ହାଇକୋର୍ଟଙ୍କ ରାୟ: ତୃତୀୟ ଲିଙ୍ଗ ବି ପରିବାର ପେନସନ୍ ପାଇଁ ହକ୍‌ଦାର

କଟକ : ଜଣେ ତୃତୀୟ ଲିଙ୍ଗ ବା କିନ୍ନର (ଟ୍ରାନ୍ସଜେଣ୍ଡର)ଙ୍କ ନିଜର ଲିଙ୍ଗ ଚୟନ କରିବାର ଅଧିକାର ରହିଛି ବୋଲି ହାଇକୋର୍ଟ କହିଛନ୍ତି। କେଉଁ ଲିଙ୍ଗକୁ ନେଇ ସେ ପରିଚିତ ହେବାକୁ ଚାହୁଁଛନ୍ତି, ତାହା ଜଣେ କିନ୍ନର ନିଜେ ସ୍ଥିର କରିବେ। କିନ୍ନରଙ୍କ ଏପରି ଅଧିକାର ନେଇ ଆଇନ ବ୍ୟବସ୍ଥାରେ ଉଲ୍ଲେଖ ରହିଛି। ଜଣେ କିନ୍ନର ବ୍ୟକ୍ତି ମହିଳା କିମ୍ବା ପୁରୁଷ ଅବା ତୃତୀୟ ଲିଙ୍ଗରେ ରହିବେ ତାହା ସେ ସ୍ଥିର କରିବେ ଏବଂ ଏହି ଆଧାରରେ ତାଙ୍କୁ ସରକାର ସ୍ବୀକୃତି ପ୍ରଦାନ କରିବେ। ଆବେଦନକାରୀ କିନ୍ନର (ମହିଳା) ତାଙ୍କ ପରଲୋକଗତ ବାପା-ମାଙ୍କ ଅବିବାହିତା ଝିଅ ଭାବେ ପରିବାର ପେନସନ୍ ପାଇବା ପାଇଁ ଯୋଗ୍ୟ। ତେଣୁ ତାଙ୍କୁ ପେନସନ୍ ପ୍ରଦାନ ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କେ.କୋଣ୍ଡଗରି ଓରଫ କାଜଲଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ୬ ସପ୍ତାହ ଭିତରେ ଆବେଦନକାରୀଙ୍କୁ ପରିବାର ପେନସନ୍ ପ୍ରଦାନ ପାଇଁ ପ୍ରିନ୍ସପାଲ ଆକାଉଣ୍ଟାଣ୍ଟ ଜେନେରାଲ (ଏ ଆଣ୍ଡ ଇ)ଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀଙ୍କ ପିତା ବାଲାଜି କୋଣ୍ଡଗିରି ଗ୍ରାମ୍ୟଉନ୍ନୟନ ବିଭାଗର ରାୟଗଡା ଆରଡବ୍ଳୁ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଚାକିରି କରି ଅବସର ନେଇଥିଲେ। ତାଙ୍କ ମୃତ୍ୟୁ ପରେ ପତ୍ନୀ ବିନ୍‌ଜାମାଙ୍କୁ ପରିବାର ପେନସନ୍ ମିଳିଥିଲା। ୨୦୨୦ ଜୁଲାଇ ୧୧ରେ ବିନ୍‌ଜାମାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କର ଅବିବାହିତ କିନ୍ନର ଝିଅ ତଥା ଆବେଦନକାରୀ ଓଡିଶା ସିଭିଲ ସର୍ଭିସ ପେନସନ ରୁଲ ୧୯୯୨ ନିୟମ ୫୬ ଅନୁସାରେ ପରିବାର ପେନସନ୍ ପାଇଁ ଆବେଦଦନ କରିଥିଲେ। ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ଅବିବାହିତା ଝିଅ ଯାହାର ବୟସ ୨୫ ବର୍ଷରୁ ଅଧିକ ହୋଇଥିବ ଓ ଆୟ ୪ହଜାର ୪୪୦ ଟଙ୍କାରୁ ଅଧିକ ହୋଇ ନଥିବ ସେ ପରିବାର ପେନସନ ପାଇବାକୁ ନିୟମ ଅନୁସାରେ ଯୋଗ୍ୟ। ଏହି ସବୁ ଯୋଗ୍ୟତା ଥିବା ଆବେଦନକାରୀଙ୍କ ଦରଖାସ୍ତ ଓ ନଥିପତ୍ର ଯାଞ୍ଚ ପରେ ପରିବାର ପେନସନ୍ ପ୍ରଦାନ ପାଇଁ ୨୦୨୧, ଜୁନ ୨୯ରେ ରାୟଗଡା ଆରଡବ୍ଲୁ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ ତରଫରୁ ପ୍ରିନ୍ସପାଲ ଆକାଉଣ୍ଟାଣ୍ଟ ଜେନେରାଲ (ଏ ଆଣ୍ଡ ଇ)ଙ୍କୁ ଚିଠି ଲେଖାଯାଇଥିଲା। ଆବେଦନକାରୀ ଜଣେ କିନ୍ନର (ମହିଳା) ବୋଲି ଜିଲ୍ଲା ମାଜିଷ୍ଟ୍ରେଟ ତାଙ୍କୁ ୨୦୨୧ରେ ପ୍ରମାଣପତ୍ର ପ୍ରଦାନ କରିଥିଲେ। ସବୁ ଦୃଷ୍ଟିରୁ ପରିବାର ପେନସନ ପାଇବା ପାଇଁ ଯୋଗ୍ୟତା ସହିତ ନିର୍ବାହୀ ଯନ୍ତ୍ରୀଙ୍କ ଅନୁମୋଦନ ପରେ ମଧ୍ୟ ଆବେଦନକାରୀଙ୍କୁ ପରିବାର ପେନସନ୍ ପ୍ରଦାନ କରାଯାଇ ନଥିଲା। ଏହି ପ୍ରସଙ୍ଗ ନେଇ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଓମକାର ଦେବଦାସ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର