ଭୁବନେଶ୍ବର: ରାଜ୍ୟର ୧୭ଟି ସରକାରୀ ବିଶ୍ବବିଦ୍ୟାଳୟ ମଧ୍ୟରୁ ମାତ୍ର ୪ଟିର ନାକ୍‌ ମାନ୍ୟତା ରହିଛି। ସଦ୍ୟତମ ଭାବେ ‘ଏ’ ଗ୍ରେଡ୍‌ ମାନ୍ୟତା ପାଇଥିବା ଉତ୍କଳ ବିଶ୍ବବିଦ୍ୟାଳୟର ନାକ୍‌ ଅବଧି ୨୦୨୮ ପର୍ଯ୍ୟନ୍ତ ରହିଛି। ଯେ‌ତେବେଳେ କି ୨୦୨୨ରେ ‘ବି’ ଗ୍ରେଡ୍‌ ପାଇଥିବା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅବଧି ୨୦୨୭ ଓ ‘ଏ’ ଗ୍ରେଡ୍‌ ହାସଲ କରିଥିବା ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ନାକ୍‌ ସମୟ ଅବଧି ୨୦୨୮ ଯାଏ ରହିଛି। ଏହାରି ଭିତରେ ଫକୀର ମୋହନ ବିଶ୍ବବିଦ୍ୟାଳୟକୁ ନାକ୍‌ ‘ଏ’ ଗ୍ରେଡ୍‌ ମାନ୍ୟତା ମିଳିସାରିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନ ଅନ୍ୟ ୧୩ଟି ସରକାରୀ ବିଶ୍ବବିଦ୍ୟାଳୟର ନାକ୍‌ ମାନ୍ୟତା ନାହିଁ।

Advertisment

ସେହିପରି ଉତ୍କଳ ବିଶ୍ବବିଦ୍ୟାଳୟର ନାକ୍‌ ମାନ୍ୟତାର ପୁନଃଯାଞ୍ଚ ପ୍ରକ୍ରିୟା ଚାଲିଛି, ଯାହାକି ୨୮ ତାରିଖରେ ଶେଷ ହେବ। ସମ୍ବଲପୁର ଓ ରେଭେନ୍ସା‌ ବିଶ୍ବବିଦ୍ୟାଳୟ ନାକ୍‌ ପରିଦର୍ଶନ ପାଇଁ ଅପେକ୍ଷାରେ ରହିଛନ୍ତି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସେଲ୍ଫ ଷ୍ଟଡି ରିପୋର୍ଟ(ଏସ୍‌ଏସ୍‌ଆର) ଖୁବ୍‌ଶୀଘ୍ର ନାକ୍‌ରେ ଦାଖଲ କରିବାକୁ ଯାଉଛନ୍ତି। ଧରଣୀଧର ବିଶ୍ବବିଦ୍ୟାଳୟ, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ଓ ଓଡ଼ିଆ ବିଶ୍ବବିଦ୍ୟାଳୟ ନୂତନ ଭାବେ ପ୍ରତିଷ୍ଠା ହୋଇଥିବାରୁ ନାକ୍‌ ଗ୍ରେଡ୍‌ ପାଇବାକୁ ଯୋଗ୍ୟତା ହାସଲ କରିନାହାନ୍ତି। ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ, କଳାହାଣ୍ଡି ବିଶ୍ବବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଓ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ନିଜର ଏସ୍‌ଏସ୍‌ଆର ପ୍ରସ୍ତୁତ କରୁଛନ୍ତି। ପୁରୀ ଶ୍ରୀଜଗନ୍ନାଥ ବିଶ୍ବବିଦ୍ୟାଳୟର ଅବଧି ୨୦୨୧ରେ ସରିଛି। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଆକ୍ଟ ୧୯୫୬ର ଧାରା ୨(ଏଫ୍‌) ଓ ୧୨(ବି)ରେ ପଞ୍ଜିକରଣ କରିଥିବା ରାଜ୍ୟର ୫୧୭ ମହାବିଦ୍ୟାଳୟ ମଧ୍ୟରୁ ୨୦୫ଟି ମହାବିଦ୍ୟାଳୟ ମାନ୍ୟତା ହାସଲ କରିଛନ୍ତି। କଟକ ଜିଲ୍ଲାର ସର୍ବାଧିକ ୨୬ଟି ମହାବିଦ୍ୟାଳୟ ନାକ୍‌ ମାନ୍ୟତା ପାଇଥିବା ବେଳେ ବାଲେଶ୍ବରର ୧୭, ଖୋର୍ଦ୍ଧାର ୧୧, ଯାଜପୁର ଓ ଢେଙ୍କାନାଳର ୧୦, କେନ୍ଦ୍ରାପଡ଼ା ଓ ବରଗଡ଼ର ୯ଟି ମହାବିଦ୍ୟାଳୟର ନାକ୍‌ ମାନ୍ୟତା ରହିଛି। ନବରଙ୍ଗପୁରର କୌଣସି ମହାବିଦ୍ୟାଳୟର ନାକ୍‌ ମାନ୍ୟତା ନ ଥିବା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଏକ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିଧାନସଭାରେ ଉତ୍ତର ରଖିଛନ୍ତି।

ଅନ୍ୟପକ୍ଷରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟରେ ୧୦୯୪ଟି ପ୍ରଫେସର, ସହଯୋଗୀ ଓ ସହକାରୀ ପ୍ରଫେସର ପଦବି ଖାଲି ରହିଛି। ସରକାରୀ କଲେଜରେ ୩୮୫ ଓ ଅନୁଦାନପ୍ରାପ୍ତ କଲେଜରେ ୧୦୬୫ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବି ଖାଲି ପଡ଼ିଛି। ସରକାରୀ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖାଲି ପଦବି ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ବିହିତ ପଦକ୍ଷେପ ନିଆଯାଇଛି। ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ଖାଲିଥିବା ପଦବିଗୁଡ଼ିକ ପୂରଣ କରିବାକୁ ଓଡ଼ିଶା ରାଜ୍ୟ ଚୟନ ବୋର୍ଡ ଦ୍ବାରା ପଦକ୍ଷେପ ନିଆଯାଉଛି। ନିଯୁକ୍ତି ପ୍ରକ୍ରିୟାରେ ତ୍ରୁଟି/ଅନିୟମିତତା ଦର୍ଶାଇ ଗତ ୨୫ ବର୍ଷରେ ୭୦ଟି ମାମଲା ବିଭିନ୍ନ ଅଦାଲତରେ ରୁଜୁ ହୋଇଛି। ଏସ୍‌ଏସ୍‌ବି ବିରୋଧରେ ୪୨ଟି ମାମଲା ହୋଇଥିବା ବେଳେ ଓପିଏସ୍‌ସି ବିରୋଧରେ ୨, ସମ୍ବଲପୁର ବିଶ୍ବବିଦ୍ୟାଳୟ ବିରୋଧରେ ୨୧, ରେଭେନ୍ସା ବିଶ୍ବବିଦ୍ୟାଳୟ ବିରୋଧରେ ୫ଟି ମାମଲା ରହିଛି। ସେଥିମଧ୍ୟରୁ ୧୭ଟି ମାମଲା ବିଚାରଧୀନ ରହିଛି। ୫୩ଟି ମାମଲାର ସମାଧାନ ହୋଇଥିବା ବିଧାୟକ ନବ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ନାୟକ ଏହା କହିଛନ୍ତି।