କଳାବାଡ଼ିଆ: ଯେଉଁ ବୁଢ଼ାବଳଙ୍ଗ ଦିନେ ଜୀବିକା ଦେଉଥିଲା, ଏବେ ଭିଟାମାଟି ଗିଳିବାକୁ ବସିଛି। ବର୍ଷକୁ ବର୍ଷ ନଦୀ କୂଳଖାଇ ଜନବସତି ଆଡ଼କୁ ମାଡ଼ି ଯାଉଥିବା ବେଳେ ଆଡ଼ିବନ୍ଧ ନଥିବାରୁ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍ ଅଧୀନ ୪ ପଞ୍ଚାୟତର ଲୋକେ ବିପଦରେ। ଏବେଠୁ ସତର୍କ ନହେଲେ ଆଗକୁ ନଦୀଗର୍ଭରେ ୧୩ରୁ ଅଧିକ ଗାଁ ଲୀନ ହୋଇଯିବାର ଆଶଙ୍କା ଉପୁଜିଛି।
ବାଙ୍ଗିରିପୋଷି ବ୍ଲକ୍ ଅଧୀନ ବଣକାଟିରୁ କଳାବାଡ଼ିଆ ଯାଏ; ବୁଢ଼ାବଳଙ୍ଗର ୧୩ କିଲୋମିଟର ଶଯ୍ୟା କଡ଼େକଡ଼େ ରହିଛି ୪ ପଞ୍ଚାୟତ। ବର୍ଷାଦିନ ଆସିଲେ ପଞ୍ଚାୟତର ଲୋକଙ୍କୁ ଘାରୁଛି ନଈବଢ଼ିର ଭୟ। ୨୦୧୩ ମସିହା ଫାଇଲିନ୍ ବାତ୍ୟା ବେଳର ବିପର୍ଯ୍ୟୟ ଏବେ ବି ସ୍ଥାନୀୟ ଲୋକଙ୍କ ମନରୁ ଲିଭିନି। ୨୦୧୩ ମସିହା ଫାଇଲିନ୍ ବାତ୍ୟାରେ ବୁଢ଼ାବଳଙ୍ଗ କୂଳିଆ ଉକ୍ତ ଗାଁ’ଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ରାତିଅଧରେ ମାଡ଼ି ଆସିଥିଲା ବୁଢ଼ାବଳଙ୍ଗର ବନ୍ୟାପାଣି। କେହି କିଛି ବୁଝିବା ପୂର୍ବରୁ ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଥିଲା। ବିଭିନ୍ନ ସ୍ଥାନରେ ଘାଇ ଫିଟି ଲୋକଙ୍କ ଘରେ ପାଣି ପଶିଥିଲା। ଫଳରେ ମାଟିଘର ଭୁଶୁଡ଼ି ପଡ଼ିବା ସହ ୩ ଶହରୁ ଅଧିକ ପରିବାର ବାସହରା ହୋଇଯାଇଥିଲେ। ତେବେ ଏତେବଡ଼ ବିପର୍ଯ୍ୟୟ ପରେ ବି ସରକାରଙ୍କ ନିଦ ଭାଙ୍ଗିନି। ଗୋଲାମୁଣ୍ଢାକଟା, ତରଡ଼ାପାଳ ଓ ଜୁନା ଗ୍ରାମ ନିକଟରେ ଆଡ଼ିବନ୍ଧ ଥିଲେ ମଧ୍ୟ ନିମ୍ନମାନର କାମ ଯୋଗୁଁ ବହୁ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ସେହିପରି ବଣକାଟି ପଞ୍ଚାୟତକୁ ସୁରକ୍ଷା ଦେଉଥିବା ଆଡ଼ିବନ୍ଧ ଦୁର୍ବଳ ସ୍ଥିତିରେ ଅଛି। ଛୋଟିଆ ବନ୍ୟାକୁ ଅଟକାଇବା ବି ତା’ ପକ୍ଷେ ସମ୍ଭବ ନୁହେଁ। ପଞ୍ଚାୟତର ଦଶରାପଦା ଓ ବଣକାଟି ଗାଁ ଆଡ଼କୁ ବୁଢ଼ାବଳଙ୍ଗ କୂଳ ଖାଇ ମାଡ଼ୁଆସୁଛି।
ମୁକୁଳା ପଡ଼ିଛି ୧୩ କିମି ନଦୀଶଯ୍ୟା
‘ଫାଇଲିନ୍’ ବିଭୀଷିକାରୁ ବି ଶିଖିଲେନି
ପୁଣି ବନ୍ୟା ଆସିଲେ କଥା ସରିଲା
ଭୀମଖନ୍ଦା, କାଜଳି, ବଡ଼ାମଘାଟି, ସତୀକୁଣ୍ଡିଆ, ଜଉମରା, ଜାମୁଦାପାଳ, କଣ୍ଟାପାଳ ଯାଏ ନଦୀ ପ୍ରାୟ ୬ ଶହ ମିଟର ଯାଏ ମାଡ଼ି ଆସିଲାଣି। ତେଣୁ ଏଠାରେ ତୁରନ୍ତ ବନ୍ଧ ନିର୍ମାଣ ନହେଲେ ବର୍ଷ କେଇଟା ଭିତରେ ଯେ ୪ ଶହରୁ ଅଧିକ ପରିବାର ଭିଟାମାଟି ହରାଇବେ, ସେଥିରେ କିଛି ସନ୍ଦେହ ନାହିଁ ବୋଲି କହିଛନ୍ତି ସଂଜିତ ବୈଠା, ଜୟକୃଷ୍ଣ ବେହେରା, କପିଳାସ ବେହେରା, ଅଜିତ ବୈଠା, ବିଶ୍ବଜିତ ବେହେରା ପ୍ରମୁଖ ସ୍ଥାନୀୟ ବାସିନ୍ଦା। ଏନେଇ ବଣକାଟି ସରପଞ୍ଚ ସୁଦର୍ଶନ ନାଏକଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି, କେଉଁ ସ୍ଥାନରେ ଆଡ଼ିବନ୍ଧ ନିର୍ମାଣ ଜରୁରୀ, ଆଇଟିଡିଏ ପକ୍ଷରୁ ତା’ର ତାଲିକା ମଗାଯାଇଛି। ପଞ୍ଚାୟତ ପକ୍ଷରୁ ୮ରୁ୧୦ଟି ସ୍ଥାନ ଚୟନ କରି ଖୁବ୍ଶୀଘ୍ର ଜିଲ୍ଲାପାଳ ଓ ଆଇଟିଡିଏଙ୍କୁ ଜଣାଇବୁ। ସେହିପରି ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟନ୍ତୀ ସିଂ’ଙ୍କ ମତାମତ ନିଆଯାଇଥିଲା। ସେ କହିଛନ୍ତି, ସମସ୍ୟା ପ୍ରତି ଦୃଷ୍ଟି ଦିଆଯିବ। ସମାଧାନର ବାଟ ବାହାର କରାଯିବ।