ଭୁବନେଶ୍ବର: ଆସନ୍ତାକାଲି ୨୫ ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି। କାଲି ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, କଟକ, ପୁରୀ ଏବଂ ଭୁବନେଶ୍ବର ଲୋକସଭା ଆସନ ଏବଂ ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ। ଏଥିରେ ୪୪୭ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଭୋଟ ଗ୍ରହଣ ଲାଗି ନିର୍ବ‌ାଚନ କମିସନଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ୧୦ ହଜାର ୫୫୧‌ କେନ୍ଦ୍ରରେ ମତଦାନ ହେବାକୁ ଥିବା ବେଳେ ମୁକ୍ତ ଓ ଅବାଧ ନିର୍ବାଚନ ଲାଗି ୩୫ ହଜାରରୁ ଅଧିକ ସୁରକ୍ଷା ଯବାନଙ୍କୁ ମୁତୟନ କରାଯାଇଛି। ଏଥିରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍‌)ର ୧୨୧ କଂପାନି ଥିବ‌‌ା ବେଳେ ଓଡ଼ିଶା ସଶସ୍ତ୍ର ବାହିନୀର ୧୦୬ ପ୍ଲାଟୁନ ଫୋର୍ସ ଏବଂ ୧୯୮୬୫ ସିଭିଲ ପୁଲିସ କର୍ମଚାରୀ ସାମିଲ ଅଛନ୍ତି।

Advertisment

ଆସନ୍ତାକାଲି ଯେଉଁ ୪୪୭ ପ୍ରାର୍ଥୀ ସେମାନଙ୍କର ଭାଗ୍ୟ ପରୀକ୍ଷା କରୁଛନ୍ତି, ସେମାନଙ୍କ ମଧ୍ୟରେ ଲୋକସଭା ପାଇଁ ୬୪ ଜଣ ପ୍ରାର୍ଥୀ ଥିବା ବେଳେ ବିଧାନସଭା ପାଇଁ ମୋଟ୍ ୩୮୩ ପ୍ରାର୍ଥୀ ଅଛନ୍ତି। ୬ଟି ଲୋକସଭା ଆସନ ମଧ୍ୟରୁ ସମସ୍ତଙ୍କ ନଜରରେ ରହିଛି ଭୁବନେଶ୍ବର, କଟକ, ପୁରୀ ଓ ସମ୍ବଲପୁର ଉପରେ। ଏଠାରେ ବିଜେଡି ଓ ବିଜେପି ମଧରେ କଡ଼ା ମୁକାବିଲା ହେଉଛି। ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ମଧ୍ୟରେ ଚଳିତ ନିର୍ବାଚନର ସବୁଠୁ ବଡ଼ ଲଢ଼େଇ ହେଉଛି। ଏହାକୁ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ସମ୍ମାନର ଲଢ଼େଇ କୁହାଯାଉଛି। ଏହାସହିତ ଭୁବନେଶ୍ବର ଲୋକସଭା ଆସନରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡି ନେତା ମନ୍ମଥ ରାଉତରାୟ, ପୁରୀରେ ବିଜେପିର ସମ୍ବିତ ପାତ୍ର ଓ ବିଜେଡିର ଅରୂପ ପଟ୍ଟନାୟକ, କଟକରେ ବିଜେପିର ଭର୍ତ୍ତୃହରି ମହତାବ ଓ ବିଜେଡିର ସନ୍ତୃପ୍ତ ମିଶ୍ରଙ୍କ ମଧ୍ୟରେ କଡ଼ା ମୁକାବିଲା ହେଉଛି। ଏହି ୩ଟି ଆସନ‌ ବି ଜିତିବାକୁ ଦୁଇ ଦଳ ପୂରା ଦମ୍ ଲଗାଇଛନ୍ତି।

ଅନେକ ବିଧାନସଭା ଆସନରେ ବି କଡ଼ା ପ୍ରତିଦ୍ବନ୍ଦ୍ବିତା ହେଉଛି। କେନ୍ଦୁଝର ଜିଲ୍ଲାର ଘସିପୁରା ଆସନରେ ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। ବିଜେଡିର ବଦ୍ରି ପାତ୍ରଙ୍କ ଗଡ଼କୁ ଭାଙ୍ଗିବାକୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ସୌମ୍ୟରଂଜନ ପଟ୍ଟନାୟକ। ନୟାଗଡ଼ରେ ବିଜେଡି ପ୍ରାର୍ଥୀ ବିଧାୟକ ଅରୁଣ କୁମାର ସାହୁ, ସମ୍ବଲପୁରରେ ବିଜେପି ପ୍ରାର୍ଥୀ ତଥା ବି‌ରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ରେଢାଖୋଲରେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ, ଏକାମ୍ରରେ ବିଜେଡିର ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ମଧ୍ୟରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା, ସତ୍ୟବାଦୀରେ ବିଜେଡିର ସଞ୍ଜୟ ଦାସବର୍ମା, ବଡ଼ମ୍ବାରେ ଦେବୀ ମିଶ୍ର, ଆଠଗଡ଼ରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଆନନ୍ଦପୁରରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ୟ ନିଜ ଗଡ଼ ବଜାୟ ରଖିବା ଲାଗି ଉଦ୍ୟମ ଚଳାଇଛନ୍ତି।
୨୦୧୯ର ଫଳାଫଳ ଦେଖିଲେ ଏହି ୬ଟି ଲୋକସଭା ଆସନରୁ ବିଜେଡି କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ସମେତ ୪ଟି ଆସନ ଜିତିଥିବା ବେଳେ ବିଜେପି ସମ୍ବଲପୁର ଓ ଭୁବନେଶ୍ବର ଆସନ ହାତେଇଥିଲା। ସେହିପରି ମୋଟ୍ ୪୨ଟି ବିଧାନସଭା ଆସନରୁ ବିଜେଡି ୩୪ଟି ଆସନ ହାତେଇଥିବା ବେଳେ ବିଜେପି ଭାଗରେ ୬ଟି ଏବଂ କଂଗ୍ରେସ ଭାଗରେ ୨ଟି ଆସନ ପଡ଼ିଥିଲା।