ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ! ପତ୍ନୀଙ୍କ ସାମ୍ନାରେ ଲାଠିରେ ପିଟିଲେ, ହାତ ଭାଙ୍ଗିଦେଲେ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ହାତୀବାରି ଥାନାରେ ଜଣେ ଯୁବକଙ୍କୁ ଉଠାଇ ନେଇ ଥାର୍ଡ ଡିଗ୍ରୀ। ଏହି ଯୁବକ ହେଲେ, ହାତୀବାରି ଓଲାଣୀ ପୋଡାଟୋଲା ଆଦିତ୍ୟ ମିଶ୍ରା (୨୬)। ପୁଲିସର ଲାଠିମାଡ଼ରେ ତାଙ୍କ ବାମହାତ ଭାଙ୍ଗିଯାଇଛି। ତାଙ୍କ ସମ୍ବେଦନଶୀଳ ଅଙ୍ଗରେ ମଧ୍ୟ ଆଘାତ ଲାଗିଛି। ଏ ନେଇ ସେ ଆଜି ବୀରମିତ୍ରପୁର ଏସ୍‌ଡିପିଓ ମାନସ ରଞ୍ଜନ ପ୍ରଧାନଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି।

ଆଦିତ୍ୟ ଅଭିଯୋଗରେ ଦର୍ଶାଇଛନ୍ତି, ସେ ବେଙ୍ଗାଲୁରୁର ଏକ ଚପଲ କମ୍ପାନୀରେ ସୁପରଭାଇଜର କାମ କରନ୍ତି। ପତ୍ନୀ ୫ ମାସର ଗର୍ଭବତୀ ଥିବାରୁ ଦେଖାଶୁଣା ପାଇଁ ଚଳିତ ମାସ ପ୍ରଥମ ସପ୍ତାହରେ ଘରକୁ ଛୁଟିରେ ଆସିଥିଲେ। ଗତ ୧୮ ତାରିଖ ସଂଧ୍ୟାରେ ହାତୀବାରି ଟାଉନକୁ ଦୁଗ୍ଧ ଆଣିବାକୁ ଯାଇଥିଲେ। ଦୁଗ୍ଧ ନେଇ ମୋଟରବାଇକ୍‌ରେ ଘରକୁ ଫେରୁଥିଲେ। ରାଜାବସ୍ତି ନିକଟରେ ସମ୍ମୁଖରେ ଆସୁଥିବା ଗାଡିର ଲାଇଟ୍‌ ଆଖିରେ ପଡିବାରୁ ନିୟନ୍ତ୍ରଣ ହରାଇ ମୋଟବାଇକକୁ କାର୍‌ ସହ ଧକ୍କା ଦେଇଥିଲେ। ଭୁଲ୍‌ ଥିବାରୁ ତାଙ୍କୁ ସ୍ଥାନୀୟ ଲୋକ ଘେରି ଗାଳିଗୁଲଜ୍‌ କରିବା ସହ ମାଡ଼ ମାରିଥିଲେ। ହଠାତ୍‌ ସାଧା ପୋଷାକରେ ଥିବା ଜଣେ ପୁଲିସ ବାବୁ ପହଞ୍ଚି ତାଙ୍କୁ ଚାପୁଡା ମାରିଥିଲେ। ସାଧା ପୋଷାକରେ ଥିବାରୁ ପୁଲିସକୁ ବୋଲି ଚିହ୍ନି ନ ପରିବାର ସେ ଠେଲି ଦେଇଥିଲେ। ତାଙ୍କର ମାତ୍ର ଏତିକି ଦୋଷ ଥିଲା। ପ୍ରତିବାଦରେ ପୁଲିସ ବାବୁ ତାଙ୍କୁ ଜୋରଜବରଦସ୍ତ ଗାଡ଼ିରେ ବସାଇ ଥାନାକୁ ନେଇଯାଇଥିଲେ। ଥାନା ଭିତରେ ଦୁଇ ପୁଲିସ କର୍ମଚାରୀ ତାଙ୍କୁ ଜାବୁଡି ଧରିଥିଲେ। ଅନ୍ୟ ଜଣେ ପୁଲିସବାବୁ ତାଙ୍କୁ ଲାଠିରେ ମାଡ଼ ମାରିଥିଲେ। ତେବେ, ତାଙ୍କୁ ଥାନାରେ ମାଡ଼ ମରାଯାଇ ନାହିଁ। କେବଳ ଗାଳିଗୁଲଜ କରି ଛାଡି ଦେଇଥିଲୁ ବୋଲି ହାତୀବାରି ଥାନା ଅଧିକାରୀ ବୀରକିଶୋର ମଲ୍ଳିକ କହିଛନ୍ତି।

ସମ୍ବନ୍ଧିତ ଖବର