ଅକ୍ଟୋବର-ନଭେମ୍ବରରେ ଓଡ଼ିଶାରେ ସମ୍ଭାବ୍ୟ ତୃତୀୟ ଲହର

ଏସ୍‌ସିବିରେ ଲାଗିବ ୯ଟି ଏକ୍‌ମୋ ମେସିନ୍
ସ୍ବାଧୀନତା ଦିବସ ସୁଦ୍ଧା ୧୩ ଜିଲ୍ଲାରେ ଆର୍‌ଟି-ପିସିଆର ଲ୍ୟାବ୍
ବ୍ଲାକ୍‌ ଫଙ୍ଗସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୪୦କୁ ବୃଦ୍ଧି
କୋଭିସିଲ୍‌ଡ ଟିକାର ଅଭାବ ଅଛି, ଲୋକଙ୍କୁ ଧୈର୍ଯ୍ୟ ଧରିବାକୁ ହେବ

ଭୁବନେଶ୍ବର : କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ନାନା କଳ୍ପନାଜଳ୍ପନା ଜାରି ରହିଛି। ଗତବର୍ଷ ସେପ୍ଟେମ୍ବର ମାସରେ ପ୍ରଥମ ଲହର ଶୀର୍ଷ ସଂକ୍ରମଣ ଆସିଥିବା ବେଳେ ଗତ ମେ’ମାସ ଶେଷ ସପ୍ତାହ ଆଡ଼କୁ ରାଜ୍ୟରେ ଦ୍ବିତୀୟ ଲହର ଶୀର୍ଷକୁ ଛୁଇଁଥିଲା। କିଛି ୟୁରୋପୀୟ ଦେଶରେ ଇତିମଧ୍ୟରେ ତୃତୀୟ ଲହର ଆସି ସାରିଲାଣି। ତେଣୁ ରାଜ୍ୟରେ ପ୍ରଥମ ଓ ଦ୍ବିତୀୟ ଲହର ଭିତରେ ଯେତିକି ମାସର ବ୍ୟବଧାନ ରହିଛି; ତାହାଠାରୁ କମ୍ ସମୟ ଭିତରେ ଯଦି ତୃତୀୟ ଲହର ଆରମ୍ଭ ହୁଏ ତାହେଲେ ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ କରୋନାର ତୃତୀୟ ଲହର ଆସିପାରେ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।

ଆଜି ଏ ସଂପର୍କରେ ସୂଚନା ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ ତୃତୀୟ ଲହରରେ ଶୂନ୍‌ରୁ୧୮ବର୍ଷର ଶିଶୁ ଅଧିକ ଆକ୍ରାନ୍ତ ହେବାର ଆଶଙ୍କା କରାଯାଉଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ଶିଶୁମାନଙ୍କ ଚିକିତ୍ସା ପାଇଁ ଅତିରିକ୍ତ ୩ହଜାର ଶଯ୍ୟାର ବ୍ୟବସ୍ଥା କରିଛନ୍ତି। ଏଥିରେ ୬୧୦ ଆଇସିୟୁ ରହିଛି। ସିଏଚ୍‌ସି, ଏସ୍‌ଡିଏଚ୍‌ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ଏଥିପାଇଁ ସ୍ବତନ୍ତ୍ରଭାବେ ତାଲିମ ଦିଆଯାଇଛି। ପ୍ରାୟ ୪ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଏଥିପାଇଁ ତାଲିମ ଦିଆଯିବ। ରାଜ୍ୟରେ ଏବେ ସଂକ୍ରମଣ ହ୍ରାସ ପାଉଛି। ଆସନ୍ତା ୨ସପ୍ତାହ ଭିତରେ ଆହୁରି ହ୍ରାସ ପାଇବ। ସଂକ୍ରମଣ ହ୍ରାସ ପାଇଁ ରାଜ୍ୟରେ ଏବେ ସାଧାରଣ ଶଯ୍ୟାରେ ମାତ୍ର ୧୩ ପ୍ରତିଶତ ରୋଗୀ ଥିବା ବେଳେ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଶଯ୍ୟାର ୬୦-୬୫ ପ୍ରତିଶତ ଖାଲି ପଡ଼ିଛି। ଆଇସିୟୁ ଶଯ୍ୟା ୬୨ ପ୍ରତିଶତ ଖାଲି ରହିଛି।

ରାଜ୍ୟରେ ବ୍ଲାକ୍ ଫଙ୍ଗସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୪୦କୁ ବୃଦ୍ଧି ପାଇଛି। ଏଥିରେ ୨୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ଜଣ ସୁସ୍ଥ ହୋଇଛନ୍ତି। ମାତ୍ର ଅନ୍ୟ ରାଜ୍ୟ ତୁଳନାରେ ବ୍ଲାକ୍ ଫଙ୍ଗସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଓଡ଼ିଶାରେ କମ୍ ରହିଛି। ଏଥିଲାଗି ବ୍ୟବହାର କରାଯାଉଥିବା ପୋସାକନୋଜାଲ ଓ ଆମ୍ପୋଟେରିସିନ୍-ବି ଔଷଧ ମଜହୁଦ ଅଛି। ଏବେ ଆମ୍ପୋଟେରିସିନ୍‌-ବିର ୧୧୩୨ ଭାଏଲ ରାଜ୍ୟରେ ରହିଛି। ସେହିପରି ୧୩ଟି ଜିଲ୍ଲାରେ ସ୍ବାଧୀନତା ଦିବସ ସୁଦ୍ଧା ଆର୍‌ଟି-ପିସିଆର ଲ୍ୟାବ୍ କାର୍ଯ୍ୟକ୍ଷମ ପାଇଁ ଯୋଜନା ରହିଛି। ସେହିପରି ଅକ୍ସିଜେନ୍‌ର ଯେପରି ଅଭାବ ନ ହୁଏ ସେଥିପାଇଁ ରାଜ୍ୟ ସରକାର ୪୪ଟି ଏଲଏମ୍‌ଓ(ଲିକ୍ବିଡ୍‌ ମେଡିକାଲ ଅକ୍ସିଜେନ୍‌) ଓ ପିଏସ୍‌ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି। ଏଥିରେ ପିଏମ୍‌ କେୟାର୍ସରୁ ୩୯ ଓ ରାଜ୍ୟ ସରକାର ୨୮ଟି ପ୍ରତିଷ୍ଠା କରୁଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ ଯେ, ଚଳିତମାସ ଶେଷ ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ଦ୍ବିତୀୟ ଡୋଜ୍ ଟିକାକରଣ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି। ନିକଟରେ ରାଜ୍ୟରେ ଗୋଟିଏ ଦିନରେ ୪ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇ ରେକର୍ଡ ସୃଷ୍ଟି ହୋଇଛି। ଏପରିକି ଦୈନିକ ୫ଲକ୍ଷ ଲୋକଙ୍କୁ ମଧ୍ୟ ଟିକା ଦିଆଯାଇ ପାରିବ। ମାତ୍ର କେନ୍ଦ୍ର ସରକାର ୧୮ବର୍ଷରୁ ଅଧିକ ଲୋକଙ୍କୁ ଟିକା ଯୋଗାଉଥିବାରୁ ‘କୋଭିସିଲ୍‌ଡ’ ଟିକାର ଅଭାବ ରହିଛି। ତେଣୁ ଅତିରିକ୍ତ ୧୫ଲକ୍ଷ ଡୋଜ୍ ଟିକା ଯୋଗାଇବାକୁ କେନ୍ଦ୍ରକୁ କୁହାଯାଇଛି। କେନ୍ଦ୍ର ମଧ୍ୟ ଟିକା ଯୋଗାଇଦେବା ନେଇ ରାଜି ହୋଇଛନ୍ତି। ତେଣୁ ଟିକା ପାଇଁ ଲୋକମାନଙ୍କୁ ଧୈର୍ଯ୍ୟ ଧରିବାକୁ ହେବ। ଏହାସହ ଏସ୍‌ସିବି ମେଡିକାଲ କଲେଜରେ ୯ଟି ଏକ୍‌ମୋ ମେସିନ୍ ପ୍ରତିଷ୍ଠା କରାଯିବ। ୬ଟି ରାଜ୍ୟ ସରକାର କିଣୁଥିବା ବେଳେ ୩ଟି ସିଏସ୍‌ଆର ପାଣ୍ଠିରୁ ଆସିବ। ୩୧ ଜୁଲାଇ ସୁଦ୍ଧା ତାଲିମ କାର୍ଯ୍ୟକ୍ରମ ଶେଷ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର