ତୃତୀୟ ପର୍ଯ୍ୟାୟ ନିର୍ବାଚନ : ପିନାକୀ ସବୁଠୁ ଧନୀ, ଋଣରେ ବି ଆଗରେ

ବିଜେପି‌ ପ୍ରାର୍ଥୀଙ୍କ ନାମରେ ଅଧିକ ଅପରାଧିକ ମାମଲା, ଗୁରୁତର ଅପରାଧୀ ନିର୍ବାଚନ ଲଢ଼ୁଛନ୍ତି, ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ବବି ଧନୀ, ଇରାନୀଙ୍କର ସବୁଠୁ ଅଧିକ ଋଣ, ଏଥର ଅଧିକ ଶିକ୍ଷିତ, ଜଣେ ନିରକ୍ଷର ପ୍ରାର୍ଥୀ

ଭୁବନେଶ୍ବର : ଆସନ୍ତା ୨୩ ତାରିଖ ତୃତୀୟ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ପୁରୀ ଲୋକସଭାର ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ସବୁଠୁ ଧନୀ। ତାଙ୍କର ସମୁଦାୟ ସମ୍ପତ୍ତି ୧୧୭.୪୭ କୋଟି। ସେ ମଧ୍ୟ ଅନ୍ୟ ପ୍ରାର୍ଥୀମାନଙ୍କ ତୁଳନାରେ ସର୍ବାଧିକ ଋଣ ନେଇଛନ୍ତି। ସେହିଭଳି, ବିଧାନସଭା ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବ‌ା ପ୍ରାର୍ଥୀମାନଙ୍କ ମଧ୍ୟରୁ ସବୁଠୁ ଧନୀ ହେଉଛନ୍ତି ବଡ଼ମ୍ବା ବିଧାନସଭାର କଂଗ୍ରେସ ପ୍ରାର୍ଥୀ ବବି ମହାନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୦୬.୩୨ କୋଟି। ଓଡ଼ିଶା ଇଲେକ୍ସନ ୱାଚ୍‌ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଏହି ତଥ୍ୟ ମିଳିଛି।

ଏଥିରୁ ୬୦ଜଣ ପ୍ରାର୍ଥୀ ଦାଖଲ କରିଥିବା ସତ୍ୟପାଠକୁ ଆଧାର କରି ଓଡ଼ିଶା ଇଲେକ୍ସନ ୱାଚ୍‌ ପକ୍ଷରୁ ସେମାନଙ୍କ ନାମରେ ଥିବା ବିଭିନ୍ନ ଅପରାଧିକ ମାମଲା, ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତା ଏବଂ ଅନ୍ୟାନ୍ୟ ତଥ୍ୟକୁ ବିଶ୍ଲେଷଣ କକରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ବିଜେପିର ୬ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି। ସେହିପରି ବିଏସ୍‌ପି ଓ ବିଜେଡିର ଜଣେ ଲେଖାଏଁ ପ୍ରାର୍ଥୀ ଏବଂ କଂଗ୍ରେସର ୫ପ୍ରାର୍ଥୀଙ୍କ ମଧ୍ୟରୁ ୨ଜଣଙ୍କ ନାମରେ, ଏସ୍‌ୟୁସିଆଇ(ସି)ର ଦୁଇ ଜଣ ପ୍ରାର୍ଥୀ ଏବଂ କଳିଙ୍ଗ ସେନାର ଜଣେ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି। ପୂର୍ବ ଦୁଇଟି ପର୍ଯ୍ୟାୟ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ନାମରେ ଅଧିକ ଅପରାଧିକ ମାମଲା ଥିବାବେଳେ ଏହି ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀଙ୍କ ନାମରେ ଅଧିକ ଅପରାଧିକ ମାମଲା ରହିଛି। ଯେତେବେଳେ କି ବିଜେପି ଓ ଏସ୍‌ୟୁସିଆଇ (ସି)ର ୨ଜଣ ଲେଖାଏଁ ପ୍ରାର୍ଥୀଙ୍କ ନାମରେ, ବିଏସ୍‌ପି, କଂଗ୍ରେସର ଓ କଳିଙ୍ଗ ସେନାର ଜଣେ ଲେଖାଏଁ ପ୍ରାର୍ଥୀଙ୍କ ଗୁରୁତର ଅପରାଧିକ ମାମଲା ରହିଛି।

ପୂର୍ବ ଦୁଇଟି ପର୍ଯ୍ୟାୟ ଭଳି ଏଥର ବି ବହୁ କୋଟିପତି ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏଥର ୧୬ଜଣ କୋଟିପତି ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଏଥିରେ ବିଜେଡିର ସର୍ବାଧିକ ୫ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି। କଂଗ୍ରେସର ୩ଜଣ, ବିଜେପିର ୩ଜଣ, ସିପିଆଇ(ଏମ୍‌), ଏଆଇଟିସି, ଆମ୍ବେଦକର ନାସନାଲ୍‌ କଂଗ୍ରେସ, କୃପା ପାର୍ଟି, ପ୍ରଗତିଶୀଳ ସମାଜ ପାର୍ଟିର ଜଣେ ଲେଖାଏଁ କୋଟିପତି ପ୍ରାର୍ଥୀ ଅଛନ୍ତି। ପୁରୀରେ ବିଜେଡି ସାଂସଦ ପ୍ରାର୍ଥୀ ପିନାକୀ ମିଶ୍ର ସବୁଠୁ ଧନୀ ଲୋକସଭା ପ୍ରାର୍ଥୀ। ତାଙ୍କର ୧୧୭କୋଟି ଟଙ୍କର ସମ୍ପତି ଅଛି। ସେହିପରି ସମ୍ବଲପୁରରେ ବିଜେପିର ଲୋକସଭା ପ୍ରାର୍ଥୀ ନିତେଶ ଗଙ୍ଗଦେବଙ୍କର ୨୬କୋଟିର ସମ୍ପତ୍ତି ଥିବାବେଳେ ଢେଙ୍କାନାଳରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା କାମାକ୍ଷା ପ୍ରସାଦ ସିଂହଦେଓଙ୍କର ୧୫କୋଟିର ସମ୍ପତ୍ତି ଅଛି। ସେହିଭଳି ସବୁଠୁ କମ୍‌ ସମ୍ପତି ଥିବା ପ୍ରାର୍ଥୀଙ୍କ ମଧ୍ୟରେ ପୁରୀ‌ର ସିପିଆଇ(ଏମ୍‌ଏଲ୍‌) ରେଡଷ୍ଟାର ପ୍ରାର୍ଥୀ ଜଗନ୍ନାଥ ମିଶ୍ରଙ୍କର ହଜାରେ ଟଙ୍କା, ସମ୍ବଲପୁର‌େର ଏସ୍‌ୟୁସିଆଇ(ସି) ପ୍ରାର୍ଥୀ ନବକିଶୋର ପ୍ରଧାନଙ୍କର ୪ହଜାର ଟଙ୍କାର, ଭୁବନେଶ୍ବରରେ ସିପିଆଇ(ଏମ୍‌ଏଲ୍‌) ରେଡଷ୍ଟାର ପ୍ରାର୍ଥୀ ପ୍ରମିଳା ବେହେରାଙ୍କର ୪୭,୨୫୨ଟଙ୍କାର ସମ୍ପତ୍ତି ଅଛି।

ଲୋକସଭା ପ୍ରାର୍ଥୀଙ୍କର ହାରାହାରି ସମ୍ପତି ମୂଲ୍ୟ ୩.୮୭କୋଟି ରହିଛି। ଏଥିରେ ବିଜେଡି ପ୍ରାର୍ଥୀଙ୍କର ହାରାହାରି ସମ୍ପତ୍ତି ୨୪କୋଟି ଥିବାବେଳେ ବିଜେପି ପ୍ରାର୍ଥୀଙ୍କର ୬କୋଟି, ବିଏସ୍‌ପି ପ୍ରାର୍ଥୀଙ୍କର ୯ଲକ୍ଷ ଏବଂ କଂଗ୍ରେସ ପ୍ରାର୍ଥୀଙ୍କର ହାରାହାରି ସମ୍ପତ୍ତି ୨କୋଟି ରହିଛି।

ସବୁଠୁ ଧନୀ ପ୍ରାର୍ଥୀ ଥିବା ପିନାକୀ ମିଶ୍ରଙ୍କର ୨.୧୯କୋଟିର ଋଣ ଅଛି। ନିତେଶ ଗଙ୍ଗଦେବଙ୍କର ୧କୋଟି, ୧.୦୩କୋଟି, ଏଆଇଟିସିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଶୁଭ୍ରାଂଶୁ ଶେଖର ପାଢ଼ୀଙ୍କର ୮୮ଲକ୍ଷ ଟଙ୍କା, ସମ୍ବଲପୁରର ଆମ୍ବେଦକର ନାସନାଲ୍ କଂଗ୍ରେସ୍ ପ୍ରାର୍ଥୀ ସନ୍ତୋଷିନୀ କର୍ଣ୍ଣଙ୍କର ୪୫ଲକ୍ଷ, ବିଜେପିର ଭୁବନେଶ୍ବର ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କର ୪୩ଲକ୍ଷ, ବିଜେଡିର ସମ୍ବଲପୁର ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କର ୨୨ଲକ୍ଷ ଟଙ୍କାର ଋଣ ଅଛି। ବିଜେପିର ପୁରୀ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କର ୧୧ଲକ୍ଷ, ବିଜେଡିର ଭୁବନେଶ୍ବର ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କର ୨ଲକ୍ଷ ଟଙ୍କାର ଋଣ ଅଛି।

ସେହିପରି ପିନାକୀଙ୍କର ବାର୍ଷିକ ଆୟ ୨୪କୋଟି, ଅରୂପ ମୋହନ ପଟ୍ଟନାୟକଙ୍କର ୧କୋଟି, ନିତେଶ ଗଙ୍ଗଦେବଙ୍କର ୫୧ଳକ୍ଷ, ଅପରାଜିତା ଷଡଙ୍ଗୀଙ୍କର ୨୪ଲକ୍ଷ, ପ୍ରକାଶ ମିଶ୍ରଙ୍କର ୩୨ଲକ୍ଷ, ନଳିନୀକାନ୍ତ ପ୍ରଧାନଙ୍କର ୨୫ଲକ୍ଷ, ଭର୍ତ୍ତୃହରି ମହତାବଙ୍କର ୯ଲକ୍ଷ, ପଞ୍ଚାନନ କାନୁନ୍‌ଗୋଙ୍କର ୫ଲକ୍ଷ, ସତ୍ୟପ୍ରକାଶ ନାୟକଙ୍କର ବାର୍ଷିକ ଆୟ ୩ଲକ୍ଷ ଟଙ୍କା ରହିଛି।

ଏଥର ଜଣେ ନିରକ୍ଷର ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ୨ଜଣ ୫ମ ପାସ୍‌, ୮ଜଣ ୧୦ମ ପାସ୍‌, ୬ଜଣ ଦ୍ବାଦଶ ପାସ୍‌, ୧୫ଜଣ ସ୍ନାତକ, ୧୦ଜଣ ବୃତ୍ତିଗତ ସ୍ନାତକ, ୧୬ଜଣ ସ୍ନାତକୋତ୍ତର, ୨ଜଣ ଅନ୍ୟାନ୍ୟ ଶିକ୍ଷାଗତ ଯୋଗ୍ୟତା ହାସଲକାରୀ ଅଛନ୍ତି। ସେହିପରି ୨୫ରୁ ୩୦ବର୍ଷ ବୟସ ମଧ୍ୟରେ ୪ଜଣ, ୩୧ରୁ ୪୦ବର୍ଷ ବୟସର ୧୦ଜଣ, ୪୧ରୁ ୫୦ବର୍ଷ ବୟସର ୧୮ଜଣ, ୫୧ରୁ ୬୦ବର୍ଷ ବୟସର ୧୨ଜଣ, ୬୧ରୁ ୭୦ବର୍ଷ ବୟସର ୧୧ଜଣ, ୭୧ରୁ ୮୦ବର୍ଷ ବୟସର ୫ଜଣ ନିର୍ବାଚନ ଳଢ଼ୁଛନ୍ତି।

ଅପରପକ୍ଷେ ୪୨ଟି ବିଧାନସଭା ଆସନରେ ୩୫୬ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ୩୫୪ଜଣ ପ୍ରାର୍ଥୀଙ୍କର ସତ୍ୟପାଠକୁ ବିଶ୍ଲେଷଣ କରିବା ପରେ ଜଣାପଡ଼ିଛି ଯେ, ୧୧୯ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି, ଏଥିରୁ ୧୦୧ଜଣଙ୍କ ନାମରେ ଗୁରୁତର ଅପରାଧିକ ମାମଲା ରହିଛି। ବିଜେଡିର ୪୨ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୦ଜଣଙ୍କ ନାମରେ ଅପରାଧିକ ମାମଲା ଥିବାବେଳେ ୧୩ଜଣଙ୍କ ନାମରେ ଗୁରୁତର ଅପରାଧିକ ମାମଲା, ବିଜେପିର ୪୨ଜଣଙ୍କ ମଧ୍ୟରୁ ୩୦ଜଣଙ୍କ ନାମରେ ଅପରାଧିକ ମାମଲା ଥିବାବେଳେ ୨୫ଜଣଙ୍କ ନାମରେ ଗୁରୁତର ଅପରାଧିକ ମାମଲା, କଂଗ୍ରେସର ୪୧ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୯ଜଣଙ୍କ ନାମରେ ଅପରାଧିକ ମାମଲା ଥିବାବେଳେ ୧୮ଜଣଙ୍କ ନାମରେ ଗୁରୁତର ଅପରାଧିକ ମାମଲା, ବିଏସ୍‌ପିର ୩୦ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫ଜଣଙ୍କ ନାମରେ ଗୁରୁତର ଅପରାଧିକ ମାମଲା ଥିବା ଜଣାପଡ଼ିଛି।

ସେହିପରି ୩୨ଜଣଙ୍କର ୫କୋଟିରୁ ଅଧିକ ସମ୍ପତ୍ତି ଥିବାବେଳେ ୩୪ଜଣଙ୍କର ୨ରୁ ୫କୋଟି ଭିତରେ, ୮୧ଜଣଙ୍କର ୫୦ଲକ୍ଷରୁ ୨କୋଟି, ୮୩ଜଣଙ୍କର ୧୦ରୁ ୫୦ଲକ୍ଷ, ୧୨୪ଜଣଙ୍କର ୧୦ଲକ୍ଷରୁ କମ୍‌ ଟଙ୍କାର ସମ୍ପତି ଅଛି। ତେବେ ବଡମ୍ବାରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବବି ମହାନ୍ତି ସବୁଠୁ ଧନୀ ବିଧାୟକ ପ୍ରାର୍ଥୀ। ତାଙ୍କର ୧୦୬କୋଟି ଟଙ୍କାର ସମ୍ପତ୍ତି ଅଛି। ଘସିପୁରାର କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କର ୬୦କୋଟିର, ଚମ୍ପୁଆର ସ୍ବାଧୀନ ପ୍ରାର୍ଥୀ ଶୀମନ୍ତ କୁମାର ତ୍ରିପାଠୀଙ୍କର ୪୬କୋଟିର ସମ୍ପତି ଅଛି। ବିଧାୟକ ପ୍ରାର୍ଥୀଙ୍କର ହାରାହାରି ସମ୍ପତ୍ତି ମୂଲ୍ୟ ୨.୨୨କୋଟି ରହିଛି। ତେବେ ବାଙ୍କୀର ରାଷ୍ଟ୍ରୀୟ ଇଣ୍ଡିପେଣ୍ଡେଣ୍ଟ ମୋର୍ଚ୍ଚା ପ୍ରାର୍ଥୀ ଯୋଗୀନାଥ ସାହୁଙ୍କର ମାତ୍ର ୩୭୭ଟଙ୍କାର ସମ୍ପତି ଥିବାବେଳେ ତାଳଚେରର ଆମ୍ବେଦକର ପାର୍ଟି ଅଫ୍ ଇଣ୍ଡିଆ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାଏକଙ୍କର ୭୦୦ଟଙ୍କା, ଅନୁଗୁଳର ଆମ୍ବେଦକର ପାର୍ଟି ଅଫ୍ ଇଣ୍ଡିଆ ପ୍ରାର୍ଥୀ ଅନିଲ ଭୋଇଙ୍କର ୨୫୦୦ଟଙ୍କାର ସମ୍ପତ୍ତି ଅଛି। କିନ୍ତୁ ନୟାଗଡ଼ର ବିଜେପି ପ୍ରାର୍ଥୀ ଇରାନୀ ରାୟଙ୍କର ୭କୋଟି ଟଙ୍କାର ଋଣ ଥିବାବେଳେ ଶ୍ରୀମନ୍ତ କୁମାର ତ୍ରିପାଠୀଙ୍କର ୬କୋଟି, ବବି ମହାନ୍ତିଙ୍କର ୫କୋଟିର ଋଣ ଅଛି। ବାରବାଟୀ କଟକର କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୁକିମ୍‌ଙ୍କର ବାର୍ଷିକ ଆୟ ୪ କୋଟି ଥିବାବେଳେ ବବି ମହାନ୍ତିଙ୍କର ୧କୋଟି, ଢେଙ୍କାନାଳର ବିଜେଡି ପ୍ରାର୍ଥୀ ସୁଧୀର ସାମଲଙ୍କର ୧କୋଟି ଟଙ୍କା ବାର୍ଷିକ ଆୟ ବୋଲି କହିଛନ୍ତି।

ଅପରପକ୍ଷେ ୧୩୭ଜଣ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ୫ମରୁ ଦ୍ବାଦଶ ଥିବାବେଳେ ୨୦୨ଜଣଙ୍କର ସ୍ନାତକ ଏବଂ ଏହାଠାରୁ ଅଧିକ, ଜଣେ ପ୍ରାର୍ଥୀ କେବଳ ଲେଖା ପଢ଼ା ଜାଣିଛନ୍ତି। ସେହିପରି ୬୧ରୁ ୮୦ବର୍ଷ ବୟସ ମଧ୍ୟରେ ୪୧ଜଣ ପ୍ରାର୍ଥୀ ଥିବାବେଳେ ୪୧ରୁ ୬୦ବର୍ଷ ମଧ୍ୟରେ ୧୮୯ଜଣ, ୨୫ରୁ ୪୦ବର୍ଷ ମଧ୍ୟରେ ୧୩୭ଜଣ ପ୍ରାର୍ଥୀ ଅଛନ୍ତି। ଏଥର ୩୮ଜଣ ମହିଳା ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

ସମ୍ବନ୍ଧିତ ଖବର