ସମ୍ବଲପୁର: ଗ୍ରୀଷ୍ମଦିନେ ଛତିଶଗଡ଼ କଲ୍ମା ବ୍ୟାରେଜର ସବୁ ଗେଟ୍ ବନ୍ଦ ରଖିବା ଯୋଗୁ ଓଡ଼ିଶାର ଜୀବନରେଖା ମହାନଦୀ ଏହି ସମୟରେ ପ୍ରାୟତଃ ଶୁଖିଲା ପଡ଼ୁଛି। ଓଡ଼ିଶାର ଦାବିକୁ ଅଣଦେଖା କରିବା ସହିତ ମହାନଦୀର ଜଳସ୍ରୋତକୁ ଅଟକାଇ ରଖୁଛନ୍ତି। ତେବେ, ବର୍ଷା ସମୟ ଆରମ୍ଭରୁ ଛିତିଶଗଡ଼ ସରକାର ମହାନଦୀରେ ନିଜ ରାଜ୍ୟ ଶେଷ ମୁଣ୍ଡରେ ଥିବା କଲ୍ମା ବ୍ୟାରେଜ୍ର ସମସ୍ତ ୬୬ଟି ଯାକ ଗେଟ୍ ଖୋଲି ଦେଇଥାନ୍ତି। ଅନ୍ୟ ବର୍ଷ ଭଳି ଏଥର ବି ଅକ୍ଟୋବର ଆରମ୍ଭରୁ ପୁଣି ଛତିଶଗଡ଼ ସରକାର ଗେଟ୍ ପକାଇବା ଆରମ୍ଭ କରିଛନ୍ତି। ଆଜି ସକାଳ ୮ଟା ସୁଦ୍ଧା ୫୩ଟି ଗେଟ୍ ବନ୍ଦ କରିସାରିଥିବା ବେଳେ ଏବେ ୧୩ଟି ଗେଟ୍ ଖୋଲା ରହିଛି। ତେବେ, ପରିବର୍ତ୍ତିତ ପାଣିପାଗ ଯୋଗୁ ଏଥର ଛତିଶଗଡ଼ ସରକାର ସବୁ ଗେଟ୍ ଶୀଘ୍ର ବନ୍ଦ ନରଖି ଧୀରେ ଧୀରେ ବନ୍ଦ କରୁଥିବା ଜଣାପଡ଼ିଛି। ଛତିଶଗଡ଼ ସରକାର ସତର୍କତାର ସହିତ ଜଳ ପରିଚାଳନା କରୁଥିବା ବେଳେ ଏହାର ପ୍ରଭାବ ହୀରାକୁଦ ଜଳଭଣ୍ଡାରର ଜଳ ପରିଚାଳନା ଉପରେ ମଧ୍ୟ ପଡ଼ୁଛି।
ଓଡ଼ିଶାକୁ ମହାନଦୀର ପ୍ରବେଶସ୍ଥଳଠାରୁ ଅଳ୍ପ କିଛି ଦୂରରେ ଛତିଶଗଡ଼ ସୀମାରେ ରହିଛି କଲ୍ମା ବ୍ୟାରେଜ୍। ପ୍ରାୟ ୧ କିଲୋମିଟର ୯୮ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ବ୍ୟାରେଜ ନିର୍ମାଣରେ ୧୮୨.୦୩ କୋଟି ଟଙ୍କା ଖର୍ଚ ହୋଇଛି। ୫୦.୩୯ ଏମ୍ସିଏମ୍ ଜଳଧାରଣ କ୍ଷମତା ବିଶିଷ୍ଟଏହି ବ୍ୟାରେଜରୁ ୮ଟି ଶିଳ୍ପାନୁଷ୍ଠାନକୁ ପାଣି ଯୋଗାଇବାକୁ ଚୁକ୍ତି ହୋଇଛି। କଲ୍ମା ଉପରେ ଛତିଶଗଡ଼ ସରକାର ଆହୁରି ୫ଟି ବ୍ୟାରେଜ ନିର୍ମାଣ କରି ମହାନଦୀ ପାଣିକୁ ଅଟକାଇ ରଖୁଛନ୍ତି। ଶିଳ୍ପାନୁଷ୍ଠାନ ଅର୍ଥରେ ଏସବୁ ବ୍ୟାରେଜ ନିର୍ମାଣ କରିଥିବାରୁ ସେଠାରୁ କାରଖାନା ପାଇଁ ପାଣି ଯୋଗାଉଛନ୍ତି। ବର୍ଷା ଦିନେ ବ୍ୟାରେଜରେ ପାଣି ଅଟକାଇ ରଖିଲେ ବନ୍ୟା ହେବା ଆଶଙ୍କା ରହିଛି। ତେଣୁ, ଜୁନ୍ ମାସର ଶେଷ ଆଡ଼କୁ ଗେଟ୍ ଖୋଲିବା ଆରମ୍ଭ କରିଥାନ୍ତି ଆଉ ଅକ୍ଟୋବର ମାସରେ ପ୍ରାୟତଃ ସବୁ ଗେଟ୍ ବନ୍ଦ କରିଦେଇଥାନ୍ତି। ପରିବର୍ତ୍ତିତ ପାଣପାଗ ସହିତ ସମୁଦ୍ରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଯୋଗୁ ଏଥର ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଥିବା ଆକଳନ କରାଯାଇଛି। ଲଘୁଚାପ ଯୋଗୁ ହୀରାକୁଦର ଉପର ମୁଣ୍ଡରେ ଯଦି ପ୍ରବଳ ବର୍ଷା ହୁଏ, ତାହେଲେ ମହାନଦୀରେ ଜଳପ୍ରବାହ ବଢ଼ିବ।
ବ୍ୟାରେଜ ନିର୍ମାଣ ଯୋଗୁ ଛତିଶଗଡ଼ରେ ମହାନଦୀ ଫୁଲି ରହୁଥିବାରୁ ଛତିଶଗଡ଼ର ମହାନଦୀ ତଟବର୍ତ୍ତୀ ଅଂଚଳରେ ବନ୍ୟା ଆଶଙ୍କା ରହୁଛି। ଏହାକୁ ଦୃଷ୍ଟିରେ ରଖି ଛତିଶଗଡ଼ ସରକାର ଏଥର ସର୍ତକତାର ସହିତ ନିଜ ବ୍ୟାରେଜଗୁଡ଼ିକର ଜଳ ପରିଚାଳନା କରୁଥିବା ଜଣାପଡ଼ିଛି। ଅପରପକ୍ଷରେ ଏହା ହୀରାକୁଦ ଜଳଭଣ୍ଡାରର ଜଳ ପରିଚାଳନାକୁ ମଧ୍ୟ ପ୍ରଭାବିତ କରୁଛି। ହୀରାକୁଦ ଜଳଭଣ୍ଡାରର ସର୍ବାଧିକ ଜଳଧାରଣର କ୍ଷମତା ହେଉଛି ୬୩୦ ଫୁଟ୍। ଗତ ବର୍ଷ ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୧୮ ପର୍ଯ୍ୟନ୍ତ କ୍ରମାଗତ ଭାବେ ଜଳଭଣ୍ଡାରର ଜଳସ୍ତର ଏହାର ଶୀର୍ଷ ସ୍ତରରେ ରହିଥିଲା। ଏଥର କିନ୍ତୁ ଏହି ଅବଧି ମଧ୍ୟରେ ଜଳସ୍ତର କମ୍ ବେଶୀ ହେଉଥିବା ଦେଖିବାକୁ ମିଳିଛି। କେତେବେଳେ ଜଳସ୍ତର ୬୩୦ ଫୁଟ୍ ରହୁଛି ତ କେତେବେଳେ ପୁଣି ଜଳଭଣ୍ଡାରର ସୁରକ୍ଷା ଦୃଷ୍ଟିରୁ ଏହାର ଜଳସ୍ତର ହ୍ରାସ କରିବା ପାଇଁ ଏକାଧିକ ଗେଟ୍ ଖୋଲାଯାଇ ପାଣି ନିଷ୍କାସନ କରାଯାଉଛି। ଆଜି ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟ୍ ରହିଥିବା ବେଳେ ଜଳଭଣ୍ଡାରକୁ ୫୩,୭୨୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ସମ ପରିମାଣର ଜଳ ନିଷ୍କାସିତ ହେଉଛି। ଗୋଟିଏ ସ୍ପିଲ୍ୱେ ଦେଇ ୧୬,୪୪୦ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୩୨,୨୨୭ କ୍ୟୁସେକ୍ ପାଣି ଜଳଭଣ୍ଡାରରୁ ମହାନଦୀରେ ଛଡ଼ା ଯାଇଛି। ଜଳସେଚନ ନିମନ୍ତେ କେନାଲଗୁଡ଼ିକରେ ୪,୮୧୮ କ୍ୟୁସେକ୍ ପାଣି ଛଡ଼ାଯାଇଛି।