ମାର୍ଚ୍ଚରେ ମିଳିପାରେ ‘କାଳିଆ’ ତୃତୀୟ କିସ୍ତି

ପିଏମ୍ କିଷାନର ୬ହଜାର, କାଳିଆର ୪ହଜାର
୨୦୧୯ ରବି ଋତୁ ପଇସା ଆଉ ମିଳିବାର ନାହିଁ
୨୦୨୦ ଖରିଫ୍‌ ଓ ରବି ବାବଦ ସହାୟତା ମିଳିବ
୨୦୨୧ରେ କଣ ହେବ, ନିଷ୍ପତ୍ତି ଏଯାଏ ହୋଇନି

ଭୁବନେଶ୍ବର, (ଦୁର୍ଗା ପ୍ରସାଦ ଷଡ଼ଙ୍ଗୀ): ‘କାଳିଆ’ ଯୋଜନାର ତୃତୀୟ କିସ୍ତି ଅର୍ଥ ଚାଷୀଙ୍କୁ ଆସନ୍ତା ମାର୍ଚ୍ଚରେ ପ୍ରଦାନ କରାଯିବ। ଏଥିପାଇଁ ସରକାର ସଜବାଜ ହେଲେଣି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ପୁଣି ଥରେ ‘କାଳିଆ’ ଟଙ୍କା ଦିଆଯିବ, କିନ୍ତୁ ଟିକେ ଭିନ୍ନ ଢଙ୍ଗରେ। ତୃତୀୟ କିସ୍ତି ଅର୍ଥ ପ୍ରଦାନ ବେଳେ ପିଏମ୍‌ କିଷାନ ସହାୟତା ଅର୍ଥର ସାହାରା ନେବାକୁ ସରକାର ଯୋଜନା କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ପିଏମ୍‌ କିଷାନ୍‌ ସମ୍ମାନ ନିଧି ଯୋଜନାରେ ୬ ହଜାର ଟଙ୍କା ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ‘କାଳିଆ’ ସହାୟତା ଯୋଜନାରେ ୪ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଅର୍ଥାତ୍‌ ସରକାର ଚାଷୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ପ୍ରଦାନ ନେଇ ଦେଇଥିବା ପ୍ରତିଶ୍ରୁତି ପିଏମ୍‌ କିଷାନ ସହାୟତା ଅର୍ଥ ସହିତ ‘ଟପ୍‌ ଅପ୍‌’ ଭଳି ପ୍ରଦାନ କରିବେ। ଏହାଦ୍ବାରା ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ବୋଝ କମପଡ଼ିବ।

କୃଷି ବିଭାଗରେ ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ସରକାର ଆଉ ୨୦୧୯ ରବି ଋତୁ ପାଇଁ ‘କାଳିଆ’ ସହାୟତା ପ୍ରଦାନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହି ଅର୍ଥ ଚାଷୀ ହରାଇଲେ। ୨୦୨୦ ଖରିଫ୍‌ ଓ ରବି ଋତୁ ପାଇଁ ‘କାଳିଆ’ର ତୃତୀୟ ଓ ଚତୁର୍ଥ କିସ୍ତି ଅର୍ଥ ପ୍ରଦାନ କରିବାକୁ ସରକାର ସ୍ଥିର କରିଛନ୍ତି। ସେହିଭଳି ରାଜ୍ୟ ସରକାର ନିଜ ଅର୍ଥରୁ ୧୬ ଲକ୍ଷ ୯ ହଜାର ୪୦୨ ଜଣ ଭୂମିହୀନ ଚାଷୀଙ୍କୁ ଆଉ ମାତ୍ର ୨ ହଜାର ୫୦୦ ଟଙ୍କା ଲେଖାଏଁ ପ୍ରଦାନ କଲେ ପ୍ରତିଶ୍ରୁତି ମୁତାବକ ୧୨ ହଜାର ୫୦୦ ଟଙ୍କା ହେବ। ୨୦୨୧ ଖରିଫ୍‌ ବର୍ଷ ପାଇଁ ସରକାର ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି ବୋଲି ସମ୍ପୃକ୍ତ ଅଧିକାରୀ ଜଣକ କହିଛନ୍ତି।

ଅନ୍ୟପକ୍ଷରେ ଭୂମିହୀନ ଚାଷୀ, କୃଷି ଶ୍ରମିକ ଓ ଭାଗଚାଷୀଙ୍କୁ ସହାୟତା ପ୍ରଦାନ ନେଇ କେନ୍ଦ୍ର ସରକାରଙ୍କ ପିଏମ୍‌ କିଷାନ ସହାୟତା ଯୋଜନାରେ କିଛି ବ୍ୟବସ୍ଥା ନାହିଁ। ସେଥିପାଇଁ ରାଜ୍ୟ ସରକାର ୨୦୨୦ ଜୁଲାଇ ୧୬ ତାରିଖରେ ସେମାନଙ୍କ ପାଇଁ ସହଜ କୃଷି ଋଣ ଓ ସାଧନ ପରିପୂରକ ଶୀର୍ଷକ ‘ବଳରାମ’ ଯୋଜନା ପ୍ରଣୟନ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ଯୋଜନା ପାଇଁ ୨୦୨୦ ସେପ୍ଟେମ୍ବର ୪ ତାରିଖରେ ସର୍ତ୍ତାବଳୀ ଜାରି କରାଯାଇ ଯୋଜନା କାର୍ଯ୍ୟକାରୀ କରାଯାଇଛି। ସର୍ତ୍ତାବଳୀ ମୁତାବକ ୩୦ଟି ଜିଲ୍ଲାରେ ଭୂମିହୀନ ଓ ଭାଗଚାଷୀଙ୍କୁ ନେଇ ଯୁଗ୍ମ ଉତ୍ତରଦାୟୀ ଗ୍ରୁପ ଗଠନ କରାଯିବ। ଆଉ ସେହି ଗ୍ରୁପକୁ ଋଣ ପ୍ରଦାନ କରାଯିବ।

ହେଲେ କୃଷି ବିଭାଗର ତଥ୍ୟ ଅନୁଯାୟୀ, ୨୦୨୧ ଜାନୁଆରି ୨୦ ତାରିଖ ସୁଦ୍ଧା ୩୦ଟି ଜିଲ୍ଲାରେ ୬୫ ହଜାର ଯୁଗ୍ମ ଉତ୍ତରଦାୟୀ ଚାଷୀ ସଂଗଠନକୁ ଋଣ ପ୍ରଦାନ ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେଥିରୁ ଗତ ୨୮ ତାରିଖ ସୁଦ୍ଧା ୧୭୫୧ଟି ଚାଷୀ ସଂଗଠନକୁ ମାତ୍ର ୧ କୋଟି ୧୮ ଲକ୍ଷ ଟଙ୍କାର ଋଣ ଆବଣ୍ଟନ ହୋଇଛି। ଅର୍ଥାତ୍‌ ବଳରାମ ଯୋଜନା ପ୍ରଣୟନ ହେବାର ୪ ମାସରୁ ଉର୍ଦ୍ଧ୍ବ ସମୟ ବିତିଥିଲେ ବି ଚାଷୀଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ସରକାରଙ୍କୁ ଆଶାନୁରୂପ ସଫଳତା ମିଳିନାହିଁ।

ଏଠାରେ ଉଲ୍ଲେଖଥାଉକି, ୨୦୧୯ ନିର୍ବାଚନ ପୂର୍ବରୁ ସରକାର କାଳିଆ ଯୋଜନା ଆରମ୍ଭ କରିଥିଲେ। ସେବେ ସରକାର ଘୋଷଣା କରିଥିଲେ ଯେ ଖରିଫ ଓ ରବି ଋତୁରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ। ମୋଟ ୫ଟି କିସ୍ତିରେ ୨୫ ହଜାର ଟଙ୍କା ପ୍ରଦାନ କରାଯିବ। ସେହିପରି ଭୂମିହୀନ ଚାଷୀଙ୍କୁ ସର୍ବକାଳୀନ ୧୨ ହଜାର ୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପର୍ଯ୍ୟନ୍ତ ମିଳିବ।

ଘୋଷଣା ମୁତାବକ ୨୦୧୮ ଡିସେମ୍ବରରେ ସେହିବର୍ଷର ରବି ଋତୁ ପାଇଁ ‘କାଳିଆ’ ପ୍ରଥମ କିସ୍ତି ଅର୍ଥ ପ୍ରଦାନ ଆରମ୍ଭ ହେଲା। ଆଉ ଏହି ସହାୟତା ପ୍ରଦାନ ପ୍ରକ୍ରିୟା ୨୦୧୯ ଜାନୁଆରି ଶେଷ ପର୍ଯ୍ୟନ୍ତ ଚାଲିଲା। ପ୍ରଥମ କିସ୍ତିରେ ମୋଟ ୫୧ ଲକ୍ଷ ୫ ହଜାର ୨୯୦ ଜଣ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଗଲା। ସେଥିରୁ ୩୬ ଲକ୍ଷ ୩୪ ହଜାର ୭୧୦ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୧ ହଜାର ୮୧୭ କୋଟି ୩୫ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ୧୪ ଲକ୍ଷ ୭୦ ହଜାର ୫୮୬ ଜଣ ଭୂମିହୀନ ଚାଷୀଙ୍କୁ ପ୍ରଥମ କିସ୍ତିରେ ୫ ହଜାର ହିସାବରେ ମୋଟ ୭୩୫ କୋଟି ୨୯ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରାଗଲା। କିନ୍ତୁ ସମବାୟ ବିଭାଗ ଦ୍ବାରା ପ୍ରସ୍ତୁତ ହିତାଧିକାରି ତାଲିକାରେ ଏତେ ତ୍ରୁଟି ଥିଲା ଯେ, ଛୋଟ ଚାଷୀ ବଦଳରେ ବଡ଼ ଓ ଥିଲାବାଲା ଚାଷୀ, ଚାକିରିଆ ବି କାଳିଆ ସହାୟତା ଅର୍ଥ ହାତେଇଥିବା ଜଣାପଡ଼ିଥିଲା। ଏ ନେଇ ଗୋଟିଏ ପରେ ଗୋଟିଏ ଅଭିଯୋଗର ତଥ୍ୟ ପ୍ରମାଣ ମିଳିବା ପରେ ବିରୋଧୀ ସରକାରଙ୍କୁ ଘେରିଥିଲେ। ପରେ ହିତାଧିକାରି ତାଲିକା ସଂଶୋଧନ କରାଯାଇଥିଲା। ନିର୍ବାଚନ ପରେ ଅଯୋଗ୍ୟ ହିତାଧିକାରୀମାନଙ୍କ ଠାରୁ ଅର୍ଥ ଫେରସ୍ତ ପ୍ରସଙ୍ଗକୁ ନେଇ ବି ସରକାର ଅଡ଼ୁଆରେ ପଡ଼ିଥିଲେ।

‘କାଳିଆ’ ପ୍ରଥମ କିସ୍ତି ହିତାଧିକାରୀ ତାଲିକାର ଯାଞ୍ଚ ପରେ ୨ ଲକ୍ଷ ୪୦ ହଜାର ୨୩୭ ଜଣ ଅଯୋଗ୍ୟ ହିତାଧିକାରୀ ବାଦ ପଡ଼ିଲେ। ୨୦୧୯ ଖରିଫ ଋତୁ ପାଇଁ ‘କାଳିଆ’ ଦ୍ବିତୀୟ କିସ୍ତି ଅର୍ଥ ପ୍ରଦାନ ସେହିବର୍ଷ ନଭେମ୍ବରରୁ ଆରମ୍ଭ ହୋଇ ୨୦୨୦ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିଲା। ଏହି କିସ୍ତିରେ ୩୨ ଲକ୍ଷ ୫୫ ହଜାର ୬୫୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୧ ହଜାର ୬୨୭ କୋଟି ୮୨ ଲକ୍ଷ ୫୫ ହଜାର ଟଙ୍କା ପ୍ରଦାନ କରାଯାଇଥିବାବେଳେ ୧୬ ଲକ୍ଷ ୯ ହଜାର ୪୦୨ ଜଣ ଭୂମିହୀନ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ୮୦୪ କୋଟି ୭୦ ଲକ୍ଷ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏବେ ଦେଖିବା କଥା, କାଳିଆ ଯୋଜନା ଏତିକିରେ ଅଟକୁଛି କି ଆଗକୁ ବଢ଼ୁଛି?

ସମ୍ବନ୍ଧିତ ଖବର