କଟକ: ଜମି ଦଲାଲଙ୍କ ହାତବାରିସି ସାଜିଛି ପୁଲିସ। ଥାନା ଭିତରେ ଜଣେ ବ୍ୟକ୍ତିଙ୍କୁ ଦୁଇଦିନ କାଳ ନିର୍ଯାତନା ଦିଆଯିବା ସହିତ ପୁଲିସ ଉପସ୍ଥିତିରେ ବାହାର ଲୋକ ଆସି ହତ୍ୟା ଧମକ ଦେବା ଏବଂ ଏଭଳି ଘଟଣାର ଶିକାର ବ୍ୟକ୍ତି ବର୍ତ୍ତମାନ କଟକ ବଡ଼ମେଡିକାଲରେ ଜୀବନ ସହ ସଂଘର୍ଷ କରିବା ପରି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗୀ ଥାନାରେ। ଏହାକୁ ନେଇ ସଂପୃକ୍ତ ବ୍ୟକ୍ତିଙ୍କ ପରିବାର ଭୟରେ ଦିନ କାଟୁଛନ୍ତି।

Advertisment

ସୂଚନା ଅନୁସାରେ, ଟାଙ୍ଗୀ ଥାନା ଅନ୍ତର୍ଗତ ଶାଳଗାଁ ପଞ୍ଚାୟତ ନେଳିଆସ୍ଥିତ ନାଣ୍ଡୁଆ ଗ୍ରାମର ସଂପୃକ୍ତ ପୀଡ଼ିତ ଅନ୍ୟ ଦୁଇ ଜମି ଦଲାଲଙ୍କ ସହିତ ମିଶି ଜମି କିଣାବିକା ବ୍ୟବସାୟ କରୁଥିଲେ। ଜମି କିଣାବିକା ଟଙ୍କା ବଣ୍ଟାକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ହେବା ପରେ ପୁଲିସ ଅନ୍ୟ ଦୁଇ ଜଣ ଦଲାଲ ଓ ଜଣେ ସ୍ଥାନୀୟ ଲୋକପ୍ରତିନିଧିଙ୍କ କଥାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗଲା ୨୨ ତାରିଖ ସକାଳ ପ୍ରାୟ ୭ଟା ବେଳେ ଥାନାକୁ ଉଠାଇ ଆଣିଥିଲା। ପରିବାର ଲୋକଙ୍କ ଅଭିଯୋଗ ମୁତାବକ ଥାନା କର୍ମଚାରୀ ପୀଡ଼ିତଙ୍କ ଘରକୁ ଆସି ଅପରାଧୀ ଭଳି ସେମାନଙ୍କୁ ବ୍ୟବହାର କରିଥିଲେ। ତାଙ୍କ ବେକ ଧରି ଟାଣି ‌ଟାଣି ନେବାକୁ ଉଦ୍ୟମ କରିଥିଲେ। ଗାଁ ଲୋକ ବିରୋଧ କରିବାରୁ ସେମାନଙ୍କୁ ବାଇକ୍‌ରେ ଥାନାକୁ ଆସିବା ପାଇଁ ସାଦା ପୋଷାକରେ ଆସିଥିବା ପୁଲିସ ବାବୁ କହିଥିଲେ। ଥାନାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାଳିଗୁଲଜ କରାଯାଇଥିଲା। ଅନ୍ୟ ଦୁଇ ଦଲାଲଙ୍କ କଥା ଅନୁଯାୟୀ ଜମି ବିକ୍ରି କରି ଦେବାକୁ ଚାପ ପକାଯାଇଥିଲା। ତାଙ୍କୁ ଗୋଟିଏ ଜାଗାରେ ନେଇ ବିନା ଫ୍ୟାନ୍‌ରେ ବସାଇ ଦିଆଯାଇଥିଲା। ପରେ ଜଣେ ସ୍ଥାନୀୟ ଲୋକ ପ୍ରତିନିଧି ଓ ତାଙ୍କର କିଛି ସମର୍ଥକ ଥାନାରେ ପହଞ୍ଚି ତାଙ୍କୁ ପୁଲିସ ଉପସ୍ଥିତିରେ ହତ୍ୟା ଧମକ ଦେଇଥିଲେ। 

ଛାନିଆ ହୋଇ ଏସ୍‌ସିବିରେ ଭର୍ତ୍ତି କଲେ ଥାନା କର୍ମଚାରୀ
ଜମି ଦଲାଲଙ୍କ ହାତବାରିସି ସାଜିଛି ଟାଙ୍ଗୀ ପୁଲିସ
ସାଦା ପୋଷାକରେ ଜଗିରହିଛି, ଭୟରେ ପରିବାର

fshhfssfhfh

ଏଭଳି ମାନସିକ ନିର୍ଯାତନାରେ ଥାନାରେ ଅଟକ ଥିବା ବ୍ୟକ୍ତି ଗତକାଲି ସନ୍ଧ୍ୟାରେ ମସ୍ତିଷ୍କଘାତର ଶିକାର ହୋଇଥିଲେ। ତାଙ୍କ ମୁହଁ ବଙ୍କା ହୋଇଯାଇଥିଲା। ଏଭଳି ସ୍ଥିତି ଦେଖି ପୁଲିସ ପରିବାର ‌ଲୋକଙ୍କୁ ଡକାଇବା ସହିତ ପ୍ରଥମେ ଟାଙ୍ଗୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିଥିଲା। ପୁଲିସ‌ ହେପାଜତରେ ଏଭଳି ଘଟିଥିବାରୁ ଟାଙ୍ଗୀ ଥାନା କର୍ମଚାରୀ ସାଦା ପୋଷାକରେ ମେଡିକାଲ୍‌ରେ ଜଗି ରହିଛନ୍ତି। ଏମିତିକି କଥା ବାହାରକୁ ନ ଆଣିବା ପାଇଁ ପୁଲିସ ପୀଡ଼ିତଙ୍କ ପରିବାର ଉପରେ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି। କିନ୍ତୁ ଥାନା ଭିତରେ ଘଟିଥିବା ସମସ୍ତ ଘଟଣା ସିସିଟିଭିରେ ରେକର୍ଡ ଅଛି। 

ଏ ସଂକ୍ରାନ୍ତରେ ଟାଙ୍ଗୀ ଥାନା ଆଇଆଇସି ଶିବପ୍ରସାଦ ଭଦ୍ର ପୀଡ଼ିତଙ୍କୁ ଦୁଇଦିନ ଧରି ଅଣାଯାଇଥିବା ଅଭିଯୋଗକୁ ଅସ୍ବୀକାର କରିଥିଲା ବେଳେ ପୂର୍ବରୁ ତାଙ୍କର ରକ୍ତଚାପ ଥିବାରୁ ଦେହ ଅସୁସ୍ଥ ହୋଇଥିବା କହିଛନ୍ତି। ତାଙ୍କ ନାମରେ ଜମି ସଂକ୍ରାନ୍ତୀୟ କୌଣସି ମାମଲା ନଥିବା କହିଛନ୍ତି। ଅନ୍ୟପଟେ ଚୌଦ୍ବାର ଏସ୍‌ଡିପିଓ ଉମାକାନ୍ତ ନାୟକ ସଂପୃକ୍ତ ବ୍ୟକ୍ତିଙ୍କ ନାମରେ ଏକ ଠକେଇ ମାମଲା ଥିବାରୁ ଥାନାକୁ ଅଣାଯାଇଥିଲା ଏବଂ ଜେରା କରିବା ପାଇଁ ଦୁଇ ଦିନ ପୁଲିସ ଥାନାରେ ରଖିପାରିବ ବୋଲି କହିଛନ୍ତି। ଦୁଇ ପୁଲିସ ଅଧିକାରୀଙ୍କ କଥାରେ ତାଳମେଳ ନ ରହିବା ସଂପୂର୍ଣ୍ଣ ଘଟଣାକୁ ବିବାଦୀୟ କରିଦେଇଛି।