ଭୁବନେଶ୍ବର: ରାଜ୍ୟ ବିଜେପି ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ୍ ୧୬ ଜଣ ସ୍ଥାନ ପାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାଦ୍ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ, ୮ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ର ମନ୍ତ୍ରୀ(ସ୍ବାଧୀନ) ଅଛନ୍ତି। ନିୟମ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ବାଦ୍ ୨୧ ଜଣ ମନ୍ତ୍ରୀ ହୋଇପାରିବେ। ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳରେ ଆଉ ୬ ଜଣଙ୍କୁ ସାମିଲ କରିପାରିବେ। ତେବେ କାହିଁକି ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳ ଗଠନ କରାଗଲା ନାହିଁ ଓ କେବେ ଅଧିକ ମନ୍ତ୍ରୀଙ୍କୁ ସାମିଲ କରାଯିବ, ସେ ସମ୍ପର୍କରେ କେହି ମୁହଁ ଖୋଲି ନାହାନ୍ତି।
ମନ୍ତ୍ରିମଣ୍ଡଳରେ ୧୩ ଜିଲ୍ଲାକୁ ପ୍ରତିନିଧିତ୍ବ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲା କେନ୍ଦୁଝର ହୋଇଥିଲା ବେଳେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ବଲାଙ୍ଗୀର ଓ ପ୍ରଭାତୀ ପରିଡ଼ା ପୁରୀରୁ ପ୍ରତିନିଧିତ୍ବ କରୁଛନ୍ତି। ଏହାବାଦ୍ ମନ୍ତ୍ରୀ ପଦ ମିଳିଥିବା ଅନ୍ୟ ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡ଼ା, ସମ୍ବଲପୁର, ଗଞ୍ଜାମ, କୋରାପୁଟ, ଖୋର୍ଦ୍ଧା, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଭଦ୍ରକ ଓ ମୟୂରଭଞ୍ଜ। ଏହା ମଧ୍ୟରୁ ବଲାଙ୍ଗୀର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାକୁ ଦୁଇଟି ଲେଖାଏଁ ମନ୍ତ୍ରୀ ପଦ ମିଳିଛି।
ପ୍ରଥମ ଥର ବିଧାନସଭାକୁ ଜିତି ମନ୍ତ୍ରୀ ହୋଇଥିବା ବିଧାୟକମାନେ ହେଲେ ପ୍ରଭାତୀ ପରିଡ଼ା, ସୁରେଶ ପୂଜାରୀ, ପୃଥ୍ବୀରାଜ ହରିଚନ୍ଦନ, ବିଭୂତି ଭୂଷଣ ଜେନା, କୃଷ୍ଣଚନ୍ଦ୍ର ମହାପାତ୍ର, ପ୍ରଦୀପ ବଳସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ ଓ ସମ୍ପଦ ଚରଣ ସ୍ବାଇଁ। ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୪ ଜଣ ଅନୁସୂଚିତ ଜନଜାତିର ଓ ୨ ଜଣ ଅନୁସୂଚିତ ଜାତି ବର୍ଗର ମନ୍ତ୍ରୀ ଅଛନ୍ତି। ସବୁଠାରୁ କନିଷ୍ଠ ମନ୍ତ୍ରୀ ହେଲେ ସୂର୍ଯ୍ୟବଂଶୀ ସୂରଜ ଓ ବୟୋଜ୍ୟେଷ୍ଠ ମନ୍ତ୍ରୀ ହେଲେ କେଭି ସିଂହଦେଓ।
ମନ୍ତ୍ରିମଣ୍ଡଳରେ ୬ଟି ଆସନ କାହିଁକି ଖାଲି ରହିଲା, ତାହାକୁ ନେଇ ଦଳର ଆଭ୍ୟନ୍ତରୀଣ ରାଜନୀତି ଜୋର୍ ଧରିଛି। ମନ୍ତ୍ରିମଣ୍ଡଳ ଚୂଡ଼ାନ୍ତ କରିବାକୁ ଗତକାଲି ସନ୍ଧ୍ୟାରୁ ବରିଷ୍ଠ ନେତାମାନଙ୍କର ତୁହାକୁ ତୁହା ବୈଠକ ବସିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ସବୁ ନାମ ଉପରେ ସହମତି ପ୍ରକାଶ ପାଇ ନଥିଲା। ଆଜି ପୁଣି ସକାଳେ ସେହି ନାମଗୁଡ଼ିକ ଉପରେ ମାନସ ମନ୍ଥନ ହୋଇଥିଲା। କିନ୍ତୁ ସମ୍ପୂର୍ଣ୍ଣ ମନ୍ତ୍ରିମଣ୍ଡଳର ନାମ ଚୂଡ଼ାନ୍ତ ହୋଇପାରି ନଥିଲା। ଯେତିକି ନାମ ଉପରେ ସହମତି ପ୍ରକାଶ ପାଇଥିଲା, ସେହିମାନେ ଆଜି ଶପଥ ଗ୍ରହଣ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ଆଉ ୬ଟି ଆସନ ଖାଲି ପଡ଼ିଥିବାରୁ ଏବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/fhsfsfhsfhhfs.jpg)