ନିର୍ବାଚନମଣ୍ଡଳୀ ଗଠନକୁ ୧୩ ବର୍ଷ: ତେଲକୋଇ-ହରିଚନ୍ଦନପୁର ସଡ଼କ ଯୋଗାଯୋଗ ନୋହିଲା

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନମଣ୍ଡଳୀ ପୁନର୍ଗଠନକୁ ୧୩ ବର୍ଷ ବିତିଛି। ତେଲକୋଇ, ବାଂଶପାଳ ଓ ହରିଚନ୍ଦନପୁର ବ୍ଲକ୍‌କୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ ହୋଇଛି। ହେଲେ ଆଶ୍ଚର୍ଯ୍ୟର କଥା ଦୁଇ ପଡ଼ୋଶୀ ବ୍ଲକ୍‌ ହରିଚନ୍ଦନପୁର ଓ ତେଲକୋଇ ମଧ୍ୟରେ ଏଯାଏ ଯୋଗାଯୋଗ ସ୍ଥାପନ ହୋଇପାରି ନାହିଁ। ତେଲକୋଇ ଓ ହରିଚନ୍ଦନପୁର ବ୍ଲକ୍‌ ମଧ୍ୟରେ ସିଧାସଳଖ ରାସ୍ତା ନିର୍ମାଣ ହୋଇପାରୁ ନଥିବାରୁ ଲୋକେ କେନ୍ଦୁଝର ଦେଇ ନଚେତ କାଞ୍ଜିପାଣି ଓ ଗୋନାସିକା ଦେଇ ଯାତାୟାତ କରୁଛନ୍ତି।

୨୦୦୯ ମସିହାରେ ତେଲକୋଇ ନିର୍ବାଚନମଣ୍ଡଳୀ ପୁନର୍ଗଠିତ ହୋଇଥିଲା। ହରିଚନ୍ଦନପୁର ବ୍ଲକ୍‌କୁ ସମ୍ପୂର୍ଣ୍ଣ ଭାବେ ଏହି ନିର୍ବାଚନମଣ୍ଡଳୀରେ ସାମିଲ କରାଯାଇଥିଲା। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବିଧାୟକ ଭାବେ ପ୍ରେମାନନ୍ଦ ନାୟକ, ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବେଦବ୍ୟାସ ନାୟକ ଏବଂ ୨୦୧୯ରୁ ଅଦ୍ୟାବଧି ପ୍ରେମାନନ୍ଦ ନାୟକ ବିଧାୟକ ଭାବେ ଏହି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ବ କରୁଛନ୍ତି। କିନ୍ତୁ ତେଲକୋଇରୁ ହରିଚନ୍ଦନପୁରକୁ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇପାରୁନାହିଁ। ୨୦୧୭ ମାର୍ଚ୍ଚ ୮ରେ ଗ୍ରାମ୍ୟ ଉନ୍ନୟନ ବିଭାଗର ତତ୍କାଳୀନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ସାଂସଦ ଶକୁନ୍ତଳା ଲାଗୁରି, ବିଧାୟକ ବେଦବ୍ୟାସ ନାୟକ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

୭ କୋଟି ୭୪ ଲକ୍ଷ ୨୬ ହଜାର ୩୯୯ ଟଙ୍କା ବ୍ୟୟ ଅଟ୍ଟକଳରେ ତେଲକୋଇ-ମଧୁସୂଦନପୁର-ତାଳପଦା ୨୬ କିମି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୫ ବର୍ଷ ପର୍ଯ୍ୟନ୍ତ ଏହି ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ୪ କୋଟି ୮୧ ଲକ୍ଷ ୧୧୫୩ ଟଙ୍କା ବ୍ୟୟବରାଦ କରାଯାଇଥିଲା। କିନ୍ତୁ ଠିକାଦାରଙ୍କ ମନମାନି ପାଇଁ ନିର୍ଦ୍ଧାରିତ ସମୟରେ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ। ୪ ବର୍ଷ ପରେ ପୁଣି ଜଣେ ନୂଆ ଠିକାଦାରଙ୍କୁ ରାସ୍ତା କାମ ସମ୍ପୂର୍ଣ୍ଣ କରିବା ପାଇଁ ଦାୟିତ୍ଵ ଦିଆଯାଇଥିଲା। ଇତିମଧ୍ୟରେ ବର୍ଷେରୁ ଊର୍ଦ୍ଧ୍ବ ସମସ୍ତ ବିତିଥିଲେ ମଧ୍ୟ କାମ ଶେଷ ହୋଇପାରି ନାହିଁ। ଫଳରେ ଉଭୟ ବ୍ଲକ୍‌ର ଜନସାଧାରଣ ଗମନାଗମନ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ତେଲକୋଇରୁ ହରିଚନ୍ଦନପୁର ଦୂରତା ମାତ୍ର ୫୨ କିମି। ଉଭୟ ଅଞ୍ଚଳବାସୀ ଦୀର୍ଘ ୧୦୦ କିମିରୁ ଊର୍ଦ୍ଧ୍ବ ରାସ୍ତା ଅତିକ୍ରମ କରି ଯାତାୟାତ କରୁଛନ୍ତି। ଖରାଦିନେ ଏହି ଅର୍ଦ୍ଧନିର୍ମିତ ରାସ୍ତାରେ ବିପଦସଙ୍କୁଳ ଭାବେ କିଛି ଯାତ୍ରୀବାହୀ ଗାଡ଼ି ଚଳାଚଳ କରୁଥିବା ବେଳେ ବର୍ଷାଦିନେ ତାହା ସମ୍ଭବ ହେଉନାହିଁ। ଶିମିଳିପାଳ ଗ୍ରାମ ନିକଟରେ ୫୦୦ ମିଟର, ତାଳପଦାଠାରୁ ପଙ୍ଗା ପର୍ଯ୍ୟନ୍ତ ୬ କିମି ଓ ପଙ୍ଗା ଗ୍ରାମରୁ ହରିଚନ୍ଦନପୁର ବ୍ଲକ୍‌ ଅନ୍ତର୍ଗତ ପିଠାଗୋଳା ପର୍ଯ୍ୟନ୍ତ ୭ କିମି ମୋଟ ୧୩.୫ କିମି ରାସ୍ତା ନିର୍ମାଣ ଏଯାଏ ସମ୍ଭବ ହୋଇପାରୁ ନାହିଁ। ରାଜାରାଜୁଡ଼ା ସମୟରୁ ତେଲକୋଇ ଓ ହରିଚନ୍ଦନପୁର ଅଞ୍ଚଳ ମଧ୍ୟରେ ସାମାଜିକ, ରାଜନୈତିକ, କୃଷିଭିତ୍ତିକ, ଧାର୍ମିକ, ପାରମ୍ପରିକ ସମ୍ବନ୍ଧ ରହିଆସିଛି। ନିର୍ବାଚନମଣ୍ଡଳୀ ପୁନର୍ଗଠିତ ହେବା ପରେ ଗମନାଗମନ କ୍ଷେତ୍ରରେ ସୁଧାର ଆସିବ ବୋଲି ଲୋକେ ଆଶା କରିଥିଲେ।

କିନ୍ତୁ ତାହା ସମ୍ଭବ ହେଉନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ତେଲକୋଇରୁ ଭାୟା ମଧୁସୂଦନପୁର, ତାଳପଦା ଓ ପିଠାଗୋ‌ଳା ଦେଇ ହରିଚନ୍ଦନପୁରକୁ ରାସ୍ତା ନିର୍ମାଣ ହେଲେ ତେଲକୋଇ ଅଞ୍ଚଳବାସୀ ସହଜରେ ଘଟଗାଁ, ଆନନ୍ଦପୁର ସମେତ ପଡ଼ୋଶୀ ଜିଲ୍ଲା ଯାଜପୁର ଆସିପାରିବେ। କିନ୍ତୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ପାଇଁ ତେଲକୋଇ ନିର୍ବାଚନମଣ୍ଡଳୀର ଜନସାଧାରଣ ଏଥିରୁ ବଞ୍ଚିତ ହେଉଛନ୍ତି। ରାସ୍ତା ନିର୍ମାଣ ପାଇଁ ଅନେକ ଥର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବା ସହ ଲୋକେ ଆନ୍ଦୋଳନ କରିଛନ୍ତି ହେଲେ କୌଣସି ସୁଫଳ ମିଳୁନି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର