ଭୁବନେଶ୍ବର/ଅନୁଗୁଳ/ସମ୍ବଲପୁର: ଅନୁଗୁଳ ଜିଲ୍ଲାରେ ଏକ ଘରୋଇ ଡାକ୍ତରଖାନାରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ୧୩ଜଣ ରୋଗୀ ଦୃଷ୍ଟିଶକ୍ତି ହରାଇବା ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତି ସୃଷ୍ଟି ହେବାପଛରେ ସଂପୃକ୍ତ ଡାକ୍ତରଖାନା ସଂକ୍ରମଣ ରୋକିବାକୁ ଆବଶ୍ୟକ ପଦକ୍ଷେପ ନେଇ ନ ଥିବା କୁହାଯାଉଛି। ଏଭଳି ଏକ ରିପୋର୍ଟ ଅନୁଗୁଳ ସିଡିଏମ୍ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ପଠାଇଛନ୍ତି। ରାଜ୍ୟରେ ୮-୯ବର୍ଷ ପରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଶେଷଥର ଲାଗି କଳାହାଣ୍ଡି ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଥିଲା। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ସଂପର୍କିତ ଖବର ନଜରକୁ ଆସିବା ପରେ ଅନୁଗୁଳ ସିଡିଏମ୍ଓଙ୍କୁ ଏକ ରିପୋର୍ଟ ଦେବାକୁ କୁହାଯାଇଥିଲା। ତାଙ୍କ ଟିମ୍ ଦେଇଥିବା
ରିପୋର୍ଟରେ ସଂପୃକ୍ତ ଡାକ୍ତରଖାନାରେ ସଂକ୍ରମଣ ରୋକିବାକୁ ଆବଶ୍ୟକ ପଦକ୍ଷେପ ନିଆଯାଇ ନ ଥିବା କୁହାଯାଇଛି। ତେଣୁ ମୋତିଆବିନ୍ଦୁ ଅସ୍ତ୍ରୋପଚାରକୁ ନେଇ ଥିବା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା ଲାଗି ପୁନର୍ବାର ଜିଲ୍ଲାମାନଙ୍କୁ ପୁନର୍ବାର ନିର୍ଦ୍ଦେଶ ଦିଆଯିବ। ତେବେ କାର୍ଯ୍ୟାନୁଷ୍ଠାନ ସଂପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଅଧିକାରୀ ଜଣକ କହିଛନ୍ତି। ଅନ୍ୟପକ୍ଷରେ, ଅସୁରକ୍ଷିତ ଆଖି ଅସ୍ତ୍ରୋପଚାର ନେଇ ଅଭିଯୋଗ ଆସିବା ପରେ ପ୍ରଶାସନ ପକ୍ଷରୁ ଆଜି ଅନୁଗୁଳସ୍ଥିତ ‘ପ୍ରଧାନ ଆଇ କେୟାର’କୁ ସିଲ୍ କରି ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଏହି ଘରୋଇ କ୍ଲିନିନ୍କୁ ସକାଳେ ସିଲ୍ କରିବା ପରେ ଚିକିତ୍ସାରେ ଅବହେଳା ନେଇ ତଦନ୍ତ ଆରମ୍ଭ କରିଛି। କ୍ଲିନିକ୍ରୁ କିଛି ଯନ୍ତ୍ରାଂଶ ଜବତ କରିବା ସହ ରାସାୟନିକ ପଦାର୍ଥ ଓ ଔଷଧ ନମୁନା ସଂଗ୍ରହ କରିଛି। ତଦନ୍ତ ରିପୋର୍ଟ ଆସିବା ପରେ କ୍ଲିନିକ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏଥିନେଇ ଅନୁଗୁଳ ଜିଲ୍ଲାପାଳ ଅବ୍ଦାଲ ଏମ୍ ଅଖତାର କହିଛନ୍ତି, ରୋଗୀଙ୍କ ପାଖରୁ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ନେଇ ଅଭିଯୋଗ ଆସିବା ପରେ ତତ୍କାଳ ଏହି ଘରୋଇ କ୍ଲିନିକ୍କୁ ସିଲ୍ କରି ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଘଟଣାର ସବୁ ଦିଗକୁ ନଜରରେ ରଖି ତଦନ୍ତ କରୁଛି। ଯଦି ଏଠାରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ହୋଇଥିବାର ପ୍ରମାଣ ମିଳେ କିମ୍ବା କୌଣସି ଅବହେଳା ହୋଇଥାଏ, ତେବେ କ୍ଲିନିକ୍ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସୂଚନା ଅନୁସାରେ, ଗତ ୨୦ ତାରିଖରେ ଅନୁଗୁଳ ସହରରେ ଥିବା ‘ପ୍ରଧାନ ଆଇ କେୟାର’ ନାମକ ଏକ ଘରୋଇ କ୍ଲିନିକ୍ରେ କିଛି ଲୋକ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଥିଲେ।
ଅସ୍ତ୍ରୋପଚାର ପରେ ସମସ୍ତଙ୍କୁ ଘରକୁ ଛାଡ଼ି ଦିଆଯାଇଥିଲା। କିନ୍ତୁ ଘରକୁ ଫେରିବା ପରେ ୧୩ ଜଣ ରୋଗୀଙ୍କ ଆଖିରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ଆଖି ଫୁଲିଯିବା ସହ ଲାଲ୍ ପଡ଼ି ଯାଇଥିଲା। ଧୀରେ ଧୀରେ ଏହା ବଢ଼ିବା ପରେ ସେମାନେ ପୁଣି କ୍ଲିନିକ୍ ସହ ଯୋଗାଯୋଗ କରିଥିଲେ। ଏହା ଦେଖି କ୍ଲିନିକ୍ କର୍ତ୍ତୃପକ୍ଷ ହଡ଼ବଡ଼େଇ ଯିବା ସହ ତରବରିଆ ଭାବେ ବୁର୍ଲା ବଡ଼ ଡାକ୍ତରଖାନାକୁ ପଠାଇ ଦେଇଥିଲେ। ସେଠାରେ ଚିକିତ୍ସିତ ହୋଇ ଏ ଭିତରେ ୧୧ ଜଣ ଫେରିଛନ୍ତି। ଆଉ ୨ ଜଣଙ୍କ ଚିକିତ୍ସା ଚାଲିଛି ଓ ସେମାନେ ସୁସ୍ଥ ହେଉଥିବା ଜଣାପଡ଼ିଛି।