ଜାମିନ ପରେ ବି ମୁକୁଳିପାରୁ ନାହାନ୍ତି ୩୭ ବନ୍ଦୀ, ଜାମିନଦାର ହାଜର କରିବାକୁ ଅକ୍ଷମ

ବ୍ରହ୍ମପୁର: ଅପରାଧ ଘଟାଇ ପୁଲିସ ହାତରେ ବନ୍ଧାହୋଇ ଜେଲ୍‌ ଗଲେ। ବଡ଼ କଷ୍ଟରେ ଜାମିନ ମିଳିଲା। ହେଲେ, ଜେଲ୍‌ରୁ ବାହାରିପାରୁନାହାନ୍ତି ଅଭିଯୁକ୍ତ। ଜେଲ୍‌ରୁ ଛାଡ଼ ପାଇବା ପାଇଁ କୋର୍ଟ ଅନୁମତି ଦେଇ ସାରିଥିଲେ ସୁଦ୍ଧା ନିଜ ଘରକୁ ଯାଇ ନ ପାରି ଏବେ ବି ଜେଲ୍‌ରେ ବନ୍ଦୀ ଜୀବନ ବିତାଉଛନ୍ତି। ଜଣେ କି ଦୁଇ ଜଣ ନୁହନ୍ତି, ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହିଛନ୍ତି ଏଭଳି ୩୭ଜଣ ବଚାରାଧୀନ ବନ୍ଦୀ। ବିଭିନ୍ନ ମାମଲାରେ ଜଡ଼ିତ ରହି ଗିରଫ ହେବା ପରେ ଏମାନେ ଜେଲ୍‌ରେ ଅଛନ୍ତି। ଜାମିନ ପାଇଁ କୋର୍ଟରେ ଜାମିନଦାର ହାଜର କରିବାକୁ ସକ୍ଷମ ନ ହେବାରୁ ସେମାନଙ୍କୁ ଜେଲ୍‌ରୁ ଛାଡ଼ ମିଳିପାରୁନାହିଁ। ଫଳରେ, ଜେଲ୍‌ର ଚାରିକାନ୍ଥ ହିଁ ଏମାନଙ୍କ ପାଇଁ ଘର ପାଲଟିଛି।

ବ୍ରହ୍ମପୁର ମଣ୍ଡଳ କାରାଗାର ହେଉଛି ଓଡ଼ିଶାର ଅନ୍ୟତମ ସମ୍ବେଦନଶୀଳ ଜେଲ୍‌। ଏହି କାରାଗାରରୁ ପର୍ଯ୍ୟାୟକ୍ରମେ ସଜା କାଟୁଥିବା କଏଦୀଙ୍କୁ ପାରୋଲ୍‌ରେ ଛଡ଼ାଯାଉଛି। ବର୍ତ୍ତମାନ ସୁଦ୍ଧା ୩୦ଜଣ କଏଦୀ ପାରୋଲ୍‌ରେ ନିଜର ଘରକୁ ଯାଇ ସାରିଲେଣି। କିନ୍ତୁ ବିଚାରାଧୀନ ବନ୍ଦୀଙ୍କ କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ କରାଯାଇନାହିଁ। ସେମାନେ ଜାମିନ ପାଇବା ପରେ ହିଁ ଜେଲ୍‌ରୁ ବାହାରିପାରିବେ। ଯେଉଁ ଅଭିଯୁକ୍ତ ସର୍ତ୍ତମୂଳକ ଜାମିନ ପାଉଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବେଲ୍‌ବଣ୍ଡ୍‌ ଓ ଜାମିନଦାରଙ୍କୁ ହାଜର କରୁଛନ୍ତି। ଏହାପରେ ଜେଲ୍‌ରୁ ମୁକୁଳିବା ପାଇଁ କୋର୍ଟ ଚୂଡ଼ାନ୍ତ ନିର୍ଦ୍ଦେଶନାମା ଜାରି କରୁଛନ୍ତି। ସେହି ନିର୍ଦ୍ଦେଶନାମାକୁ ଜେଲ୍‌ରେ ଦାଖଲ କରିବା ପରେ ଅଭିଯୁକ୍ତ ଜାମିନରେ ଛାଡ଼ ପାଉଛନ୍ତି। କିନ୍ତୁ ଯେଉଁମାନେ ଜାମିନଦାର ହାଜର କରିପାରୁନାହାନ୍ତି ସେମାନଙ୍କୁ ଜେଲ୍‌ରୁ ବାହାରିବାକୁ ଅନୁମତି ଦିଆଯାଉନାହିଁ। କିଛି ଅଭିଯୁକ୍ତଙ୍କ କ୍ଷେତ୍ରରେ ଜାମିନଦାର ଯୋଗାଡ଼ କରିବା ସମ୍ଭବ ହେଉ ନ ଥିବାରୁ ସେମାନେ ଜେଲ୍‌ରୁ ମୁକୁଳି ପାରୁନାହାନ୍ତି।

ଅନ୍ୟପଟେ ଯେଉଁ ଅଭିଯୁକ୍ତ କୋର୍ଟରେ ମାମଲା ଲଢ଼ିବା ପାଇଁ ଓକିଲ ଯୋଗାଡ଼ କରିପାରନ୍ତି ନାହିଁ ସେମାନଙ୍କୁ ସରକାରଙ୍କ ତରଫରୁ ଓକିଲ ଯୋଗାଇ ଦିଆଯାଇଥାଏ। ଜାମିନ ମଂଜୁର ପରେ ଅଧିକାଂଶ କ୍ଷେତ୍ରରେ ଧର୍ତ୍ତବ୍ୟ ଅପରାଧ ପାଇଁ କୋର୍ଟ ଜାମିନଦାର ହାଜର କରିବାକୁ ସର୍ତ୍ତ ରଖିଥାନ୍ତି। ଅନ୍ୟ ଛୋଟ ଅପରାଧରେ କୋର୍ଟ ଚାହିଁଲେ ବ୍ୟକ୍ତିଗତ ମୁଚାଲିକାରେ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିବାର ବ୍ୟବସ୍ଥା ରହିଛି ବୋଲି ଜଣେ ଆଇନଜୀବୀ କହିଛନ୍ତି।

ସମ୍ବନ୍ଧିତ ଖବର