ସମ୍ବଲପୁର: ହୀରାଖଣ୍ଡ ନାଟ୍ୟମହୋତ୍ସବର ତୃତୀୟ ସନ୍ଧ୍ୟାରେ ରବିବାର କୋଲକାତାର କଲ୍ପନ୍ ପକ୍ଷରୁ ପରିବେଷିତ ହୋଇଥିଲା ନାଟକ ‘ଏକାକୀତ୍ତେର ଦିନୋଲିପି’। ଦେବେଶ ଠାକୁରଙ୍କ ଦ୍ୱାରା ରଚିତ ତଥା କଳ୍ପନା ବରୁଆଙ୍କ ନିର୍ଦ୍ଦେଶିତ ଏହି ନାଟକ ମହାଭାରତର ନାରୀ ଚରିତ୍ରମାନଙ୍କ ଅକୁହା ବେଦନା ତଥା ତାଙ୍କ ଜୀବନରେ କୃଷ୍ଣଙ୍କ ଭୂମିକାକୁ ଉପସ୍ଥାପନ କରିଥିଲା। ନାଟକର ଆରମ୍ଭ ଅଭିମନ୍ୟୁର ବିଧବା ଗର୍ଭବତୀ ସ୍ତ୍ରୀ’ ଉତ୍ତରାଙ୍କଠୁ ଆରମ୍ଭ ହୋଇଥିଲା। ସେ ନିଜ ସ୍ୱାମୀଙ୍କ ମୃତ୍ୟୁ ପାଇଁ କୃଷ୍ଣଙ୍କୁ ଉତ୍ତରଦାୟୀ କରିଥିଲେ। ଧର୍ମଯୁଦ୍ଧ ନାଁରେ ଅନ୍ୟାୟର ବଶବର୍ତ୍ତୀ ହୋଇଥିବା ଦୁର୍ଯ୍ୟୋଧନର ମୃତ୍ୟୁକୁ ନେଇ ଝିଅ ଲକ୍ଷ୍ମଣା ଏବଂ ସ୍ତ୍ରୀ’ ଭାନୁମତି ଭାଙ୍ଗି ପଡ଼ିଥିଲେ। କୁରୁକ୍ଷେତ୍ରର ମହାଭାରତ ପରି ଏକ ଲୋମହର୍ଷଣକାରୀ ଯୁଦ୍ଧ ପାଇଁ ଶତପୁତ୍ରଙ୍କୁ ହରାଇଥିବା ଗାନ୍ଧାରୀ ଦାୟୀ କରିଥିଲେ କୃଷ୍ଣଙ୍କୁ। କର୍ଣ୍ଣଙ୍କ ବିଧବା ପତ୍ନୀ ପଦ୍ମାବତୀ ଏକ ନିରସ୍ତ୍ର ଯୋଦ୍ଧାକୁ କିପରି କୃଷ୍ଣଙ୍କ ସମ୍ମୁଖରେ ନିଷ୍ଠୁର ଭାବରେ ହତ୍ୟା କରାଗଲା ବୋଲି ତାଙ୍କୁ ପ୍ରଶ୍ନ କରିଥିଲେ। ମହଭାରତ ଯୁଦ୍ଧ କୃଷ୍ଣଙ୍କୁ କରି ଦେଇଛି ଏକାକୀ।
କିନ୍ତୁ କଳ୍ପନା ବରୁଆ ନିଜେ କୃଷ୍ଣଙ୍କ ଆତ୍ମିକ ରୂପରେ ଆବିର୍ଭୁତ ହୋଇଛନ୍ତି ଏବଂ ଅନ୍ୟ ଜଣଙ୍କୁ ସାଂକେତିକ ରୂପରେ ପ୍ରଦର୍ଶିତ କରିଛନ୍ତି। ଏହା ପ୍ରତୀକାତ୍ମକଧର୍ମୀ ବାର୍ତ୍ତା ପ୍ରଦାନ କରିଥିଲା। ସାଧାରଣତଃ ଯେଉଁ ନାରୀମାନେ ମହାଭାରତ ଯୁଦ୍ଧରେ ସ୍ୱାମୀମାନଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ, ମୋହବଶତଃ ପରମେଶ୍ୱରଙ୍କ ଲୀଳାକୁ ବୁଝିପାରି ନଥିଲେ। ତେଣୁ ସେମାନେ ପରମେଶ୍ୱରଙ୍କୁ କେବଳ ମଣିଷ ଭାବରେ ଗ୍ରହଣ କରି ତାଙ୍କ ସମ୍ମୁଖରେ ନିଜର କୋହ ଓ ଶୋକ ପ୍ରଦର୍ଶନ ପୂର୍ବକ ଅଭିଶାପ ମଧ୍ୟ ଦେଇଥିଲେ। ଭଗବାନ ସାଦରେ ସେଗୁଡ଼ିକୁ ଗ୍ରହଣ କରି ଶେଷ ଜୀବନରେ ନିଜେ ମଧ୍ୟ ଅତି ସାଧାରଣ ଜୀବଟିଏ ଭଳି ଶବର ଶରରେ ଦେହତ୍ୟାଗ କରିଥିଲେ। ଏଥିରୁ ଗୋଟିଏ ସନ୍ଦେଶ ମିଳୁଛି ଯେ, ସଂସାରରେ ଯାହା ଘଟେ ସବୁ ଈଶ୍ୱରଙ୍କ ଲୀଳା। ସତ୍ୟର ରକ୍ଷା କରିବା ପାଇଁ ସେ ସବୁ କିଛି କରିପାରନ୍ତି। ହେଲେ ସବୁ କିଛି କରିବା ପାଇଁ ସତ୍ୟକୁ ହତାଦର କରିପାରନ୍ତି ନାହିଁ। ନାଟକର ଆତ୍ମିକ ଆଙ୍ଗୀକ ଦିଗ ଅତି ଚମତ୍କାର ହୋଇଥିଲା।
ନାଟକୀୟ ଉପାଦାନଗୁଡ଼ିକ ନାଟକକୁ ବୁଝିବା ତଥା ଦର୍ଶକଙ୍କୁ ମନୋରଞ୍ଜନ ଦେବାରେ ସହାୟକ ହୋଇଥିଲା। ଉତ୍ସବର ମୁଖ୍ୟ ପୃଷ୍ଠପୋଷକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ବିଧୂଭୂଷଣ ମିଶ୍ରଙ୍କ ଉପସ୍ଥିତିରେ କୁଳସଚିବ ଡ. ନୃପରାଜ ସାହୁ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ। ପରିଚାଳନା କରିଥିଲେ ଅଦୃଶ୍ୟ ନାଟ୍ୟ ଆଶ୍ରମର ନିର୍ଦ୍ଦେଶକ ଅତୀଶ କୁମାର ଶତପଥୀ। ରବିବାର ସନ୍ଧ୍ୟାରେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ, ସମ୍ବଲପୁରର ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ପ୍ରଦୀପ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତିଦିନ ଭଳି ଆଜି ମଧ୍ୟ ନାଟକର ନିର୍ଦ୍ଦେଶକ, ପର୍ଯ୍ୟବେକ୍ଷକ ଓ ସମୀକ୍ଷକମାନଙ୍କୁ ନେଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋହନ ସାହୁ ମୁଖ୍ୟ ପର୍ଯ୍ୟବେକ୍ଷକର ଭୂମିକା ନିର୍ବାହ କରିଥିବାବେଳେ ମନ ମାଷ୍ଟ୍ରେ ସଭାପତିତ୍ୱ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/25-18.jpg)