ଗୋପାଳପୁର/ଘୁ.ଉଦୟଗିରି : ଗୋପାଳପୁର ଥାନାରେ ଜଣେ ବ୍ୟବସାୟୀଙ୍କୁ ଥାର୍ଡଡିଗ୍ରୀ! ନିଜ ଥାନା ଅଧୀନରେ ହୋଇନଥିଲେ ମଧ୍ୟ ୨୦୦କିମି ଦୂର ରାଇକିଆ ଅଞ୍ଚଳରୁ ଉଠାଇ ଆଣିବା ସହିତ ବ୍ୟବସାୟୀଙ୍କୁ ବେଆଇନ ଭାବେ ଦୁଇଦିନ ଥାନାରେ ରଖିବା ସହିତ ନିସ୍ତୁକ ମାଡ଼ ମାରିଛନ୍ତି। ଗୁରୁତର ଅବସ୍ଥାରେ ସେ ଏବେ ଫୁଲବାଣୀ ସଦର ମହକୁମା ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଏହି ବ୍ୟବସାୟୀ ହେଲେ ସୁମନ୍ କୁମାର ସାହୁ। ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ଓ ରାଇକିଆର ଜଣେ ମହିଳା ସ୍ମୃତିରେଖା ସାହୁଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।
ବ୍ୟବସାୟୀ ସୁମନ କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ସ୍ମୃତିରେଖା ସାହୁ ନାମକ ଜଣେ ମହିଳାଙ୍କ ଠାରୁ ବ୍ୟବସାୟୀ ପାଖାପାଖି ୪ ଲକ୍ଷ ଟଙ୍କା ଧାର ସୂତ୍ରରେ ଆଣିଥିଲେ। ସେ ଶୁଝି ଦେଇଥିଲେ ମଧ୍ୟ ସ୍ମୃତିରେଖା ବାରମ୍ବାର ଟଙ୍କା ପାଇଁ ଦାବି କରି ଆସୁଥିଲେ। ଟଙ୍କା ମିଳିନଥିବା ଅଭିଯୋଗ ଆଣି ସେ ଗୋପାଳପୁର ଥାନାରେ ସୁମନଙ୍କ ନାମରେ ଏତଲା ଦେଇଥିଲେ। ସ୍ମୃତିରେଖାଙ୍କ ଘର ରାଇକିଆ ଅଞ୍ଚଳରେ ହୋଇଥିଲେ ବି ଥାନା ଅଧିକାରୀ ଶ୍ରୀଖମାରୀଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିବାରୁ ସେ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ। ଶ୍ରୀ ଖମାରୀ ବି ପୂର୍ବରୁ ରାଇକିଆ ଥାନାର ଅଧିକାରୀ ଥିଲେ। ସ୍ମୃତିରେଖାଙ୍କ ଲିଖିତ ଏତଲାକୁ ଉଦ୍ଦେଶ୍ୟମୂଳକ ଭବେ ଗ୍ରହଣ କରି ଆଇଆଇସି ଶ୍ରୀ ଖମାରୀ ଗୋପାଳପୁର ଥାନାରେ କେସ୍ ନଂ-୨୪୮/୨୨ରେ ଏକ ମାମଲା ରୁଜୁ କରିଥିଲେ। ଏହି ମାମଲାର ତଦନ୍ତ ଦାୟିତ୍ବ ଗୋପାଳପୁର ଥାନା ଏଏସ୍ଆଇ ବି.ତିରୁପତି ରାଓଙ୍କୁ ଦେଇଥିଲେ।
ଏହି ମାମଲାକୁ ଆୟୁଧ କରି ଆଇଆଇସି ଶ୍ରୀଖମାରୀଙ୍କ ନିର୍ଦ୍ଦେଶକ୍ରମେ ପୁଲିସ୍ର ଏକ ଟିମ୍ ସୁମନଙ୍କୁ ଉଠାଇ ଆଣି ଥାନା ଭିତରେ ନିର୍ଯାତନା ଦେଇଥିଲେ। ଥାନାଧିକାରୀ ଏବଂ ଜଣେ ଗୃହରକ୍ଷୀଙ୍କ ନିସ୍ତୁକ ମାଡ଼ରେ ସୁମନ ଆହତ ହୋଇଥିଲେ। ଆହତ ଅବସ୍ଥାରେ ପ୍ରଥମେ ସୁମନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପରେ ଫୁଲବାଣୀ ସଦର ମହକୁମା ଜିଲ୍ଲା ଚିକିତ୍ସାଳୟରେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି।
ଏ ନେଇ ପତ୍ନୀ ସୁଭଦ୍ରା କୁମାରୀ ଚନ୍ଦନଙ୍କ ଅଭିଯୋଗ ପରେ ଉଭୟ ବ୍ରହ୍ମପୁର ଏସ୍.ପି. ଡା. ଶରବଣା ବିବେକ ଏମ୍ ଓ କନ୍ଧମାଳ ଏସ୍.ପି ଭିନୀତ୍ ଅଗ୍ରୱାଲ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ଓ ରାଇକିଆର ଜଣେ ମହିଳା ସ୍ମୃତିରେଖା ସାହୁଙ୍କ ବିରୋଧରେ ମାମଲା ରୁଜୁ ପାଇଁ କନ୍ଧମାଳ ରାଇକିଆ ଥାନା ଅଧିକାରୀଙ୍କୁ ତୁରନ୍ତ ନିର୍ଦ୍ଦେଶ ଦେଇଥିଲେ। ରାଇକିଆ ଥାନାରେ ଉଭୟ ଖମାରୀ ଓ ସ୍ମୃତିରେଖାଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।
ଏପଟେ କନ୍ଧମାଳ ଏସ୍.ପିଙ୍କ ଆଡୁ ମିଳିଥିବା ତଥ୍ୟ ଓ ଅନୁଧ୍ୟାନ ଆଧାରରେ ବ୍ରହ୍ମପୁର ଏସ୍.ପି ଡା.ଶରବଣା ବିବେକ୍ ଏମ୍. ମଧ୍ୟ ତୁରନ୍ତ ଗୋପାଳପୁର ଥାନା ଆଇଆଇସି ଶ୍ରୀ ଖମାରୀଙ୍କୁ ଥାନାରୁ ହଟାଇ ନେଇ ତାଙ୍କ ସ୍ଥାନରେ ସୋନପୁର ସାମୁଦ୍ରିକ ଥାନା ଆଇଆଇସି ଶାରଦା ପ୍ରସାଦ ଦାଶଙ୍କୁ ଗୋପାଳପୁରରେ ଅବସ୍ଥାପିତ କରିଛନ୍ତି। ତେବେ, ଶ୍ରୀ ଖମାରୀ ଅଭିଯୋଗକୁ ଖଣ୍ଡନ କରିଛନ୍ତି।