ପୁରୀ: ପୁଣି ଘୁଞ୍ଚିଲା ଶ୍ରୀମନ୍ଦିର ଧାଡ଼ି ଦର୍ଶନ। କାର୍ତ୍ତିକ ମାସରେ ବହୁତ ନୀତିକାନ୍ତି ରହୁଥିବାରୁ କାର୍ତ୍ତିକ ପରେ ପରୀକ୍ଷା ମୂଳକ ଭାବେ ଏହା ଆରମ୍ଭ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଛତିଶାନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି। ଏଥି ସହ ଦିବ୍ୟାଙ୍ଗ ଓ ବରିଷ୍ଠଙ୍କ ସୁଗମ ଦର୍ଶନ ପାଇଁ ବୈଠକରେ ଆଲୋଚନା ହୋଇଛି। ପରମ୍ପରାକୁ ଅକ୍ଷୁଣ୍ଣ ରଖି ଏସ୍ଓପି ପ୍ରସ୍ତୁତ କରିବାକୁ ବୈଠକରେ ସଦସ୍ୟମାନେ ପରାମର୍ଶ ଦେଇଥିଲେ। ସେବାୟତଙ୍କ ସହ ମଧ୍ୟ ଏ ପ୍ରସଙ୍ଗରେ ଆଲୋଚନା ଜାରି ରହିଛି। ଖୁବ୍ଶୀଘ୍ର ଦିବ୍ୟାଙ୍ଗ ଭକ୍ତମାନଙ୍କ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି।ଏଥିସହ ରତ୍ନଭଣ୍ଡାର ମରାମତି, ସଂରକ୍ଷଣ ଏବଂ ଅଳଙ୍କାର ସ୍ଥାନାନ୍ତର ଉପରେ ଛତିଶା ନିଯୋଗ ଏବଂ ନୀତି ସବକମିଟିକୁ ଅବଗତ କରାଯାଇଥିଲା। ସବ୍କମିଟି ସଦସ୍ୟମାନେ ଏଥିରେ ସନ୍ତୋଷ ବ୍ୟକ୍ତ କରିଥିବା ଡ. ପାଢ଼ୀ କହିଛନ୍ତି। ସେବାୟତ କଲ୍ୟାଣ, ହବିଷ୍ୟାଳି ବ୍ରତଧାରୀଙ୍କ ପାଇଁ ହୋଇଥିବା ଆୟୋଜନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପରିସରରେ କାର୍ଯ୍ୟରତ କର୍ମଚାରୀମାନେ କେହି ମୋବାଇଲ ବ୍ୟବହାର ନ କରିବାକୁ ନିଷ୍ପତ୍ତି ହୋଇଛି। ଅଧିକାରୀ ବା କର୍ମଚାରୀମାନେ ଜରୁରି ବାର୍ତ୍ତା ଦେବାକୁ ଚାହୁଥିଲେ, ସେମାନେ ନିର୍ଦ୍ଦିଷ୍ଟ ଜାଗାରେ ବାର୍ତ୍ତାଳାପ କରିବେ। ପରବର୍ତ୍ତୀ ସମୟରେ ସେବାୟତଙ୍କ କ୍ଷେତ୍ରରେ ମଧ୍ୟ ଏହାକୁ କଡ଼ାକଡ଼ି ପାଳନ କରିବାକୁ ଉଦ୍ୟମ କରାଯିବ। ଏହି ନିୟମ ନମାନିଲେ କିମ୍ବା ବିଶୃଙ୍ଖଳ ଆଚରଣ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡ. ପାଢ଼ୀ ସୂଚନା ଦେଇଛନ୍ତି। ଏହାବ୍ୟତୀତ ହୁଣ୍ଡି ସ୍ଥାନାନ୍ତର, ବେଶ ସମ୍ବନ୍ଧୀୟ ଅଳଙ୍କାରର ଦ୍ବିତୀୟ ସେଟ୍, ଚାରି ଆଶ୍ରମର ରକ୍ଷଣାବେକ୍ଷଣ ଓ ଉନ୍ନତୀକରଣ ଏବଂ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଛତିଶା ନିଯୋଗ ବୈଠକରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ସହ ପରାମର୍ଶ ନିଆଯାଇଥିଲା।
ମୋବାଇଲ୍ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ
ଏମାର ମଠ ରୁପା ଇଟା ଶ୍ରୀମନ୍ଦିର ପ୍ରଶାସନକୁ ଆଣିବାକୁ ସରକାରଙ୍କୁ ଅନୁରୋଧ କରିବୁ
ନୀତିକାନ୍ତି ଶୃଙ୍ଖଳା ନେଇ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ଏଥିପାଇଁ ବରିଷ୍ଠ ସେବାୟତମାନଙ୍କୁ ସଦସ୍ୟ ଭାବେ ନେଇ ନୀତି ସମନ୍ବୟ କମିଟି ଗଠନ କରାଯିବ। ନୀତିକାନ୍ତି ସୂଚାରୁ ରୂପେ ସମ୍ପାଦନ ବାବଦରେ ପ୍ରତ୍ୟେକ ବୁଧବାର ସମନ୍ବୟ କମିଟି ବୈଠକରେ ଆଲୋଚନା ହେବ। ଏଥିସହ ଏମାର ମଠର ରୁପା ଇଟା ପ୍ରସଙ୍ଗରେ ମତ ରଖି ଡ.ପାଢ଼ୀ କହିଛନ୍ତି, ମଠର ସମ୍ପତ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି। ତେଣୁ ରୁପା ଇଟା ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆସିବା ନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବୁ। ପରିଚାଳନା କମିଟି ମଧ୍ୟ ଏହି ପରାମର୍ଶ ଦେଇଛନ୍ତି। ତେବେ ମାମଲା କୋର୍ଟର ବିଚାରାଧୀନ ରହିଥିବାରୁ ଏବେ ଅଧିକ କିଛି କୁହାଯାଇପାରିବ ନାହିଁ ବୋଲି ସେ କହିଛନ୍ତି।
ଏଥର ପଞ୍ଚୁକ ୪ଦିନ, ହେବନି ବାଙ୍କଚୂଡ଼ ବେଶ
କାର୍ତ୍ତିକ ମାସରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟଙ୍କୁ ଛତିଶା ନିଯୋଗ ଅନୁମୋଦନ କରିଛି। ଦ୍ବାରଫିଟା ନୀତି ଭୋର ୪ଟାରୁ ଆରମ୍ଭ ହେବ। ଅକ୍ଟୋବର ୩ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବାକୁ ଥିବା କାର୍ତ୍ତିକ ବାଳଧୂପ ନୀତି ପାଇଁ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଆଶ୍ୱିନ ଶୁକ୍ଳ ଏକାଦଶୀରୁ ଆରମ୍ଭ ହୋଇ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚଳିତବର୍ଷ ପଞ୍ଚୁକ ୪ ଦିନ ପଡ଼ିଥିବାରୁ ଏଥର ବାଙ୍କଚୁଡ଼ ବା ବାମନ ବେଶ ଅନୁଷ୍ଠିତ ହେବ ନାହିଁ। ଛତିଶା ନିଯୋଗ ବୈଠକରେ ଏ ସମ୍ପର୍କରେ ଆଲେଚାନା ପରେ ନୀତି ସବକମିଟିରେ ଏହା ଅନୁମୋଦନ ହୋଇଛି। ସେହିପରି ବାଳଭୋଗ, ଠିକ୍ ସମୟରେ ମହାପ୍ରସାଦ ବାହାରିବା ଏବଂ ପଞ୍ଚୁକରେ ଭିଡ଼ ନିୟନ୍ତ୍ରଣ ଉପରେ ଆଲୋଚନା କରାଯାଇଛି। କାର୍ତ୍ତିକ ମାସରେ ରାତି ୧୨ଟାରେ ପହୁଡ଼ ସମ୍ପନ୍ନ ହୋଇ ରାତି ୪ଟାରେ ଦ୍ୱାର ଫିଟାଯିବ। ସାଢେ ୪ଟାରେ ଭିତର ଶୋଧ କରାଯାଇ ଭୋର ୫ଟାରେ ମଙ୍ଗଳ ଆଳତି କରାଯିବାକୁ ନୀତି ନିର୍ଘଣ୍ଟ ହୋଇଛି। ରାଧାଦାମୋଦର ବେଶ ସକାଳ ସାଢ଼େ ୬ଟାରୁ ସାଢେ ୭ଟା ମଧ୍ୟରେ ସମ୍ପନ୍ନ ହେବ। ସାଢେ ୮ଟାରୁ ସାଢେ ୯ଟା ସକାଳ ଧୂପ (କେବଳ କୋଠଭୋଗ) ପରେ ପୂର୍ବାହ୍ଣ ୧୦ଟାରୁ ସାଢେ ୧୦ଟା ମଧ୍ୟରେ ବାଳଧୂପ ବଢ଼ିବ। ଏଥର ପଞ୍ଚୁକରେ ନଭେମ୍ବର ୨ ତାରିଖରେ ମହାପ୍ରଭୁଙ୍କ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ସହିତ ହରି ଉତ୍ଥାପନ ନୀତି ରହିଛି। ପଞ୍ଚୁକର ଦ୍ୱିତୀୟ ବେଶ ବାଙ୍କଚୁଡ଼ ବା ବାମନ ବେଶ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ଏବର୍ଷ ପଞ୍ଚୁକ ୪ ଦିନ ପଡିଥିବାରୁ ଏହି ବେଶ ହେବ ନାହିଁ। ନଭେମ୍ବର ୩ରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ୪ରେ ଲକ୍ଷ୍ମୀନୃସିଂହ ବେଶ ଏବଂ ପଞ୍ଚୁକର ଶେଷ ଦିନ ଅର୍ଥାତ୍ ନଭେମ୍ବର ୫ରେ ମହାପ୍ରଭୁଙ୍କ ସୁନାବେଶ ତଥା ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ଦୀପାବଳି ଅମାବାସ୍ୟାଠାରୁ ପଞ୍ଚୁକ ମଧ୍ୟରେ ସୋମବାର ପଡ଼ିଲେ ବଡ଼ ଠାକୁରଙ୍କ ବାଡ଼ରେ ହରିହର ବେଶ ହେବାର ବିଧି ରହିଛି। ତେଣୁ ଅକ୍ଟୋବର ୨୭ ତାରିଖ ଅବକାଶ ନୀତି ପରେ ହରିହର ବେଶ ଅନୁଷ୍ଠିତ ହେବ।