ସକାଳ ୭ଟାରୁ ମତଦାନ ଜାରି : ଇଭିଏମ୍ ତ୍ରୁଟି ଜନିତ ଅସନ୍ତୋଷ ବ୍ୟତୀତ ଅଧିକାଂଶ ସ୍ଥାନରେ ମତଦାନ ଶାନ୍ତିପୂର୍ଣ୍ଣ

ଭୁବନେଶ୍ୱର : ମଙ୍ଗଳବାର ସକାଳ ୭ଟାରୁ ଓଡ଼ିଶାରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ମତଦାନ। ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ଭୁବନେଶ୍ୱର, ପୁରୀ ଓ କଟକ ଲୋକସଭା ସମେତ ଏହାର ଅନ୍ତର୍ଗତ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟା ଠାରୁ ଆରମ୍ଭ ହୋଇଯାଇଛି ଭୋଟ ଗ୍ରହଣ। ମତଦାନ ଆରମ୍ଭ ହେବା ସହ ଶତାଧିକ ବୁଥରେ ଇଭିଏମ ଓ ଭିଭିପାଟ୍ ମେସିନରେ ତ୍ରୁଟି ଦେଖାଯିବା ଖବର ଆସିଛି।ଫଳରେ କେତେକ ନିର୍ବାଚନ ମଣ୍ଡଳୀରେ ମତଦାନ ବିଳମ୍ବିତ ହୋଇଛି। ଅଧିକାଂଶ ସ୍ଥାନରେ ମତଦାନ ଶାନ୍ତିପୂର୍ଣ୍ଣ ରହିଛି। ପ୍ରାର୍ଥୀଙ୍କ ସହିତ ଭୋଟର ବି ମତଦାନ କରୁଛନ୍ତି।

ମତଦାନ ପାଇଁ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ମତଦାନ କେନ୍ଦ୍ରରେ ସକାଳୁ ସକାଳୁ ଭୋଟରଙ୍କ ଭିଡ଼ ଜମିଥିବା ବେଳେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ମତଦାନ କେନ୍ଦ୍ରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳୁଛି।

ଆଜି ସକାଳୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟରେ ମୋଟ ୧୦ ହଜାର ୪୬୪ ବୁଥରେ ଚାଲିଛି ମତଦାନ। ତୃତୀୟ ପର୍ଯ୍ୟାୟ ଲୋକସଭା ପାଇଁ ମୋଟ୍‌ ୬୧ ଜଣ ପ୍ରାର୍ଥୀ ଓ ବିଧାନସଭା ପାଇଁ ୩୬୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର। ଏହି ନିର୍ବାଚନରେ ୬୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୯ ଜଣ ଜାତୀୟ ଦଳର, ୬ ଜଣ ରାଜ୍ୟସ୍ତରୀୟ ଦଳର, ୨୭ ଜଣ ଅନ୍ୟାନ୍ୟ ଦଳର ହୋଇଥିବା ବେଳେ ୯ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି।

ସେହିପରି ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ୩୬୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ୩୧୮ ଜଣ ପୁରୁଷ, ୩୭ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗ ପ୍ରାର୍ଥୀ ଅଛନ୍ତି। ଏହି ନିର୍ବାଚନରେ ୩୬୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୨୧ ଜଣ ଜାତୀୟ ଦଳର, ୪୨ ଜଣ ରାଜ୍ୟସ୍ତରୀୟ ଦଳର, ୯୦ ଜଣ ଅନ୍ୟାନ୍ୟ ଦଳର ହୋଇଥିବା ବେଳେ ୧୦୩ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି।

ଏହି ପର୍ଯ୍ୟାୟ ନିର୍ବାଚନରେ ୧୦,୪୬୪ ବୁଥରେ ୪୭,୯୯,୦୩୦ ପୁରୁଷ ଭୋଟର, ୪୪,୫୬,୭୨୯ ମହିଳା ଭୋଟର ଓ ୧୧୬୩ ଜଣ ତୃତୀୟ ଲିଙ୍ଗ ଭୋଟରଙ୍କୁ ମିଶାଇ ମୋଟ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ଭୋଟର ସେମାନଙ୍କର ମତଦାନ କରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି ପ୍ରେସ୍‌ ବିବୃତିରୁ ଜଣାପଡିଛି।

ସମ୍ବନ୍ଧିତ ଖବର