ଅନୁଗୁଳ : ଦୀର୍ଘ ୪୦ବର୍ଷ ପରେ ଚଳିତବର୍ଷ ଦ୍ବିତୀୟ ବାର ସାତକୋଶିଆ ଗଣ୍ଡରେ ବିରଳ ଘଡ଼ିଆଳ ପ୍ରଜାତିର କୁମ୍ଭୀର ବଂଶ ବିସ୍ତାର କରିଛନ୍ତି। ମଙ୍ଗଳବାର ଦିନ ପ୍ରାୟ ୩୦ରୁ ଅଧିକ ଅଣ୍ଡା ଫୁଟିଲା ପରେ ଆଜି ମହାନଦୀ ଗଣ୍ଡରେ ଖେଳା ବୁଲା ଆରମ୍ଭ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମହାନଦୀର ସାତକୋଶିଆ ଗଣ୍ଡ ହେଉଛି ବିଲୁପ୍ତପ୍ରାୟ ଘଡ଼ିଆଳଙ୍କର ଆବାସ ସ୍ଥଳୀ। ଏହାର ଭରପୂର ପ୍ରମାଣ ରହିଥିଲେ ହେଁ ଗଲା ୪୦ବର୍ଷ ହେଲା ଘଡ଼ିଆଳ ପ୍ରଜନନ ଏଠି ସାତସପନ ଭଳି ହୋଇଥିଲା। ସବୁ ପ୍ରକାର ଉଦ୍ୟମ ସତ୍ତ୍ବେ ଘଡ଼ିଆଳ ରହୁଥିଲେ ସତ, କିନ୍ତୁ ପ୍ରଜନନ କରୁନଥିଲେ। କିନ୍ତୁ, ଗତବର୍ଷ ବନ ବିଭାଗର କୌଣସି ଉଦ୍ୟମ ବିନା ସାତକୋଶିଆ ଗଣ୍ଡର ବଳଦମରାଠାରେ ମାଈ ଘଡ଼ିଆଳ ୨୮ଟି ଶାବକ ନେଇ ଗଣ୍ଡରେ ଖେଳୁଥିବା ନଜର ଆସିଥିଲା। କିନ୍ତୁ, ନବଜାତକ ଠାବ ହେବାର କେଇଟା ଦିନ ଭିତରେ ମହାନଦୀରେ ବନ୍ୟା ମାଡି ଆସିଲା। ଶାବକ ସବୁ ମା’ଠାରୁ ଛିନ୍ନଛତ୍ର ହୋଇଗଲେ। କେହି କେହି ବନ୍ୟାପାଣିରେ ଭାସିଗଲେ ତ କେହି ମାଛ ଜାଲରେ ପଡ଼ିଲେ। ମୋଟ୍ ୨୮ଟି ଶାବକ ମଧ୍ୟରୁ ମହାନଦୀର ତଳମୁଣ୍ଡରୁ ମାତ୍ର ୩/୪ଟି ଛୁଆ ଉଦ୍ଧାର ହୋଇ ନନ୍ଦନକାନନକୁ ଗଲେ।
ଘଡ଼ିଆଳ କୁମ୍ଭୀରଙ୍କ ପ୍ରଜନନ ସମୟ ହେଉଛି ଖରା ଦିନ। ତେଣୁ, କୁମ୍ଭୀରଙ୍କ ଅଣ୍ଡାଦିଆ ଋତୁ ଆରମ୍ଭ ହେବା କ୍ଷଣି ଘଡ଼ିଆଳ ଅଣ୍ଡା ଦେଉଥିବା ସ୍ଥାନ ‘ବଳଦମରା’କୁ ସୁରକ୍ଷା ଦିଆଯାଇଥିଲା। ଗତମାସରେ ଏକ ମା’ ଘଡ଼ିଆଳ ବାରମ୍ବାର ବଳଦମରା ବାଲିକୁ ଯାତାୟତ କରୁଥିବା ସିସିଟିଭି ନଜରକୁ ଆସିଥିଲା। ସାତକୋଶିଆ ଡିଏଫ୍ଓ ସରୋଜ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏସିଏଫ୍ ଶୁଭେନ୍ଦୁ ବେହେରାଙ୍କ ସମେତ ପୂରା ଟିମ୍ ବଳଦମରା ଉପରେ ନଜର ରଖିଥିଲେ। ଗତକାଲି ରାତିରେ ଅଣ୍ଡାଗୁଡ଼ିକ ଫୁଟି ଶାବକ ବାହାରିଥିବା ବେଳେ ବାଲିରୁ ମା’ ଘଡ଼ିଆଳ ତା’ ଛୁଆଙ୍କୁ ନେଇ ମହାନଦୀ ଗଣ୍ଡକୁ ଆସିଛି, ଯାହାର ଫଟୋ କ୍ୟାମେରାରେ କୈଦ୍ ହୋଇଛି। ମହାନଦୀ ଗଣ୍ଡରେ ପ୍ରାୟ ୩୦ରୁ ଅଧିକ ଶାବକ ଖେଳୁଛନ୍ତି ବୋଲି ସାତକୋଶିଆ ଡିଏଫ୍ଓ ଶ୍ରୀ ପଣ୍ଡା ‘ସମ୍ବାଦ’କୁ କହିଛନ୍ତି। ଗତବର୍ଷ ଶାବକଙ୍କ ଜନ୍ମ ବିଷୟରେ ଆମେ ବିଳମ୍ବରେ ଜାଣିବାକୁ ପାଇଥିଲୁ। ଏଥର କିନ୍ତୁ ମହାନଦୀରେ ବନ୍ୟା ଆସିବାର ପ୍ରାୟ ଦେଢ଼ ମାସ ପୂର୍ବରୁ ଶାବକ ଜନ୍ମ ନେଇଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ଆମ ପାଖରେ ସମୟ ଅଛି ବୋଲି ଡିଏଫ୍ଓ ଶ୍ରୀ ପଣ୍ଡା କହିଛନ୍ତି।
ହାଇଦ୍ରାବାଦ ସ୍ଥିତ କୁମ୍ଭୀର ଇନ୍ଷ୍ଟିଚ୍ୟୁଟ୍ର ପ୍ରାକ୍ତନ ରିସର୍ଚ୍ଚ ଅଫିସର ତଥା ଓଡ଼ିଶା ସରକାରଙ୍କର ବରିଷ୍ଠ ବନ୍ୟପ୍ରାଣୀ ଗବେଷଣ ଲାଲା ଏ. କେ. ସିଂହ ଦୀର୍ଘ ୪୦ବର୍ଷ ପରେ ଲଗାତାର ଦ୍ବିତୀୟ ବାର ସାତକୋଶିଆରେ ଘଡ଼ିଆଳ ପ୍ରଜନନକୁ ନେଇ ଯେତିକି ଖୁସି ବ୍ୟକ୍ତ କରିଛନ୍ତି, ସେତିକି ସତର୍କ ମଧ୍ୟ କରାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/anugul-co.jpg)