୨୯ରୁ ଯୁକ୍ତ୩ ତୃତୀୟ ପର୍ଯ୍ୟାୟ ନାମଲେଖା

ଫେବ୍ରୁଆରି ୨ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ, ୩ ତାରିଖରେ ପ୍ରକାଶ ପାଇବ ମେରିଟ୍‌ ଲିଷ୍ଟ

ଭୁବନେଶ୍ବର : ଯୁକ୍ତ୩ ତଥା ଡିଗ୍ରି କଲେଜରେ ଖାଲି ପଡ଼ିଥିବା ସିଟ୍‌ ପୂରଣ ଲାଗି ପୁଣିଥରେ ନାମଲେଖା ଅନୁଷ୍ଠିତ ହେବ। ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ବି ବହୁ ସିଟ୍‌ ଖାଲି ରହିଛି। ଅନେକ ପିଲା ନାମ‌ ଲେଖାଇପାରି ନାହାନ୍ତି। ତାହାକୁ ଦୃଷ୍ଟିରେ ରଖି ତୃତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ଯୋଗ୍ୟ ଛାତ୍ରଛାତ୍ରୀ ଆସନ୍ତା ୨୯ ତାରିଖ ପୂର୍ବାହ୍ନ ୧୧ଟାରୁ www.samsodisha.gov.in ମାଧ୍ୟମରେ କମନ୍‌ ଆପ୍ଲିକେସନ ଫର୍ମ(ସିଏଏଫ୍‌) ଦାଖଲ କରିପାରିବେ। ଫେବ୍ରୁଆରି ୨ ତାରିଖ ରାତି ୧୧ଟା ୪୫ରେ ଆବେଦନର ଶେ‌ଷ ସମୟ ସୀମା ରଖାଯାଇଛି। ଫେବ୍ରୁଆରି ୩ ଅପରାହ୍‌ଣ ୨ଟାରେ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ନାମଲେଖା ଫି’ ଦାଖଲ କରିପାରିବେ। ୮ ତାରିଖ ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ହେବ। ୪ ତାରିଖରୁ ୯ ତାରିଖ ଅପରାହ୍‌ଣ ୫ଟା ମଧ୍ୟରେ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

‌ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷାରେ ପାସ୍‌ କରିଥିବା ଛାତ୍ରଛାତ୍ରୀ ଏହି ପର୍ଯ୍ୟାୟରେ ନାମଲେଖା ପାଇଁ ଆବେଦନ କରିପାରିବେ। ଏଥିସହ ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖାରେ ଆବେଦନ କରି ନ ଥିବା ଏବଂ ନାମ ଲେଖାଇ ନ ଥିବା ଛାତ୍ରଛାତ୍ରୀ ଏହି ପର୍ଯ୍ୟାୟରେ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି। ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ସିଏଏଫ୍‌ ଫି’ ଦାଖଲ କରିବେ। କଲେଜ ଓ ବିଷୟ ଅନୁଯାୟୀ ଖାଲିଥିବା ସିଟ୍‌ ଆଧାରରେ ଏସ୍‌ସି, ଏସ୍‌ଟି, ଇଏସ୍‌ଏମ୍‌/ଏସ୍‌ପିଡି/ସିଓଏମ୍‌ ବର୍ଗଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ମେଧା ତାଲିକା ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ। ସାମ୍‌ସ ମାଧ୍ୟମରେ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର