ସମ୍ବଲପୁର: ଆଜି ଥିଲା ସମ୍ବଲପୁର ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟା। ସମ୍ଭବତଃ ରବିବାର ଛୁଟିଦିନ ଥିବାରୁ ଲୋକ ମହୋତ୍ସବରେ ପୂର୍ବ ଦୁଇ ଦିନ ତୁଳନାରେ ଆଜି ଲୋକଙ୍କ ଭିଡ଼ ଅଧିକ ରହିଥିଲା। ପ୍ରବଳ ଥଣ୍ଡା ହେଉଥିଲେ ବି ଏହାକୁ ଖାତିର ନକରି ଖୋଲା ଆକାଶ ତଳେ ଦର୍ଶକମାନେ ଲୋକଗୀତ ଆଉ ନୃତ୍ୟର ବେଶ୍‌ ଆନନ୍ଦ ନେଇଥିଲେ। ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ସୁନ୍ଦର ପ୍ରଦର୍ଶନରେ ଏମିତି ମଜ୍ଜି ଯାଇଥିଲେ‌ ‌ଯେ ଲୋକଙ୍କୁ ଥଣ୍ଡା ଆଦୌ ଜଣାପଡ଼ିନଥିଲା। ଦୁଇ ପ୍ରତିଭାବାନ୍ କ‌ଣ୍ଠଶିଳ୍ପୀ ସୌରଭ ଷଡ଼ଂଗୀଙ୍କ ‘ମୁହଲ ଝାରେ..’ ଆଉ ରାଜକୁମାର ଜାଲ୍‌ଙ୍କ ‘ମହୁଲ ଫୁଲର ବାସ’ ଗୀତ ଲୋକଙ୍କ ହୃଦୟକୁ ଜିତି ନେଇଥିଲେ। ଜଣାଶୁଣା କଣ୍ଠଶିଳ୍ପୀ ନବ ମହତ୍ତମଙ୍କ ‘ ଆଗରେ ବଲିଆ...’ ଗୀତରୁ ଆରମ୍ଭ ହୋଇଥିବା ଆଜି ସାଂସ୍କୃତିକ କାର୍ଯ୍ୟକ୍ରମରେ ରେଶମାରାଣୀ ଦାଶଙ୍କ ‘ଦୁତି ଚାଲି ଆସେ..’ ଗୀତର ତାଳେ ତାଳେ ନୃତ୍ୟ ଏବଂ ସ୍ମିତିକା ମିଶ୍ରଙ୍କ ‘ଝୁମ୍‌ ଝୁମ୍‌ ବାଜେ..’ ଗୀତ ବି ଚିତ୍ତାକର୍ଷକ ହୋଇଥିଲା। ଲୋକଗୀତ ଭଳି ଲୋକନୃତ୍ୟ କାର୍ଯ୍ୟକ୍ରମ ବି ବେଶ୍‌ ଜମି ଥିଲା। ଶ୍ରୀଲଙ୍କାର କଳାକାରମାନେ ତାଙ୍କ ଦେଶର ପାରଂପରିକ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରି ଦେଇଥିଲେ। ସମ୍ବଲପୁରର ‘ଉକିଆ’ ଅନୁଷ୍ଠାନର ସମ୍ବଲପୁରୀ, ନାକଟିଦେଉଳର କଳାକାରମାନେ ପଥୁରିଆ ଦଣ୍ଡନୃତ୍ୟ ଓ ମାନେଶ୍ବରର କଳାକାରମାନେ ସଂଚାର ପରିବେଷଣ କରିଥିଲେ। ସେହିପରି ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରମାନଙ୍କ ଦ୍ବାରା ପରିବେଷିତ ଲାବଣୀ, ନୌରୁତା, ଘୁମର, ଭାଂଗଡ଼ା, ବିହୁ, ପଶୁନୃତ୍ୟ, ଲମ୍ବାଡ଼ି, ଦୁରୁଆ ନୃତ୍ୟ, ଛଉ ଆଦି ଲୋକଙ୍କ ବେଶ୍‌ ପସନ୍ଦ ଆସିଥିଲା।

Advertisment

ଲୋକ ମହୋତ୍ସବର ଆଲୋଚନାଚକ୍ର

ଆଜି ଲୋକ ମହୋତ୍ସବ ଅବସରରେ ଏଥରର ପ୍ରଥମ ଆଲୋଚନାଚକ୍ର ଡ. ଦ୍ବାରିକାନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ‘ଲୋକ ସାହିତ୍ୟର ବିଭବ’ ଶୀର୍ଷକ ଉପରେ ଆଲୋଚନା ହୋଇଥିଲା। ଏଥିରେ ଉତ୍ପନ୍ନ କୁମାର ଭୋଇ ‘ଲୋକକଥା’, ଦୀପାଲି ଚୌଧୁରୀ ‘ଲୋକବାଦ୍ୟ’, ସୁଶାନ୍ତ ମିଶ୍ର ‘ଲୋକଗୀତ’ ଏବଂ ରତନ ପୂଜାରୀ ‘ଲୋକଗୀତର ବ୍ୟାକରଣ’ ଉପରେ ଆଲୋକପାତ କରିଥିଲେ। ଅଧ୍ୟାପକ ମୋହନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ବିତୀୟ ଅଧିବେଶନରେ ‘ବଜନିଆ’ ଶୀର୍ଷକ ଉପରେ ଆଲୋଚନା ହୋଇଥିଲା। ଡ. ପରମେଶ୍ୱର ମୁଣ୍ଡ ଓ ବିପିନ ବିହାରୀ ଦାସ ଆଲୋଚକ ଭାବେ ଯୋଗ ଦେଇଥିଲେ। ଆଲୋଚନାଚକ୍ର ଉପସମିତିର ଆବାହକ ଅତିଶ ଶତପଥୀ ସଭା ପରିଚାଳନା କରିଥିଲେ। ସୋମବାର ଅପରାହ୍‌ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ବିର୍ସାମୁଣ୍ଡା ମଇଦାନର ସମ୍ମିଳନୀ କକ୍ଷରେ ‘ଲୋକ ସଂସ୍କୃତି ଓ ଗଣମାଧ୍ୟମ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହେବ।

ଆପଣ୍ ଗୌନ୍ତିଆ ମୁଇଁ ପ୍ରଜା : ମନ୍ତ୍ରୀ ପୂଜାରୀ

ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କ ଉଦ୍ଦେଶ୍ୟରେ ଶ୍ରୀ ପୂଜାରୀ କହିଲେ, ‘ଆଜ୍ଞା ଆପଣ୍ ଗୌନ୍ତିଆ ଆଉର୍ ମୁଇଁ ମନ୍ତ୍ରୀ ହୋଇଥିଲେ ପ୍ରଜା ଆଏ’। ମନ୍ତ୍ରୀ ଶ୍ରୀ ପୂଜାରୀ ଆଜି ତାଙ୍କ ହୃଦୟର ଅନେକ କଥା କହି ପକାଇଥିଲେ। ସେ କହିଲେ, ଅନେକ ଲୋକ ତାଙ୍କୁ ସ୍ବଘୋଷିତ ଚାଷୀ ବୋଲି କହିଥାନ୍ତି। କିନ୍ତୁ, ବାସ୍ତବରେ ସେଇୟା ନୁହେଁ। ସେ ବାସ୍ତବରେ ସେ ହେଉଛନ୍ତି ଚାଷୀ ଘରର ପିଲା। ତାଙ୍କ ପୂର୍ବପୁରୁଷରେ କେହି ବିଧାୟକ କି ମନ୍ତ୍ରୀ ନଥିଲେ। ସବୁବେଳେ ଚାଷୀ ଓ ଚାଷର ଉନ୍ନତି ପାଇଁ ସେ କାମ କରିଥାନ୍ତି। କୃ‌ଷକର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ପଞ୍ଚମ ପାଳି ହୋଇଥିବା ବେଳେ ସେ ଗତ ୨୪ ବର୍ଷ ହେଲା ତାଙ୍କ ସାଂଗରେ ରହି ଆସିଛନ୍ତି। ଏଥରକୁ ମିଶାଇ ଦୁଇ ଦୁଇ ଥର ତାଙ୍କୁ ଅର୍ଥମନ୍ତ୍ରୀ ଦାୟିତ୍ବ ମିଳିଛି। ତେବେ, ଏହା ପଛରେ ସମ୍ବଲପୁର ଆଉ ଜିଏମ୍‌ କଲେଜର ଯଥେଷ୍ଟ ଅବଦାନ ରହିଛି। ବହୁ ବର୍ଷ ମୋର ସମ୍ବଲପୁର ବିତିଛି।

publive-image

ଆଗରୁ ସମ୍ବଲପୁରରେ ‌ଫୁଟବଲ ଖେଳ ବହୁତ ଚାଲିଥିଲା। ମୁଁ ମେହେର ଆସୋସିଏସନ୍ ଫୁଟବଲ ଦଳ ସହିତ ଖେଳୁଥିଲେ। ସେତେବେଳେ ଆମକୁ ସମ୍ବଲପୁରର ଲୋକେ ଫୁଟବଲ ଖେଳ ପାଇଁ ଜାଣୁଥ‌ିଲେ ବୋଲି ଶ୍ରୀ ପୂଜାରୀ କହିଥିଲେ। ନିଜ ଭାଷଣରେ ଅନେକ ଥର ଛାତ୍ର ଜୀବନର କଥା କହିବା ସହିତ ସେହି ସମୟରେ ଅନେକ ସାଥୀ ଫୁଟବଲ ଖେଳାଳିଙ୍କୁ ବି ସେ ସ୍ମରଣ କରିଥିଲେ। ‌ଲୋକ ମହୋତ୍ସବ ଲୋକକଳା ଓ ଲୋକନୃତ୍ୟଙ୍କୁ ଉଜ୍ଜ୍ବୀବିତ କରୁଥିବାରୁ ବନ୍ଦ ହୋଇ ଯାଇଥିବା କୁଚିଣ୍ଡା ‌ମହୋତ୍ସବ ପୁଣି ଆରମ୍ଭ କରିବାକୁ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଏହି ଅବସରରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ‌ଲୋକ ମହୋତ୍ସବ ସମୟରେ କେବଳ କଳା ଓ କଳାକାରଙ୍କ କଥା ମନେ ପକାଇଲେ ହେ‌ବ ନାହିଁ, ଅଭାବ ଅନଟନରେ ଥିବା କଳାକାରଙ୍କ କଥା ବି ବୁଝିବା ପାଇଁ କହିଥିଲେ। ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ଅଜାମ୍ବର ମହାନ୍ତି, ଲୋକ ମହୋତ୍ସବର ସଂଯୋଜକ ରଂଜନ ସାହୁ ମଧ୍ୟ ବକ୍ତବ୍ୟ ରଖିଥିଲେ। ଲୋକ ମହୋତ୍ସବର ନୋଡାଲ ଅଫିସର ଏସ୍ଏମ୍‌ସି କମିସନର ପ୍ରଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଦୀପକ କୁଲୁ ମଧ୍ୟ ମଂଚାସୀନ ଥିଲେ।

publive-image

ଅର୍ଥମନ୍ତ୍ରୀ ହେଲେ କାଏଁ ହେବା ?

ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଲୋକ ମହୋତ୍ସବରେ ତାଙ୍କ ଭାଷଣରେ ଅତ୍ୟନ୍ତ ବିନମ୍ରତାର ସହିତ କହିଲେ, ସେ ଆଜି ଯେଉଁଠି ପହଂଚିଛନ୍ତି, ସେଥିରେ ସମ୍ବଲପୁର ସହର ଓ ଜିଏମ୍ କଲେଜ ଯଥେଷ୍ଟ ଅବଦାନ ରହିଛି। ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଦୁଇ ଦୁଇ ଥର ଅର୍ଥମନ୍ତ୍ରୀ ଦାୟିତ୍ବ ମିଳିଛି। ୧୯୯୯ ମସିହାରେ ଓଡ଼ିଶାର ଅର୍ଥନୀତି ଦେଶର ରାଜ୍ୟମାନଙ୍କ ମଧ୍ୟରେ ୩୦ ନମ୍ବର ସ୍ଥାନରେ ରହିଥିଲା। ଏବେ କିନ୍ତୁ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ଅର୍ଥନୀତି ଦେଶରେ ୧ ନମ୍ବରରେ ରହିଛି ବୋଲି କହି ମନ୍ତ୍ରୀ ଶ୍ରୀ ପୂଜାରୀ ରାଜ୍ୟ ସରକାରଙ୍କ ସଫଳତାର କଥା କହିଥିଲେ।‌ ତେବେ, ଏଭଳି ଭାଷଣ ଶୁଣିବା ପରେ ‘ଅର୍ଥମନ୍ତ୍ରୀ ହେଲେ କାଏଁ ହେବା, ସମ୍ବଲପୁରର୍‌ ବିକାଶ ଲାଗି ତ ଆପଣକଁର୍‌ ସରକାର୍ ଅର୍ଥ ନାଇଁ ଦେବାର୍’ ବୋଲି କେତେକ ଦର୍ଶକ ନିଜ ମଧ୍ୟରେ ଆଲୋଚନା କରୁଥିବା ଶୁଣିବାକୁ ମିଳିଥିଲା। ସମ୍ବଲପୁରର ଅନେକ ପ୍ରସ୍ତାବିତ ବିକାଶ ପ୍ରକଳ୍ପ ଅଟକି ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷଣା କରାଯାଇଥିବା ଅନେକ ପ୍ରକଳ୍ପ ପାଇଁ ବି ଟଙ୍କା ଏପର୍ଯ୍ୟନ୍ତ ଆସିନାହିଁ ଏବଂ ଆହୁରି କିଛି ପ୍ରକଳ୍ପ ଶୀତଳଭଣ୍ଡାରକୁ ଠେଲି ଦିଆଯାଇଥିବା ସଂପର୍କରେ ସେମାନେ ଆଲୋଚନା କରୁଥିବା ଶୁଣିବାକୁ ମିଳିଥିଲା।