ପିପିଲି: ଭାର୍ଗବୀ ନଦୀର ପ୍ରଳୟଙ୍କରୀ ବନ୍ୟାକୁ ୧୩ବର୍ଷ ପୂରିଲା। ଅଦ୍ୟାବଧି ଖଇରିକୁଣ୍ଡ ଗ୍ରାମବାସୀଙ୍କର କ୍ଷତ ଶୁଖିନି। ସରକାରୀ ସୁବିଧା ସୁଯୋଗକୁ ଏବେବି ଅପେକ୍ଷା କରିଛନ୍ତି ଗ୍ରାମବାସୀ। ୨୦୧୧ ସେପ୍ଟେମ୍ବର ୧୨ ତାରିଖ, ଭାର୍ଗବୀ ନଦୀର ପ୍ରଳୟଙ୍କରୀ ବନ୍ୟାରେ ନଦୀ ବନ୍ଧ ଉଛୁଳିଲା। ସେହି ରାତିରେ ରଥପୁରୁଷୋତ୍ତମପୁର ପଞ୍ଚାୟତ ଅନ୍ତର୍ଗତ ଖଇରିକୁଣ୍ଡ ଗାଁ ମୁଣ୍ଡରେ ୨ଶହ ଫୁଟ ଚଉଡ଼ାରେ ଭାର୍ଗବୀ ନଦୀ ବନ୍ଧରେ ଘାଇ ସୃଷ୍ଟି ହେଲା। ଫଳରେ ଗାଁର ୧୫ଟି ପରିବାରର ଘର ଭାସିଗଲା। ଭିଟାମାଟିକୁ ହରାଇ ସର୍ବସ୍ବାନ୍ତ ହୋଇଗଲେ ସେମାନେ। ଏହାମଧ୍ୟରେ ଦୀର୍ଘ ୧୩ ବର୍ଷ ବିତିଗଲାଣି, ମାତ୍ର ଗାଁର ୨ଟି ପରିବାରକୁ ବାଦ୍‌ ଦେଲେ ଅନ୍ୟ ୧୩ ବିପନ୍ନ ପରିବାରକୁ ଅଦ୍ୟାବଧି ସରକାରୀ ଆବାସ ଯୋଜନାରେ ଘରଖଣ୍ଡେ ମିଳିନି। ଏବେ ବି ସେଠାରେ କ୍ଷତିଗ୍ରସ୍ତମାନେ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି।

Advertisment

ସୂଚନା ଅନୁଯାୟୀ, ବନ୍ୟା ଛାଡ଼ିବା ପରେ ତତ୍କାଳୀନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଉକ୍ତ ଗାଁକୁ ଯାଇ ବନ୍ୟାଦୁର୍ଗତଙ୍କୁ ଭେଟି ସମବେଦନା ଜଣାଇବା ସହ ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ ବାସଗୃହ ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ। ପରେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଓ ରାଜନେତାମାନେ ଏହି ଗାଁକୁ ଯାଇ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଅଜାଡ଼ି ଦେଲେ। କିନ୍ତୁ ବାସ୍ତବରେ ଏମାନଙ୍କ ପାଇଁ ସରକାରୀ ଯୋଜନା ସାତସପନ ପାଲଟିଛି। ଏହି ଗାଁର ୫ଟି ଦଳିତ ପରିବାର ଭ୍ରମର ବେହେରା, ଲକ୍ଷ୍ମଣ ବେହେରା, ସୁକାନ୍ତ ବେହେରା, ଏକାଦଶୀ ବେହେରା, ଅରକ୍ଷିତ ବେହେରା ପୁନି ବେହେରାଙ୍କର ପିତୃପୁରୁଷର ଘର ପ୍ରଳୟଙ୍କରୀ ବନ୍ୟାରେ ମାଟିରେ ମିଶିଗଲା। ସେବେଠାରୁ ଏମାନେ ଝାଟିମାଟି ଛପର ଓ ଜରିପାଲ ତଳେ ଜୀବନ କାଟୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ଗାଁର ମଧୁସୂଦନ ବରାଳ, ସିନ୍ଧୁ ବରାଳ, ଚତୁର୍ଭୁଜ ପ୍ରଧାନ, କୈଳାସ ଚନ୍ଦ୍ର ପ୍ରଧାନ, ଦାଶରଥି ବରାଳ, ବାସୁଦେବ ବରାଳ ଘର ଖଣ୍ଡେ ପାଇବା ପାଇଁ ବାରମ୍ବାର ବ୍ଲକ୍‌ କାର୍ଯ୍ୟାଳୟକୁ ଯାଇ ନିରାଶ ହୋଇ ଫେରିଥିବା ଅଭିଯୋଗ କରିଛନ୍ତି। ଏପରିକି ଗାଁରେ ଥିବା କୋଠଘର ମଧ୍ୟ ବନ୍ୟା ସମୟ‌ରେ ମାଟିରେ ମିଶି ଯାଇଥିଲା। ସେହିପରି ଗାଁକୁ ଯିବାପାଇଁ ଏକମାତ୍ର କେନାଲ ବନ୍ଧ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏ ସମ୍ପର୍କରେ ଏହି ପଞ୍ଚାୟତ ସରପଞ୍ଚ ସୁବାସ ଚନ୍ଦ୍ର ପଲାଇଙ୍କୁ ପଚାରିବାରେ ଆବାସ ଚୟନ କରିବାରେ ପଞ୍ଚାୟତର କିଛି ଭୂମିକା ନାହିଁ। ତେବେ ପଞ୍ଚାୟତ ପକ୍ଷରୁ ଏନେଇ ବ୍ଲକ୍‌ ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିବା ସେ କହିଛନ୍ତି।