କରୋନାରେ ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ଭାଗ ନେଇନଥିଲେ ଟିକା, ଜାନୁଆରିରେ ପ୍ରାଣ ହରାଇଥିଲେ ୮୬

ମାସେ ପରେ ୩ ହଜାରକୁ ଖସିଲା ଦୈନିକ ସଂକ୍ରମଣ
ଗୋଟିଏ ଦିନରେ ସର୍ବାଧିକ ୨୩ ମୃତ୍ୟୁ

ଭୁବନେଶ୍ବର : ଜାନୁଆରିରେ କରୋନାରେ ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୫ପ୍ରତିଶତ ଟିକା ନେଇ ନାହାନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ବାସ୍ଥ୍ୟ ବିଭାଗକୁ ଯେତିକି ମୃତକଙ୍କ ତଥ୍ୟ ମିଳିଛି, ତାହାର ଅନୁଶୀଳନରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଏପରିକି ମୃତକଙ୍କ ମଧ୍ୟରେ ଅନେକ ଗୋଟିଏ ଡୋଜ୍ ନେଇଥିବା ଜଣାପଡ଼ିଛି। ରାଜ୍ୟରେ ଡେଲ୍‌ଟା ପ୍ରଜାତି ପ୍ରଭାବ ବିସ୍ତାର କରିଥିବା ବେଳେ ଟିକା ନ ନେବା କାରଣରୁ ମୃତ୍ୟୁ ସଂଖ୍ୟା ରାଜ୍ୟରେ ବଢ଼ିବାରେ ଲାଗିଛି। ଜାନୁଆରି ମାସରେ ସମୁଦାୟ ୧୫୦ଜଣଙ୍କ ମୃତ୍ୟୁ ସଂପର୍କରେ ସରକାରୀ ଭାବେ ଘୋଷଣା ହୋଇଛି। ତେବେ ରାଜ୍ୟବ୍ୟାପୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ମୃତକଙ୍କ ସମସ୍ତ ତଥ୍ୟ ବିଭାଗ ନିକଟକୁ ଆସିନାହିଁ। କେବଳ ଏସ୍‌ସିବି ମେଡ଼ିକାଲ କଲେଜରୁ ତଥ୍ୟ ମିଳିଛି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଜାନୁଆରି ମାସରେ ଏସ୍‌ସିବିରେ ୮୬ଜଣଙ୍କ ମୃତ୍ୟୁ ହୋଇଛି। ତହିଁରୁ ୩୦ଜଣ ଟିକା ନେଇ ନଥିବା ବେଳେ ୧୮ଜଣ ଗୋଟିଏ ଡୋଜ୍ ଓ ୩୮ଜଣ ଡବଲ୍‌ ଡୋଜ୍ ନେଇଛନ୍ତି। ଡବଲ୍‌ ଡୋଜ୍ ନେଇଥିବା ଅଧିକାଂଶ ମୃତକ ବୟସ୍କ ଓ କୋ-ମର୍ବିଡ୍‌ ବା ଜଟିଳ ରୋଗରେ ପୀଡ଼ିତ ଥିଲେ। ତେଣୁ ସବୁ ହସ୍ପିଟାଲରୁ ମୃତକଙ୍କ ତଥ୍ୟର ଅନୁଶୀଳନ କରାଗଲେ, ରାଜ୍ୟର ମୃତକଙ୍କ ସଂପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ।

ଅପରପକ୍ଷେ ସଂକ୍ରମଣ ହ୍ରାସ ପାଇବା ବେଳକୁ ମୃତ୍ୟୁ ସଂଖ୍ୟା ବଢ଼ିବା ପଛରେ ଜିଲ୍ଲାସ୍ତରରୁ ଠିକ୍ ସମୟରେ ଡେଥ୍‌ ଅଡିଟ୍‌ ରିପୋର୍ଟ ଆସୁ ନ ଥିବା କୁହାଯାଉଛି। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଉଥିବା ଆକ୍ରାନ୍ତଙ୍କ ଡେଥ୍ ଅଡିଟ୍‌ ରିପୋର୍ଟ ୪୮ଘଣ୍ଟା ଭିତରେ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଜିଲ୍ଲାରୁ ଠିକ୍ ସମୟରେ ଏସବୁ ରିପୋର୍ଟ ଆସୁ ନ ଥିବାକୁ ନେଇ ବିଭାଗୀୟ ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିୟମିତ ଭାବେ ରୋଗୀଙ୍କ ଟ୍ରିଟମେଣ୍ଟ ପ୍ରୋଟୋକଲର ସମୀକ୍ଷା ଓ କେଉଁଠାରେ ଯଦି ତ୍ରୁଟି ରହିଛି ତାହାର କିଭଳି ସଂଶୋଧନ କରାଯିବ, ତାହା ଉପରେ ସିଡିଏମ୍‌ଓମାନଙ୍କୁ କୁହାଯାଇଥିବା ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଉଭୟ ପ୍ରଥମ ଓ ଦ୍ବିତୀୟ ଲହରରେ ରାଜ୍ୟରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟାକୁ ନେଇ ଏଭଳି ଅସାମନତା ଦେଖିବାକୁ ମିଳିଥିଲା।

ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହୋଇଛି। ଗୋଟିଏ ମାସର ବ୍ୟବଧାନ ପରେ ରାଜ୍ୟରେ ଦୈନିକ ସଂକ୍ରମଣ ୩ହଜାର ତଳକୁ ଖସି ଆସିଛି। ଜାନୁମାରି ୬ ତାରିଖରେ ଦୈନିକ ସଂକ୍ରମଣ ୩ ହଜାର ତଳେ ରହିଥିଲା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୬୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ‌ଏଥିରେ ଖୋର୍ଧାରୁ ସର୍ବାଧିକ ୫୧୩, ସୁନ୍ଦରଗଡ଼ ୨୯୧, କଟକ ୧୩୮, ଯାଜପୁର ୧୨୭, ମୟୂରଭଞ୍ଜ ୧୨୮ ଓ ‌ଷ୍ଟେଟ୍‌ ପୁଲରୁ ୧୦୮ ଆକ୍ରାନ୍ତ ବାହାରିଛନ୍ତି। ଅନ୍ୟ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ଦୁଇ ଅଙ୍କରେ ସୀମିତ ରହିଛି। ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୬୨ହଜାର ୧୦୨କୁ ବୃଦ୍ଧି ପାଇଛି। ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୨୩ଜଣ ଆକ୍ରାନ୍ତ କ‌ରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ଘୋଷଣା ହୋଇଛି। ଏହା ଚଳିତ ତୃତୀୟ ଲହରର ସର୍ବାଧିକ ମୃତ୍ୟୁ। ପୂର୍ବରୁ ମୃତ୍ୟୁସଂଖ୍ୟା ୨୦ ତଳେ ରହୁଥିବାବେଳେ ଏବେ ତାହା ବଢ଼ିଛି। ରାଜ୍ୟର ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୮୬୮୯କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର