ଯାଜପୁର/ଚଣ୍ଡିଖୋଲ: ପୁଲିସର ଥାର୍ଡ ଡିଗ୍ରି ସହି ନପାରି ବାଲିଚନ୍ଦ୍ରପୁର ଥାନାରେ ଜଣେ ଯୁବକ ବିଷ ପିଇବା ଘଟଣାରେ ଯାଜପୁର ଏସ୍‌ପି ୟଶ୍‌ ପ୍ରତାପ ଶ୍ରୀମଲ୍‌ ଜଣେ ଏସ୍‌ଆଇଙ୍କ ସମେତ ୩ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ତେବେ ଏହି କାର୍ଯ୍ୟାନୁଷ୍ଠାନରେ ପୀଡ଼ିତଙ୍କ ପରିବାର ସନ୍ତୁଷ୍ଟ ନାହାନ୍ତି। ପୀଡ଼ିତ ରବୀନ୍ଦ୍ର ମଲ୍ଲିକଙ୍କ ପତ୍ନୀ ଭାନୁ ମଲ୍ଲିକ ଆଜି ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିବା ସହିତ ପୁଲିସ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଘଟଣା ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୁଲିସ ତରବରିଆ ଭାବେ ତାଙ୍କ ସ୍ବାମୀଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଇଥିଲା। ମାତ୍ର ଚିକିତ୍ସା ସଂପର୍କିତ ଡାକ୍ତରୀ ପରାମର୍ଶ (ପ୍ରେସ୍‌କ୍ରିପ୍‌ସନ୍‌) ବା ଡିସ୍‌ଚାର୍ଜ ରିପୋର୍ଟ ତାଙ୍କୁ ଦେଇନଥିବା ଭାନୁ ଅଭିଯୋଗ କରିଛନ୍ତି। ଏପରିକି ଫେରିବା ବାଟରେ ତାଙ୍କ ସ୍ବାମୀଙ୍କୁ ଛତିଆ ନିକଟ ଏକ ନିଛାଟିଆ ଜଙ୍ଗଲ ରାସ୍ତାରେ ରଖି ସେଠାରେ କିଛି କାଗଜରେ ଜୋରଜବରଦସ୍ତ ଦସ୍ତଖତ କରାଇ ନେଇଥିବା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଖାଲି ସେତିକି ନୁହେଁ, ବାଲିଚନ୍ଦ୍ରପୁର ଥାନାକୁ ଆଣିବା ପରିବର୍ତ୍ତେ ବୈରୀ ଥାନାକୁ ଆଣି ସେଠାରେ ମଧ୍ୟ ଆଉଥରେ ଦସ୍ତଖତ ନେଇଥିବା ଅଭିଯୋଗ କରିଛନ୍ତି। ପୁଲିସ ମାମଲାକୁ ରଫାଦଫା କିମ୍ବା ପୁଲିସ ବିରୋଧରେ ଆସିଥିବା ଅଭିଯୋଗକୁ ମିଥ୍ୟା ପ୍ରମାଣିତ କରିବାକୁ ଏଭଳି ଷଡ୍‌ଯନ୍ତ୍ର ହୋଇଥାଇପାରେ ବୋଲି ସନ୍ଦେହ ସୃଷ୍ଟି ହୋଇଛି।