ଫାଣ୍ଡିରେ ବୃଦ୍ଧଙ୍କୁ ଥାର୍ଡ ଡିଗ୍ରି!

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ସାଲେଭଟା ଫାଣ୍ଡି ପୁଲିସ ବିରୋଧରେ ଆଉ ଏକ ସଂଗିନ ଅଭିଯୋଗ ଆସିଛି। ସାଲେଭଟା ଫାଣ୍ଡିରେ ନୂଆଁପାଲି ଗାଁର ଅନିରୁଦ୍ଧ ସାହୁ(୭୦ବର୍ଷ) ନାମକ ଜଣେ ବୃଦ୍ଧ ପୁଲିସ କର୍ମଚାରୀଙ୍କ ମାଡ଼ରେ ଗୁରୁତର ହୋଇଛନ୍ତି। ଅନିରୁଦ୍ଧଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ଆଇସିୟୁରେ ଭର୍ତ୍ତି କରାଯାଇଛି।

ଅଭିଯୋଗରୁ ଜଣାଯାଇଛି ଯେ, ଅନିରୁଦ୍ଧ ଓ ତାଙ୍କ ଭାଇଙ୍କ ଭିତରେ ଜମିଜମା ବିବାଦ ଥିଲା। ଗତ ଗୁରୁବାର ଦିନ ପିତାଙ୍କ ନାଁରେ ଥିବା ଜମି ତାଙ୍କର କହି ଅନିରୁଦ୍ଧ ଫସଲ କାଟିବାକୁ ଯାଇଥିଲେ। ଏ ନେଇ ତାଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଆସି ଅନିରୁଦ୍ଧଙ୍କୁ ଥାନାକୁ ନେଇଥିଲା। ଜମି କାହାର ବୋଲି ଜଣେ ପୁଲିସ କର୍ମଚାରୀ ଅନିରୁଦ୍ଧଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତରରେ ଅନିରୁଦ୍ଧ ତାଙ୍କ ବାପାଙ୍କ ନାଁରେ ଜମି ଅଛି ଓ ସେଥିରେ ତାଙ୍କର ଭାଗ ଅଛି ବୋଲି କହୁକହୁ ମୁହଁରେ ପ୍ରବଳ ମାଡ଼ ମାରିଥିଲେ। ଏଥିରେ ସେ ଅଚେତ ହୋଇପଡ଼ିବା ପରେ ପୁଲିସ ଲୋଇସିଂହା ପ୍ରାଥମିକ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରିଥିଲା। ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଅଣଯାଇଥିଲା। ଏବେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ଅନିରୁଦ୍ଧ। ତାଙ୍କ ଭାଇ ପୁଲିସକୁ ଟଙ୍କା ଦେଇ ତାଙ୍କୁ ମାଡ଼ ମରାଇଥିବା ସେ ଗଣମାଧ୍ୟମକୁ କହିଛନ୍ତି। ଏ ନେଇ ପୁଲିସର ବରିଷ୍ଠ ଅଧିକାରୀମାନଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ପ୍ରତିକ୍ରିୟା ମିଳିପାରି ନାହିଁ।

ଉଲ୍ଲେଖଯୋଗ୍ୟ ଯେ କିଛିଦିନ ପୂର୍ବରୁ ମଧ୍ୟ ବଲାଙ୍ଗୀର ଜିଲ୍ଲାରେ ଏପରି ଏକ ଘଟଣା ଘଟିଥିଲା। ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡ଼ା ଫାଣ୍ଡିରେ ଥାର୍ଡଡିଗ୍ରି ପ୍ରୟୋଗ କରି ଜଣେ ବ୍ୟକ୍ତିଙ୍କୁ ମାଡ଼ ମରାଯାଇଥିବା ଅଭି‌ଯୋଗ ହୋଇଥିଲା। ଉକ୍ତ ଘଟଣାରେ ଫାଣ୍ଡି ଅଧିକାରୀ ସରୋଜ ରଥଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଥିଲା। ଏବେ ପୁଣି ସେପରି ଘଟଣା ଘଟିଥିବାରୁ ଜିଲ୍ଲାସାରା ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର