ବାଙ୍କୀ: ବାଙ୍କୀ ମହୋତ୍ସବର ତୃତୀୟ ସନ୍ଧ୍ୟା ଉତ୍ସବ ଆଜି କଚେରି ପଡ଼ିଆଠାରେ ସଭାପତି ତଥା ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ ବାଙ୍କୀ ମହୋତ୍ସବ ଏକ ଗଣତାନ୍ତ୍ରିକ ପର୍ବରେ ପରିଣତ ହୋଇଛି ବୋଲି କହିଥିଲେ। ରାଜନୀତିକୁ ଘୃଣା କଲେ ଆମେ ଚଳିପାରିବା ନାହିଁ। ତେଣୁ ରାଜନୀତିକୁ ଘୃଣା କରନ୍ତୁ ନାହିଁ ବୋଲି ସେ କହିଥିଲେ। ଏହି ଅବସରରେ ସେ ପିଲାମାନଙ୍କୁ ୫ଟି ମ ତଥା ମା’କୁ ସମ୍ମାନ, ମାଟିକୁ ସମ୍ମାନ, ମାତୃଭାଷାର ସମ୍ମାନ, ମୋବାଇଲ୍ର ସଦୁପଯୋଗ ଓ ମଦମୁକ୍ତ ଓଡ଼ିଶା ସମ୍ପର୍କରେ କହିବା ସହ ଗର୍ବ ଓ ଅହଙ୍କାର ପରିତ୍ୟାଗ କରିବାକୁ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ମୃତ୍ୟୁଞ୍ଜୟ ରଥ ଯୋଗଦେଇ ଇଷ୍ଟଦେବୀ ମା’ ଚର୍ଚ୍ଚିକାଙ୍କ କୃପାରୁ ବାଙ୍କୀରେ ବହୁ କୃତବିଦ୍ୟ ସନ୍ତାନ ଜନ୍ମ ହୋଇ ସାରା ରାଜ୍ୟରେ ପ୍ରତିଷ୍ଠା ଲାଭ କରିଛନ୍ତି ବୋଲି କହିଥିଲେ। ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ମହୋତ୍ସବର ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ କଟକର ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ, ଜିଲ୍ଲା ପରିଷଦ ସଦସ୍ୟ ଅଶିଷ କୁମାର ସାହୁ, ବାଙ୍କୀ ବିଡିଓ ସଂଗ୍ରାମ କେଶରୀ ଭୋଳ, ମହୋତ୍ସବର ଉପସଭାପତି ସନାତନ ବେହେରା, ଅନୁପ ବଥୁଆଲ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଉପସଭାପତି ତଥା ଡମପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ସଂପାଦକ ଡକ୍ଟର ଗଣେଶ୍ୱର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବାଙ୍କୀ କଳା, ସାହିତ୍ୟ ଓ ସଂସ୍କୃତି ପରିଷଦର କଳାକାରମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ। ଅନ୍ୟତମ ଉପସଭାପତି ସୌମେନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବାଙ୍କୀ ଓ ବାରଙ୍ଗ ଅଞ୍ଚଳର ବହୁ ପ୍ରତିଭାଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।