାଗତ କରାଯାଇଛି।

ଏଥିପାଇଁ ସେମାନେ ପଶ୍ଚିମାଞ୍ଚଳ ଡିଆଇଜି ଶ୍ରୀ ଶେଖରଙ୍କୁ ଧନ୍ୟବାଦ ଦେଇଛନ୍ତି। ଆଇନ ବିରୋଧୀ କାମକରୁଥିବା ପୁଲିସ ଅଧିକାରୀଙ୍କ ପାଇଁ ପଶ୍ଚିମାଞ୍ଚଳ ଡିଆଇଜିଙ୍କର ଏଭଳି କାର୍ଯ୍ୟାନୁଷ୍ଠାନକୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। ଉଲ୍ଲେଖଯୋଗ୍ୟ, ଗତ ୧୮ ତାରିଖ ସଂଧ୍ୟାରେ ଅଭିଯୋଗକାରୀ ଆଦିତ୍ୟ ମିଶ୍ରା ହାତୀବାରି ଟାଉନକୁ ଦୁଗ୍ଧ ଆଣିବାକୁ ଯାଇଥିଲେ। ଦୁଗ୍ଧ ନେଇ ମୋଟରବାଇକ୍‌ରେ ଘରକୁ ଫେରୁଥିଲେ।  ରାଜାବସ୍ତି ନିକଟରେ ସମ୍ମୁଖରେ ଆସୁଥିବା ଗାଡିର ଲାଇଟ୍‌ ଆଖିରେ ପଡିବାରୁ ନିୟନ୍ତ୍ରଣ ହରାଇ ମୋଟବାଇକକୁ କାର୍‌ ସହ ଧକ୍କା ଦେଇଥିଲେ। ଭୁଲ୍‌ ଥିବାରୁ ତାଙ୍କୁ ସ୍ଥାନୀୟ ଲୋକ ଘେରି ଗାଳିଗୁଲଜ୍‌ କରିବା ସହ ମାଡ଼ ମାରିଥିଲେ। ହଠାତ୍‌ ସାଧା ପୋଷାକରେ ଥିବା ଜଣେ ପୁଲିସ ବାବୁ ପହଞ୍ଚି ତାଙ୍କୁ ଚାପୁଡା ମାରିଥିଲେ।

ସାଧା ପୋଷାକରେ ଥିବାରୁ ପୁଲିସକୁ ବୋଲି ଚିହ୍ନି ନ ପରିବାର ସେ ଠେଲି ଦେଇଥିଲେ। ତାଙ୍କର ମାତ୍ର ଏତିକି ଦୋଷ ଥିଲା। ପ୍ରତିବାଦରେ ପୁଲିସ ବାବୁ ତାଙ୍କୁ ଜୋରଜବରଦସ୍ତ ଗାଡ଼ିରେ ବସାଇ ଥାନାକୁ ନେଇଯାଇଥିଲେ।  ଥାନା ଭିତରେ ଦୁଇ ପୁଲିସ କର୍ମଚାରୀ ତାଙ୍କୁ ଜାବୁଡି ଧରିଥିଲେ। ଅନ୍ୟ ଜଣେ ପୁଲିସବାବୁ ତାଙ୍କୁ ଲାଠିରେ ମାଡ଼ ମାରିଥିଲେ। ସେ ଓ ତାଙ୍କ ପତ୍ନୀ  ଛାଡିଦେବାକୁ ଯେତେ କାକୁତିମିନତୀ ହୋଇଥିଲେ ହେଁ ତିନି ପୁଲିସ ମଧ୍ୟରୁ କେହି ଜଣେ ହେଲେ ଶୁଣି ନଥିଲେ। ପେଟ, ପିଠି, ଗୋଡକୁ ପିଟି ଚାଲିଥିଲେ। ଏତିକିରେ ପୁଲିସବାବୁଙ୍କ ରାଗ ଶାନ୍ତ ପଡି ନଥିଲା। ରାଗି କରି ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ଲାତ ଓ ଗୋଇଠା ମାରିଥିଲେ।

ସମ୍ବନ୍ଧିତ ଖବର