ଫୁଲବାଣୀ : କନ୍ଧମାଳ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ପଶ୍ଚିମବଙ୍ଗର ପୁରୁଲିଆ ଛଉନୃତ୍ୟ ଏବଂ ରାୟଗଡ଼ାର କନ୍ଧନୃତ୍ୟର ତାଳେତାଳେ ଦର୍ଶକ ଝୁମିଥିଲେ। ପୁରୁଲିଆ ମୁଖାପିନ୍ଧା ଛଉ ନୃତ୍ୟ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ସମାବେଶ ଘଟିଥିଲା। କନ୍ଧମାଳ ଷ୍ଟାଡିୟମ ପଡ଼ିଆରେ ଆୟୋଜିତ କନ୍ଧମାଳ ମହୋତ୍ସବ ଦେଖିବାକୁ ପ୍ରତିସନ୍ଧ୍ୟାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସଂଖ୍ୟାରେ ଦର୍ଶକ ଆସୁଛନ୍ତି। ଗତକାଲି ଆସାମର ବିହୁ ନୃତ୍ୟ, ବୌଦ୍ଧର ମହୁଲବେଟା ନୃତ୍ୟ, ନୟାଗଡ଼ର ପଶୁନୃତ୍ୟ, କଳାହାଣ୍ଡିର ଘୁମୁରା ନାଚ, ବାଲେଶ୍ବରର ଚଢେୟା ଚଢେୟାଣୀ ନୃତ୍ୟ, ମାଲକାନଗିରିର ଦୁରୁଆ ନାଚ ସମେତ ତୁମୁଡ଼ିବନ୍ଧ, ଚକାପାଦ, ଖଜୁରୀପଡ଼ା, ବାଲିଗୁଡ଼ା, ଫୁଲବାଣୀ ବ୍ଲକର ଲୋକନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ଫୁଲବାଣୀ ସହରର ନଟରାଜ କଳାମନ୍ଦିର ଦ୍ବାରା ପ୍ରଦର୍ଶିତ ଓଡ଼ିଶୀ ନୃତ୍ୟ ଦର୍ଶକମାନଙ୍କୁ ବେଶ ଛୁଇଁଥିଲା। ସେହିଭଳି ଆଜି ସନ୍ଧ୍ୟାରେ ମଣିପୁରର ମାର୍ଶାଲ ଆର୍ଟ, ଆସାମର ବିହୁ ନୃତ୍ୟ, ଗଞ୍ଜାମର ଓଡ଼ିଶୀ ନୃତ୍ୟ, ଖୋର୍ଦ୍ଧାର ପାଇକ ଆଖଡ଼ା, ସୁନ୍ଦରଗଡ଼ର ଆଦିବାସୀ ନୃତ୍ୟ ଏବଂ କନ୍ଧମାଳ ଜିଲ୍ଲାର ସ୍ଥାନୀୟ ନୃତ୍ୟ ମଧ୍ୟ ଦର୍ଶକକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା।

Advertisment

ଗତକାଲି ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ, କନ୍ଧମାଳ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲିକ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ପ୍ରତିଦିନ ମହୋତ୍ସବକୁ ବୁଲି ଆସିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବସାଧାରଣଙ୍କ ପାଇଁ ନିଶୁଳ୍କ ବସ୍‌ ସେବାର ଆୟୋଜନ କରାଯାଇଛି। ତିନିଟି ବସ୍‌ ଫୁଲବାଣୀ ସହରର ମାଦିକୁନ୍ଦା ଛକ, ଗୋପବନ୍ଧ ଛକରୁ କନ୍ଧମାଳ ମହୋତ୍ସବସ୍ଥଳକୁ ଯାତାୟାତ କରୁଥିବାରୁ ଦର୍ଶକମାନେ ସୁବିଧାରେ ପହଞ୍ଚି ପାରୁଛନ୍ତି। ଚଳିତବର୍ଷ କନ୍ଧମାଳ ମହୋତ୍ସବରେ ୨୫୦ଟି ଷ୍ଟଲ ପ୍ରଦର୍ଶିତ ହୋଇଛି। କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ମାଧ୍ୟମରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ କୃଷକମାନଙ୍କୁ କୃଷି ବିଭାଗ ପକ୍ଷରୁ କୃଷି ଯନ୍ତ୍ରପାତି ବଣ୍ଟନ କରାଯାଇଥିଲା। ବିଭିନ୍ନ ଜିଲ୍ଲା ଏବଂ ରାଜ୍ୟ ବାହାରୁ ମଧ୍ୟ ଅନେକ ସ୍ବୟଂ ସହାୟକ ଗୋଷ୍ଠୀ ନିଜନିଜର ପ୍ରସ୍ତୁତ ଦ୍ରବ୍ୟ ଓ ଉତ୍ପାଦ ଏହି ପଲ୍ଲୀଶ୍ରୀ ମେଳାରେ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି।