ବରଗଡ଼:  ବରଗଡ଼ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଆୟୋଜିତ ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ  ସଂଚାର କଳା ଓ ସମ୍ବଲପୁରୀ ପାଣ୍ଡୱାନି ସଂଗୀତ ପୁଣି ଜୀବନ୍ତ ହୋଇଛି। ଅଧ୍ୟାପିକା ଜୟଶ୍ରୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରଥମ କାର୍ଯ୍ୟକ୍ରମରେ ସଂଚାର କଳା ପ୍ରଦର୍ଶନ କରିଥିଲେ  ମହିଳା ସଂଚାର କଳାକାର ଜୟନ୍ତୀ ଦୀପ ଓ ତାଙ୍କର ସାଥୀମାନେ। ପଶ୍ଚିମ ଓଡ଼ିଶାର ଏହି ଲୋକନୃତ୍ୟ ପରମ୍ପରାକୁ ଉପସ୍ଥିତ ଦର୍ଶକ ବେଶ୍‌ ଉପଭୋଗ କରିଥିଲେ। ପରେ ଗୁରୁ ଅଲେଖ ସାହୁ  ସଂଚାର କଳା ପ୍ରଦର୍ଶନ କରିଥିଲେ।

Advertisment

ଏହାପରେ ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ କଳାକାର ପୁଷ୍ପା ବେହେରା ଓ ନାଟ୍ୟଶ୍ରୀ ବିପିନ ବିହାରୀ ଦାଶଙ୍କ ସାଂସ୍କୃତିକ ଦଳ ସମ୍ବଲପୁରୀ ପାଣ୍ଡୱାନି ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଛତିଶଗଡ଼ର ପାଣ୍ଡୱାନି ଗାୟିକା ପଦ୍ମଶ୍ରୀ ତିଜନ ବାଇଙ୍କ ଦ୍ଵାରା ରାମାୟଣ, ମହାଭାରତକୁ  ପାଣ୍ଡୱାନି ଗୀତ ମାଧ୍ୟମରେ ପରିବେଷଣ କରାଯାଇଥିଲା। ପୌରାଧ୍ୟକ୍ଷା କଳ୍ପନା ମାଝୀ ଅତିଥି ଭାବରେ ଯୋଗଦେଇ  କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ।  କାର୍ଯ୍ୟକ୍ରମକୁ ପାଠାଗାର ସଭାପତି ବିମ୍ବାଧର କୁଁଅର, ଅବସରପ୍ରାପ୍ତ ଅଧ୍ୟାପକ ସନ୍ତୋଷ ପଣ୍ଡା  ଉଦ୍‌ଘାଟନ କରିଥିଲେ।  ସରସ୍ଵତୀ ଶିଶୁମନ୍ଦିର ଓଡ଼ିଆ ବିଭାଗର ଛାତ୍ରଛାତ୍ରୀ ନାଟିକା 'ଫେର ଗୁଟେ ରେବତୀ' ସହ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ପୁଲିସ ପ୍ରଶାସକ ରତ୍ନାକର ଦେବତାଙ୍କ ରଚିତ ପୁସ୍ତକ  ଶ୍ରୀ ଗୁରୁ ଗୀତା ଓ ଶ୍ରୀ ସତ୍ୟନାରାୟଣ ବ୍ରତ କଥା ଉନ୍ମୋଚନ ହୋଇଥିଲା।