ଦୁର୍ଘଟଣାରେ ଚାଲିଗଲା ୧୩ ଜୀବନ: ଶୂନ-ମୃତ୍ୟୁକୁ ଉପହାସ

୭ ଯୁବକଙ୍କ ସଲିଳ ସମାଧି, କେନାଲରେ ପଡ଼ିଲା ବରଯାତ୍ରୀ ଗାଡ଼ି

ସମ୍ବଲପୁର/ରେଙ୍ଗାଲି/ବୁର୍ଲା/ଝାରସୁଗୁଡ଼ା: ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ବିଶାଲଖିଣ୍ଡା ଗାଁ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗୁରୁବାରର ବର୍ଷାଭିଜା ରାତିରେ ବିବାହ ଭୋଜି ଖାଇ ନିଜ ଗାଁକୁ ଫେରୁଥିବା ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଶାସନ ମୁଖ୍ୟ କେନାଲ୍‌ରେ ଖସିପଡ଼ିବାରୁ ୭ ଜଣ ଯୁବକଙ୍କ ସଲିଳ ସମାଧି ହୋଇଛି।

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ରେଙ୍ଗାଲି ଥାନା ଅନ୍ତର୍ଗତ ଛତିଶଗଡ଼ ସୀମାନ୍ତ ବଡ଼ଧରା ଗାଁର କୁଶ ବେହେରାଙ୍କ ବାହାଘର ସମ୍ବଲପୁର ଜିଲ୍ଲାର ପରମାଣପୁରରେ ଠିକ୍‌ ହୋଇଥିଲା। ସେଥିପାଇଁ ଗୁରୁବାର ରାତିରେ ବରଯାତ୍ରୀ ଦଳ ପରମାଣପୁର ଗାଁରେ ପହଞ୍ଚିଥିଲେ। ସେହି କିଛିସମୟ ସମସ୍ତେ ନାଚଗୀତରେ ମସ୍‌ଗୁଲ୍‌ ଥିଲେ ଏବଂ ବେଶ୍‌ ହସଖୁସିରେ ବିବାହ ଭୋଜି ଖାଇଥିଲେ। ବାହାଘର ଚାଲିଥିବା ବେଳେ ଭୋଜି ଖାଇସାରି ଅନ୍ୟ ବରଯାତ୍ରୀମାନେ ପର୍ଯ୍ୟାୟକ୍ରମେ ନିଜ ଗାଁକୁ ଫେରିବା ଆରମ୍ଭ କରିଥିଲେ। ସେତେବେଳକୁ ରାତି ପ୍ରାୟ ୨ଟା ସମୟ। ବଲେରୋ ଗାଡ଼ିରେ ଚାଳକଙ୍କୁ ମିଶାଇ ୧୧ ଜଣ ବଡ଼ଧରାକୁ ଫେରୁଥିଲେ। ସେତିକିବେଳକୁ ବର୍ଷା ହେଉଥିଲା। ବିଶାଲଖିଣ୍ଡା ନିକଟରେ ଏକ ବୁଲାଣିରେ ବଲେରୋ (ଓଆର୍‌ ୧୫ଆର୍‌ ୮୫୭୫)ଟି ଭାରସାମ୍ୟ
ହରାଇ ଓଲଟି କେନାଲ୍‌ରେ ପଡ଼ିଯାଇଥିଲା।

ଗାଡ଼ିରେ ଥିବା ୧୧ଜଣଙ୍କ ୪ ଜଣ ଜୀବନ ବଞ୍ଚାଇ ଗାଡ଼ିରୁ କୌଣସିମତେ ବାହାରି ଆସିଥିଲେ। ଅନ୍ୟ ୭ ଜଣ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିଲେ। ମୃତକମାନେ ହେଲେ, ବଡ଼ଧରା ଗ୍ରାମର ସୁବଳ ଭୋଇ (୨୩), ସୁମନ୍ତ ଭୋଇ (୩୫), ସରୋଜ ସେଠ (୩୫), ଦିବ୍ୟ ଲୁହା (୨୭), ଅଜିତ ଖମାରୀ (୨୫), ରମାକାନ୍ତ ଭୂୟଁର (୨୩) ଏବଂ ଶତ୍ରୁଘ୍ନ ଭୋଇ (୨୬)। ନିଦରେ ଶୋଇ ପଡ଼ିଥିବା ୬ ଜଣ ଆଦୌ ଗାଡ଼ିରୁ ବାହାରି ପାରି ନଥିବା ବେଳେ ଡ୍ରାଇଭର୍ ତଥା ଗାଡ଼ି ମାଲିକ ଶତ୍ରୁଘ୍ନ ଭୋଇ (ବିକି) କେନାଲ୍‌କୁ ଡେଇଁ ପଡ଼ିଥିଲେ। ନିଜ ଜୀବନ ବଞ୍ଚାଇପାରି ନଥିଲେ। ଅନ୍ୟ ୬ ଜଣଙ୍କୁ ଭୋର୍‌ରୁ ଉଦ୍ଧାର କରି ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। କିନ୍ତୁ, ସେତେବେଳକୁ ବହୁତ ବିଳମ୍ବ ହୋଇ ସାରିଥିଲା। ସମସ୍ତ ୬ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶାସନ ଥାନା ପୁଲିସ ମୃତକଙ୍କ ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଥିଲା। ବୁର୍ଲାରେ ବ୍ୟବଚ୍ଛେଦ ପରେ ଦିନ ପ୍ରାୟ ୧ଟା ୩୦ରେ ପ୍ରଶାସନ ପକ୍ଷରୁ ୪ଟି ଶବବାହକ ଗାଡ଼ିରେ ୭ଟି ଯାକ ଶବକୁ ବଡ଼ଧରା ଗାଁକୁ ପଠାଯାଇଥିଲା। ମୃତଦେହଗୁଡ଼ିକ ଦିନ ୪ଟାରେ ଯାଇ ବଡ଼ଧରା ଗାଁରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଆତ୍ମୀୟ ପରିଜନଙ୍କ କାନ୍ଦବୋବାଳି ମଧ୍ୟରେ ସଂଧ୍ୟାରେ ଗାଁ ନିକଟ ଶ୍ମଶାନରେ ଜୁଇ ଜଳିଥିଲା।

ଚାରି ଜଣ ପାଇଲେ ପୁନର୍ଜୀବନ

ଗାଁର ୧୧ ଜଣ ଯୁବକଙ୍କୁ ନେଇ ଯାଉଥିବା ବଲେରୋ ଗାଡ଼ିଟି ଖଚାଖଚ ଭରିଥିଲା। ନଚାନଚି କରି ଥକି ଯାଇଥିବା ଅଧିକାଂଶ ଯୁବକ ଗାଡ଼ିରେ ଶୋଇ ପଡ଼ିଥିଲେ। ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇ କେନାଲରେ ପଡ଼ିଯିବାରୁ ଡ୍ରାଇଭର୍‌ ପାଣିକୁ ଡେଇଁ ପଡ଼ିଥିଲେ ବି ନିଜକୁ ବଞ୍ଚାଇପାରି ନଥିଲେ। କିନ୍ତୁ, ୪ ଜଣ ଗାଡ଼ିର କାଚ ଭାଙ୍ଗି ବାହାରକୁ ବାହାରିବାରେ ସକ୍ଷମ ହୋଇଥିଲେ। ନୂଆ ଜୀବନ ପାଇଥିବା ଏହି ଯୁବକମାନେ ହେଲେ ସେହି ବଡ଼ଧରା ଗାଁର ଲଳିତ ଖମାରୀ (୩୮), ଜୟନ୍ତ ଖମାରୀ (୨୩), ଶ୍ରୀକାନ୍ତ ପ୍ରଧାନ (୨୪) ଏବଂ ସମ୍ବଲପୁର ସହର ଧନୁପାଲି ଥାନା ଅନ୍ତର୍ଗତ ଧନକଉଡ଼ାର ଅର୍ଜୁନ ବେହେରା (୨୦)।

ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ପାଇଁ ସରକାର ଅଣ୍ଟା ଭିଡ଼ୁଥିବା ବେଳେ ଦୁର୍ଘଟଣା କିନ୍ତୁ ଥମିବା ନଁା େନଉନାହିଁ। ୧-୭ ଏପ୍ରିଲ ‘ଶୂନ ମୃତାହତ ସପ୍ତାହ’ ପାଳନର ଅବ୍ୟବହିତ ପୂର୍ବରୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା େହଉଥିବା ଦିନ ହିଁ ରାଜ୍ୟରେ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ବୃଦ୍ଧି ନୈରାଶ୍ୟ ସୃଷ୍ଟି କରୁଛି।

ଆଜିଠୁ ‘ଶୂନ ମୃତାହତ ସପ୍ତାହ’ ପାଳନ

ଭୁବନେଶ୍ବର: ଏପ୍ରିଲ ୧ରୁ ୭ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସଡ଼କ ଦୁର୍ଘଟଣା‌ରେ ଜଣେ ବି ଯେପରି ମୃତ୍ୟୁବରଣ କରିବେନି ସେନେଇ ରାଜ୍ୟ ସରକାର ‘ଶୂନ ମୃତାହତ ସପ୍ତାହ’ ପାଳନ କରିବାକୁ ଯାଉଛନ୍ତି। ଏନେଇ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ଏକ ଏସ୍‌ଓପି ପ୍ରସ୍ତୁତ କରି ସମସ୍ତ ଜିଲ୍ଲାପାଳ, ଏସ୍‌ପି ଓ ଡିସିପିଙ୍କୁ ପଠାଯାଇଛି। ଏହାକୁ ସଫଳ କରିବା ପାଇଁ କେଉଁ କେଉଁ ବିଭାଗ ପକ୍ଷରୁ କ’ଣ ପଦକ୍ଷେପ ନିଆଯାଇଛି ସେନେଇ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ସମୀକ୍ଷା କରିଛନ୍ତି।

ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବସିଥିବା ବୈଠକରୁ ଜଣାପଡ଼ିଛି ଯେ ୨୦୨୨ ବର୍ଷରେ ରାଜ୍ୟରେ ୧୧,୬୬୩ଟି ସଡ଼କ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୫,୪୬୭ ଜଣ ମୃତ୍ୟୁବରଣ କରିଥିଲେ। ୨୦୨୧ ତୁଳନାରେ ଏହା ୭.୬% ଅଧିକ। ଦୁର୍ଘଟଣା ପରେ ଠିକ୍ ସମୟରେ ଆହତମାନଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲେ ଅନେକଙ୍କ ଜୀବନ ବଞ୍ଚାଯାଇପାରିଥାନ୍ତା। ହେଲେ ଏହା ହୋଇପାରିନାହିଁ। ବୈଠକରେ ମୁଖ୍ୟ ସଚିବ ଶ୍ରୀ ଜେନା କହିଥିଲେ ଯେ, ବ୍ୟବହାରିକ ପରିବର୍ତ୍ତନ ଆମକୁ ଶୂନ ମୃତାହତ ଆଣି ଦେଇପାରିବ। ଏ ଦିଗରେ ପିତାମାତାମାନେ ସେମାନଙ୍କ ପିଲାଙ୍କୁ ଦାୟିତ୍ବପୂର୍ଣ୍ଣ ଭାବେ ଗାଡ଼ି ଚଳାଇବା ପାଇଁ ଶପଥ କରାଇବାର ଆବଶ୍ୟକତା ରହିଛି। ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବା, ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରଚାରପ୍ରସାର, ନିଶାଯୁକ୍ତ ହୋଇ ଗାଡ଼ି ଚଳାଉଥିବା ଗାଡ଼ି ଚାଳକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଏ ଦିଗରେ ସଚେତନତା ନେଇ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ଶ୍ରୀ ଜେନା କହିଥିଲେ।

ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ କହିଥିଲେ ଯେ, ସଡ଼କ ଦୁର୍ଘଟଣାକୁ ରୋକିବା ଆମ ପାଇଁ ବଡ଼ ଆହ୍ବାନ। ପ୍ରତ୍ୟେକ ଜୀବନ ମୂଲ୍ୟବାନ। ସଡ଼କ ସୁରକ୍ଷା ରାଜ୍ୟ ସରକାରଙ୍କ ପ୍ରମୁଖ ପ୍ରାଥମିକତା ରହିଛି ଓ ସଡ଼କ ଦୁର୍ଘଟଣା କମାଇବା ପାଇଁ ବିଭାଗ ତରଫରୁ ଅନେକ ପଦଷକ୍ଷପ ନିଆଯାଉଛି। ସଡ଼କ ନିର୍ମାଣ ବେଳେ ଯାନ୍ତ୍ରିକ ଯୋଜନାର ଠିକ୍‌ ଉପଯୋଗ, କଡ଼ାକଡ଼ି ଚଢ଼ଉ ଓ ଦୁର୍ଘଟଣା ସମୟରେ ପୀଡ଼ିତଙ୍କୁ ସହାୟତା ମୃତାହତ ସଂଖ୍ୟାକୁ ଶୂନକୁ ଆଣିପ‌ାରିବ। ସେହିପରି ଗୃହ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ମୃତାହତ ଶୂନ କରିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି।

ଦୁର୍ଘଟଣାଗ୍ରସ୍ତ ପୀଡ଼ିତଙ୍କୁ ଆବଶ୍ୟକ ସମୟରେ ରକ୍ତ ଯୋଗାଇବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ବିଭାଗ ସହ ଯୋଗ‌ାଯୋଗରେ ରହୁଥିବା ସଂପୃକ୍ତ ଗ୍ରୁପକୁ ସଜାଗ ରହିବାକୁ କୁହାଯାଇଛି। ଟ୍ରମା କେୟାର ସେଣ୍ଟରକୁ ୨୪ ଘଣ୍ଟା ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକ ଦୁର୍ଘଟଣା ଘଟୁଥିବା ଅଂଚଳ ଓ ଜାତୀୟ ରାଜପଥରେ ସ୍ୱାସ୍ଥ୍ୟ ବିଭାଗ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଆମ୍ବୁଲାନ୍ସ ମୁତୟନ ବ୍ୟବସ୍ଥା କରିବାକୁ କୁହାଯାଇଛି। ପୂର୍ତ୍ତ ବିଭାଗ ତଥା ସଂପୃକ୍ତ ସଡ଼କ କର୍ତୃପକ୍ଷଙ୍କୁ ଯଥେଷ୍ଟ ସଂଖ୍ୟକ ସଂକେତ (ସାଇନେଜ୍) ଲଗାଇବା, ଆବଶ୍ୟକ ସ୍ଥାନରେ ଖାଲଖମା ମରାମତି ଓ ରାସ୍ତା ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମୀଣ ଓ ସହରାଞ୍ଚଳକୁ ଯୋଗାଯୋଗ କରୁଥିବା ରାସ୍ତାରେ ଟ୍ରାଫିକରୁ ୫୦୦ ମିଟର ପୂର୍ବରୁ ଯାତାୟତ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଆବଶ୍ୟକ ସଂକେତ ରଖିବାକୁ କୁହାଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗକୁ ରାସ୍ତାରେ ଗାଈଗୋରୁ ଚଳାଚଳକୁ ନିଷେଧ କରିବା ଓ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଗାଡ଼ି ପାର୍କିଂ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଂଚଳିକ ସଡ଼କ ପରିବହନ ଅଧିକାରୀ, ପୁଲିସ କର୍ମଚାରୀଙ୍କ ସହ ସପ୍ତ।ହ ବ୍ୟାପି ଚଢ଼ଉକୁ କଡ଼ାକଡ଼ି କରିବେ। ଏହାବ୍ୟତୀତ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ବିଭାଗ, ବ୍ୟବସାୟିକ ସଂଘ ଓ ଟ୍ରକ ମାଲିକ ସଂଘ, ଅଟୋରିକ୍ସା ମାଲିକ ସଂଘମାନଙ୍କୁ ଡ୍ରାଇଭରମାନଙ୍କୁ ଠିକ୍‌ ଭାବେ ଗାଡ଼ି ଚଳାଇବା କାର୍ଯ୍ୟ ସହ ରାଜରାସ୍ତାରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଦେଖିଲେ ତୁରନ୍ତ ସେମାନଙ୍କୁ ସହାୟତା କରିବାକୁ ସଚେତନ କରାଯାଇଛି।

ଏହି ‘ଶୂନ ମୃତାହତ ମିସନ୍‌’ରେ ସ୍ୱେଚ୍ଛାସେବୀ ଓ ପ୍ରଥମେ ପ୍ରତିକ୍ରିୟା ପ୍ରକାଶ କରୁଥିବା ଗ୍ରୁପ ‘ରକ୍ଷକ’ମାନଙ୍କୁ ଏହି ମିସନକୁ ସଫଳ କରିବାକୁ ଅନୁରୋଧ କରାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିସନର ଅନୁ ଗର୍ଗ, ପୁଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ, ପରିବହନ କମିସନର ଅରୁଣ ବୋଥ୍ରା, ଓଏସ୍‌ଆର୍‌ଟିସିର ପରିଚାଳନା ନିର୍ଦ୍ଦେଶକ ଦିପ୍ତେଶ ପଟ୍ଟନ।ୟକଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ଗଛରେ ପିଟିହୋଇ ୩ ସାଙ୍ଗଙ୍କ ମୃତ୍ୟୁ

ଓଡ଼ଗାଁ: ରାମନବମୀ ଯାତ୍ରା ଦେଖି ଘରକୁ ଫେରିବା ବେଳେ ଅଘଟଣ ଘଟି ତିନିସାଙ୍ଗ ପ୍ରାଣ ହରାଇଛନ୍ତି। ଗତକାଲି ରାତି ପ୍ରାୟ ୧୨ଟା ସମୟରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ପଥରା ବୃଦ୍ଧାଶ୍ରମ ନିକଟରେ ଏହିଭଳି ଏକ ଦୁଃଖଦ ଘଟଣା ଘଟିଛି। ମୃତକମାନେ ହେଲେ, ଓଡ଼ଗାଁ ଥାନା ରୋହିବାଙ୍କ ପଞ୍ଚାୟତ ମହେଶ୍ବରପୁର ସ୍କୁଲସାହିର କେଦାର ପ୍ରଧାନଙ୍କ ପୁଅ ମାଧବ ପ୍ରଧାନ (୨୦), ବିକ୍ରମ ପ୍ରଧାନଙ୍କ ପୁଅ ସୂର୍ଯ୍ୟକାନ୍ତ ପ୍ରଧାନ (୧୯) ଏବଂ ହରି ନାୟକଙ୍କ ପୁଅ ରାଜେଶ ନାୟକ (୧୯)।

ମାଧବ, ସୂର୍ଯ୍ୟକାନ୍ତ ଓ ରାଜେଶ- ଏହି ତିନିସାଙ୍ଗଙ୍କ ମଧ୍ୟରୁ ମାଧବ ଓ ରାଜେଶ ଭୁବନେଶ୍ବର ପେଟ୍ରୋଲ୍‌ ପମ୍ପ୍‌ରେ ରହି କାମ କରୁଥିବା ବେଳେ ସୂର୍ଯ୍ୟକାନ୍ତ ଖୋର୍ଦ୍ଧାର ଏକ ହୋଟେଲ୍‌ରେ କାମ କରୁଥିଲେ। ଦଣ୍ତଯାତ୍ରା ଚାଲିଥିବାରୁ ତିନିଜଣ ସାଙ୍ଗ କଥାହୋଇ ଗାଁରେ ପହଞ୍ଚିବା ସହିତ ଶ୍ରୀରାମନବମୀ ଯାତ୍ରା ଦେଖିବାକୁ ଓଡ଼ଗାଁ ଯାଇଥିଲେ। ଯାତ୍ରା ଦେଖି ସାରିବାପରେ ତିନିଜଣ ଯାକ ଏକ ହିରୋ ସ୍ପେ୍ଲଣ୍ତର୍‌ ବାଇକ୍ (ଓଡି୨୫ଏନ୍ ୩୨୭୪) ଯୋଗେ ଫେରୁଥିବା ସମୟରେ ପଥରା ବୃଦ୍ଧାଶ୍ରମ ନିକଟସ୍ଥ ଏକ ବୁଲାଣିରେ ସେମାନଙ୍କ ବାଇକ୍ ରାସ୍ତାକଡ଼କୁ ଖସି ଏକ ବରଗଛରେ ପିଟିହୋଇ ଯାଇଥିଲା। ଫଳରେ, ତିନିଜଣଙ୍କ ମୁଣ୍ତରେ ଶକ୍ତ ଆଘାତ ଲାଗିଥିଲା। ଦୁଇଜଣଙ୍କ ମୁଣ୍ତ ଫାଟି ରକ୍ତ ଝରୁଥିବା ବେଳେ ଆଉ ଜଣକର ନାକ ଫାଟିଯିବା ସହିତ ଗଛରେ ଚାପି ହୋଇ ରହିଥିଲେ। ସେହି ରାସ୍ତା ଦେଇ ବାଇକ୍‌ରେ ଯାଉଥିବା କିଛି ବ୍ୟକ୍ତି ଗାଡ଼ି ଲାଇଟ୍‌ରେ ଦେଖି ସେମାନଙ୍କୁ ଉଦ୍ଧାର କରିବା ସହିତ ପୁଲିସକୁ ଖବର ଦେଇଥିଲେ।
ଖବର ପାଇ ଓଡ଼ଗାଁ ପୁଲିସ ସହାୟତାରେ ପ୍ରଥମେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସୂର୍ଯ୍ୟକାନ୍ତଙ୍କୁ ମୃତ ଘୋଷଣା କରିଥିଲେ ଏବଂ ଅନ୍ୟ ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର, ଡାକ୍ତର ସେଠାରେ ମାଧବ ପ୍ରଧାନ ଓ ରାଜେଶ ନାୟକଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଓଡ଼ଗାଁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ପରେ ପୁଲିସ ତଦନ୍ତ କରୁଛି।

ମହେଶ୍ବରପୁର ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏହି ତିନିଜଣଯାକ ସାଙ୍ଗ ସେମାନଙ୍କ ପରିବାରର ଗୋଟିଏ ଲେଖାଏଁ ପୁଅ ଓ ଗୋଟିଏ ସାହିର ବୋଲି ଜଣାପଡ଼ିଛି। ଗୋଟିଏ ମଶାଣିରେ ୩ ଜୁଇ ଜଳୁଥିବାରୁ ଗ୍ରାମବାସୀ ଓ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ତେବେ, ଏହି ଦୁର୍ଘଟଣାରେ ଗାଡ଼ିର କିଛି କ୍ଷୟକ୍ଷତି ହୋଇନଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର