ରାଉରକେଲା: ପୁଲିସ ବିଭାଗର ସଂଖ୍ୟାଧିକ କର୍ତ୍ତବ୍ୟନିଷ୍ଠ ଅଧିକାରୀଙ୍କ ବାହାରେ ବର୍ଦ୍ଦିର ତାଉ ଦେଖାଉଥିବା କିଛି ଥାନାବାବୁ ମଧ୍ୟ ଅଛନ୍ତି। ଏଥିପାଇଁ  ବଦନାମ ହେଉଛି ରାଜ୍ୟର ସମଗ୍ର ପୁଲିସ ବ୍ୟବସ୍ଥା। ଫଳରେ ପୁଲିସ ଉପରୁ ସାଧାରଣ ଲୋକଙ୍କ ଆସ୍ଥା ଓ ଭରସା ତୁଟି ଯାଉଛି। ବଣାଇ ଥାନା ଅଧିକାରୀଙ୍କ ଠିକ୍ ଏହିଭଳି ନିୟମ ବିରୋଧୀ କାମ ସାରା ସୁନ୍ଦରଗଡ଼ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏକ ଚୋରି ମାମଲା ସନ୍ଦେହରେ ଗତକାଲି ଜଣେ ସିକିଲସେଲ୍‌ ରୋଗୀଙ୍କୁ ପୁଲିସ ଥାନାକୁ ଡାକି ମାଡ଼ ମାରି ଗୁରୁତର କରିବାର ଗୁରୁତର ଅଭିଯୋଗ ହୋଇଛି। ତା’ ପୁଣି ୫ କି ୧୦  ଲାଠି ନୁହେଁ, ୨୦ରୁ ୩୦ ଲାଠିର ନିସ୍ତୁକ ପ୍ରହାର! ଲାଠି ପ୍ରହାର ପରେ ଯୁବକଙ୍କୁ ରାତି ପ୍ରାୟ ୧୦ଟାରେ ଧମକ ଚମକ ଦେଇ ଥାନାକୁ ବିଦା କରି ଦିଆ ଯାଇଥିଲା। ମାଡ଼ଖାଇ ପରେ ସିକିଲସେଲ୍‌ ରୋଗରେ ଆକ୍ରାନ୍ତ ଏହି ଅସୁସ୍ଥ ଯୁବକଙ୍କ ଅବସ୍ଥା ଆହୁରି ଗୁରୁତର ହୋଇ ଯାଇଥିଲା। ତାଙ୍କ ପଛପାର୍ଶ୍ବ ଦୁଇ ଜଙ୍ଘକୁ ଲାଠିରେ ନିସ୍ତୁକ ମାଡ଼ ମରାଯାଇଥିବାରୁ ଗୁରୁତର ଅବସ୍ଥାର ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ପରିବାର ଲୋକେ ଭର୍ତ୍ତି କରିଛନ୍ତି। ପୁଲିସ ଆତଙ୍କର ଶିକାର ହୋଇଥିବା ଏହି ସିକିଲସେଲ୍‌ ରୋଗୀଙ୍କ ମା’  ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ ଏ ସଂକ୍ରାନ୍ତରେ ବଣାଇ ଅତିରିକ୍ତ ଏସ୍‌ପି ଏସ୍‌ଏମ୍‌ ରେହମାନଙ୍କୁ ପଚାରିବାରେ ସେ କହିଛନ୍ତି, ଥାନା ଅଧିକାରୀଙ୍କ ଏଭଳି କାର୍ଯ୍ୟ ସମ୍ପର୍କରେ ସେ ଅବଗତ ନାହାନ୍ତି। ଥାନାରେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତଦନ୍ତ କରୁଛନ୍ତି  ବୋଲି ସେ କହିଛନ୍ତି।

Advertisment

ଅଭିଯୋଗ ଅନୁସାରେ, ବଣାଇ ଥାନା ଅନ୍ତର୍ଗତ ନରେନ୍ଦ୍ରରେ ରହନ୍ତି ଚିନ୍ମୟ କୁମାର ସାହୁ। ସେ ନରେନ୍ଦ୍ର ବଜାରର ଏକ ଚପଲ ଦୋକାନରେ କାମ କରନ୍ତି। ଗତକାଲି ମଧ୍ୟ ସେ ଉକ୍ତ ଚପଲ ଦୋକାନରେ କାମ କରୁଥିଲେ, ତେବେ ସନ୍ଧ୍ୟାରେ ବଣାଇଁ ଥାନାବାବୁଙ୍କ ଗାଡି ସେ କାମ କରୁଥିବା ଚପଲ ଦୋକାନରେ ପହଞ୍ଚିଥିଲା। ଜଣଙ୍କ ଘରୁ ‌ସୁଇଚ୍‌ ବୋର୍ଡ ଚୋରି ସନ୍ଦେହରେ ତାଙ୍କୁ ପୁଲିସ ଥାନାକୁ ଉଠାଇ ନେଇଥିଲା। ଥାନା ପଛପାର୍ଶ୍ବରେ ତାଙ୍କୁ ଚୋରି ସଂକ୍ରାନ୍ତରେ ଜେରା କରା ଯାଇଥିଲା। ସେ ସୁଇଚ୍‌ ବୋର୍ଡ ଚୋରି କରି ନଥିବା କହିଥିଲେ। କିନ୍ତୁ ଥାନା ବାବୁ ତାଙ୍କର କୌଣସି କଥାକୁ ଶୁଣି ନଥିଲେ। ହାତରେ ଧରିଥିବା ଲାଠିରେ ତାଙ୍କ ପଛପାର୍ଶ୍ବ ଜଙ୍ଘକୁ ୨୦- ୩୦ ଶକ୍ତ ପ୍ରହାର ଦେଇଥିଲେ। କାକୁତିମିନତି ହୋଇଥିଲେ ହେଁ ଥାନାବାବୁ ତାଙ୍କ କଥାକୁ ଆଦୌ ଶୁଣି ନଥିଲେ, ଲାଠି ପରେ ଲାଠି ମାରିଚାଲିଥିଲେ। ଏସବୁ ଘଟିବା ପରେ ତାଙ୍କୁ ଥାନାବାବୁଙ୍କ ଚାମ୍ବରକୁ ଡକା ଯାଇଥିଲା। ଏହି ବିଷୟରେ କାହାକୁ କିଛି ନ କହିବାକୁ ଥାନାବାବୁ ତାଙ୍କୁ ଧମକଚମକ ଦେଇ ଥାନାରୁ ବିଦା କରି ଦେଇଥିଲେ।