ତୃତୀୟ ଲିଙ୍ଗୀ କଲ୍ୟାଣ ଯୋଜନା କର୍ମଶାଳା ଉଦ୍‌ଘାଟିତ

ବାରିପଦା : ଆରଡିଏସି ପକ୍ଷରୁ ସାମାଜିକ ନ୍ୟାୟ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସ୍ୱୀକୃତି ଯୋଜନା ଅନ୍ତର୍ଗତ ତୃତୀୟ ଲିଙ୍ଗୀ ବ୍ୟକ୍ତିତ୍ୱ ବିକାଶ କର୍ମଶାଳା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲା ନ୍ୟାୟ ପ୍ରାଧିକରଣର ସଚିବ ସୌମ୍ୟ ସ୍ୱରୂପ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ଏଥିରେ ବାରିପଦା ଉପଖଣ୍ଡରେ ବସବାସ କରୁଥିବା ୧୫ ଜଣ ତୃତୀୟ ଲିଙ୍ଗୀ ଯୋଗ ଦେଇ ଆଧାରକାର୍ଡ଼ରେ ଲିଙ୍ଗ ପରିବର୍ତ୍ତନ ସହିତ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀ ହେବା ନିମନ୍ତେ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ ଜମା ଦେଇଥିଲେ ।

ସୂଚନାଯୋଗ୍ୟ, ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ ଓଡ଼ିଶା ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପ୍ରଚେଷ୍ଟାରେ ତୃତୀୟ ଲିଙ୍ଗୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ନିମନ୍ତେ ନୂଆ ସ୍ୱିକୃତି ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହି ପରିପ୍ରେକ୍ଷୀରେ ତୃତୀୟ ଲିଙ୍ଗୀ ସଭ୍ୟାମାନେ ମା ଅମ୍ବିକା ତୃତୀୟ ଲିଙ୍ଗୀ ସ୍ୱୟଇ ସହାୟିକା ଗୋଷ୍ଠୀ ଗଠନ କରିଥିବା ବେଳେ କଟି ସିଂ- ସଭାପତି, ସୁନୟନା ସିଂ- ସମ୍ପାଦକ, ମନୀଷା ସାହୁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଉକ୍ତ ଦୁଇ ଦିବସୀୟ କର୍ମଶାଳାରେ ଆରଡ଼ିଏସିର ଉପଦେଷ୍ଟା ଓ ସମାଜସେବୀ ପ୍ରଦୀପ ବାରିକ, ତୃତୀୟ ଲିଙ୍ଗୀ ବିଶେଷଜ୍ଞ ରୁକ୍ସାନା ଖାତୁନ, ସମାଜସେବୀ ରବୀନ୍ଦ୍ର ମହାନ୍ତି, ଶିବ ପ୍ରସାଦ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର