ଭୁବନେଶ୍ବର : କରୋନାର ତୃତୀୟ ଲହରରେ ରାଜ୍ୟବ୍ୟାପୀ ସଂକ୍ରମଣ ବଢ଼ି ଚାଲିଛି। ଚାହୁଁ ଚାହୁଁ ସଂକ୍ରମିତଙ୍କ ସଂଖ୍ୟା ୧୧ହଜାର ଛୁଇଁବାକୁ ବସିଲାଣି। ହେଲେ ଦ୍ବିତୀୟ ତୁଳନାରେ ତୃତୀୟ ଲହରରେ ହସ୍ପିଟାଲ୍ ଆଡମିସନ୍ ଯଥେଷ୍ଟ କମ୍ ରହିଛି। ଦ୍ବିତୀୟ ଲହରରେ ରୋଗୀଙ୍କୁ ଶଯ୍ୟାର ଅଭାବ ପଡ଼ିଥିବା ବେଳେ ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହୋଇ ରହିଥିବା ଶଯ୍ୟା ଖାଲି ପଡ଼ିଛି। ୯୦ ପ୍ରତିଶତରୁ ଅଧିକ ଘରେ ରହି ସୁସ୍ଥ ହେଉଛନ୍ତି। ଦ୍ବିତୀୟ ଲହର ସମୟରେ ରାଜ୍ୟରେ ଯେତେବେଳେ ୧୦ହଜାରରୁ ଅଧିକ କୋଭିଡ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ସେ ସମୟରେ ସାଧାରଣ ଶଯ୍ୟାରେ ୫୨ ପ୍ରତିଶତ ରୋଗୀ ଚିକିତ୍ସିତ ହେଉଥିବା ନଜରକୁ ଆସିଥିଲା। କେବଳ ସାଧାରଣ ଶଯ୍ୟା ନୁହେଁ, ଆଇସିୟୁରେ ପ୍ରାୟ ୮୦ ପ୍ରତିଶତ ଓ ଭେଣ୍ଟିଲେଟରରେ ୬୨ ପ୍ରତିଶତ ରୋଗୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ।
ଏ ସମୟରେ ରାଜ୍ୟରେ ସର୍ବାଧିକ କରୋନା ମୃତ୍ୟୁ ପଞ୍ଜୀକୃତ ହୋଇଥିଲା। ମାତ୍ର ତୃତୀୟ ଲହରରେ ୧୦ହଜାରରୁ ଅଧିକ ରୋଗୀ ଚିହ୍ନଟ ହେଉଥିବା ବେଳେ ସାଧାରଣ ଶଯ୍ୟାରେ ମାତ୍ର ୭ ପ୍ରତିଶତ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଇସିୟୁରେ ୧୩.୧ ପ୍ରତିଶତ ଓ ଭେଣ୍ଟିଲେଟରରେ ୩.୮ ପ୍ରତିଶତ ରୋଗୀ ଚିକିତ୍ସିତ ହେଉଛନ୍ତି।
ଡାକ୍ତର ହରିଶ ଚୌଧୁରୀ କହିଛନ୍ତି, ଦ୍ବିତୀୟ ଲହରରେ ୭୦ ପ୍ରତିଶତ ଲୋକଙ୍କ ହସ୍ପିଟାଲରେ ଅକ୍ସିଜେନ୍ର ଆବଶ୍ୟକତା ପଡ଼ୁଥିଲା। ମାତ୍ର ଏବେ ୨/୩ ପ୍ରତିଶତ ଲୋକଙ୍କୁ ଅକ୍ସିଜେନ୍ ଆବଶ୍ୟକ ପଡ଼ୁଛି। ତେଣୁ କରୋନା ସଂଖ୍ୟାକୁ ଗୁରୁତ୍ବ ନ ଦେଇ କେତେ ସଂଖ୍ୟକ ରୋଗୀ ଗୁରୁତର ହେଉଛନ୍ତି ତାହାକୁ ଧ୍ୟାନ ଦେବା ଜରୁରୀ। ଲୋକମାନେ କରୋନ ସଂଖ୍ୟାକୁ ନେଇ ଚିନ୍ତା କରି ଅଯଥା ଟେଷ୍ଟିଂ କରାଇବା ଠିକ୍ ନୁହେଁ। ଥଣ୍ଡା, ଜ୍ବର ଭଳି ସାଧାରଣ ଲକ୍ଷଣ କିମ୍ବା କେବଳ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଯଦି କୌଣସି ଲକ୍ଷଣ ନାହିଁ ତେବେ ନମୁନା ପରୀକ୍ଷା କରିବାର ଆବଶ୍ୟକତା ନାହିଁ। ସେ ଆହୁରିମଧ୍ୟ କହିଛନ୍ତି ଯେ, ଅଧିକ ଜନସଂଖ୍ୟା ଦେଶ ପାଇଁ ମାସ୍କର କ୍ବାଲିଟି ଓ ଜିନିଷକୁ ଦେଖିଲେ ଆବଶ୍ୟକତା ଅନୁସାରେ ଲୋକଙ୍କୁ ମାସ୍କ ଯୋଗାଇବା ସମ୍ଭବ ନୁହେଁ। ମାତ୍ର ବର୍ତମାନ ସମୟରେ ମାସ୍କର ଆବଶ୍ୟକତା ବହୁ ଅଧିକ ରହୁଛି। ତେଣୁ କପଡ଼ା ମାସ୍କ ହେଉ ବା ଏନ୍-୯୫ ମାସ୍କ ପିନ୍ଧିବା ନିହାତି ଜରୁରୀ ବୋଲି ଡା. ଚୌଧୁରୀ କହିଛନ୍ତି।
ଦିଲ୍ଲୀ, ମୁମ୍ବାଇରେ କମୁଛି
ନୂଆଦିଲ୍ଲୀ : ଦିଲ୍ଲୀ ଏବଂ ମୁମ୍ବାଇରେ ଗତ ୩ ଦିନ ହେଲା କରୋନା ସଂକ୍ରମଣ ସଂଖ୍ୟା ଗତ ୩ ଦିନ ହେଲା କମୁଛି। ରାଜଧାନୀ ଦିଲ୍ଲୀରେ ଗତ ୧୩ ତାରିଖରେ ରେକର୍ଡ ୨୮୮୬୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। କରୋନା ମହାମାରୀ ଆରମ୍ଭ ଦିନଠାରୁ ଏହାଥିଲା ସର୍ବାଧିକ ଦୈନିକ ବୃଦ୍ଧି। କିନ୍ତୁ ଏହାପରେ ୧୪ ତାରିଖରେ ଦିଲ୍ଲୀର ସଂକ୍ରମଣ ସଂଖ୍ୟା ୨୪୩୮୩କୁ ଏବଂ ୧୫ ତାରିଖର ସଂକ୍ରମଣ ୨୦୭୧୮କୁ ହ୍ରାସ ପାଇଛି। ଏଥିରୁ ଜଣାପଡ଼ୁଛି ଦିଲ୍ଲୀରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚି ସାରିଛି ବୋଲି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି। ତେବେ ସଂକ୍ରମଣ ସଂଖ୍ୟା ୧୫ ହଜାର ସ୍ତରକୁ କମିଲେ ସରକାର କଟକଣା କୋହଳ କରିବା ନେଇ ଚିନ୍ତା କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିଭଳି ମୁମ୍ବାଇରେ ମଧ୍ୟ ଲଗାତାର ୩ ଦିନ ହେଲା ସଂକ୍ରମଣ ସଂଖ୍ୟା କମୁଛି। ଗତ ୧୩ ତାରିଖରେ ମୁମ୍ବାଇର ସଂକ୍ରକଣ ସଂଖ୍ୟା ୧୩୭୦୨ ରହିଥିଲା। ୧୪ ତାରିଖରେ ତାହା ୧୧୩୧୭କୁ ଏବଂ ୧୫ ତାରିଖରେ ୧୦୬୬୨କୁ ହ୍ରାସ ପାଇଛି। ତେଣୁ ମୁମ୍ବାଇରେ ମଧ୍ୟ କରୋନାର ପ୍ରଭାବ ହ୍ରାସ ପାଉଥିବା ଆଶା କରାଯାଉଛି।