ଭୋଗରାଇ: ସୁବର୍ଣ୍ଣରେଖା ବନ୍ୟାରେ ଦୁର୍ଦ୍ଦଶାରେ ରହିଛନ୍ତି ଭୋଗରାଇବାସୀ। ବନ୍ୟା ପରିସ୍ଥିତି ଏବେ ସ୍ଥିର ରହିଥିବା ବେଳେ ତଳିଆ ଅଞ୍ଚଳର ଦୁର୍ଦ୍ଦଶା ବଢ଼ି ବଢ଼ି ଚାଲିଛି। ବ୍ଲକର ୫୦ରୁ ଅଧିକ ଗାଁର ୩୦ହଜାର ଲୋକ ପାଣିଘେରରେ ରହିଛନ୍ତି। ଅନେକ ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି।

Advertisment

ସବୁଠାରୁ ଅଧିକ ପ୍ରଭାବିତ ହୋଇଛି କୁମ୍ଭୀରଗଡ଼ି, ଖରିଦପିପଳ, ଆରୁହାବୃତ୍ତି ନଂ-୧, ଗବଗାଁ, କୁଶୁଡ଼ା ଓ ନାଚିନ୍ଦା ପଞ୍ଚାୟତ। ଭୋଗରାଇ ବ୍ଲକର ୨୪ ପଞ୍ଚାୟତ ଏହି ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ସେଥିମଧ୍ୟରୁ ୧୯ଟି ପଞ୍ଚାୟତ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ଭୋଗରାଇ, ଜୟରାମପୁର, ଟୁକୁରୀହାଜରା, କାନ୍ଥିଭଉଁରୀ ଓ ନାରାୟଣ ମହାନ୍ତି ପଡ଼ିଆ ପଞ୍ଚାୟତ ଆଂଶିକ ପ୍ରଭାବିତ ହୋଇଥିବା ବେଳେ କିଛି ଗାଁରେ ପାଣି ଜମିରହି ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲୋକମାନେ ଜଳବନ୍ଦି ହୋଇ ରହିଛନ୍ତି। ଜିଲ୍ଲା ଓ ବ୍ଲକ ପ୍ରଶାସନର ମିଳିତ ଉଦ୍ୟମରେ ମୋଟ ୮ ହଜାର ୩୧୨ଜଣ ବନ୍ୟା ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ରବିବାର ରାତିରୁ ସେମାନଙ୍କୁ ଶୁଖଲା ଖାଦ୍ୟ ଓ ପାଣି ଯୋଗାଇ ଦିଆଯାଉଛି। ଏଥିସହିତ ସୋମବାର ମଧ୍ୟାହ୍ନରୁ ୨୪ଟି ପଞ୍ଚାୟତରେ କ୍ୟାମ୍ପ କରି ପ୍ରଭାବିତଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୬ଟି ସରକାରୀ ଓ ୬ଟି ବେସରକାରୀ ସ୍ପିଡ୍ ବୋଟ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର କମଳାକାନ୍ତ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲରେ ରହିଥିବା ପ୍ରଭାବିତଙ୍କ ସ୍ବାସ୍ଥ୍ୟସେବା ପାଇଁ ୩୧ଟି ଡାକ୍ତରୀଦଳ ନିୟୋଜିତ ଅଛନ୍ତି।

ବନ୍ୟାରେ ପ୍ରଭାବିତ ହୋଇଥିବା ଗୃହପାଳିତ ପଶୁମାନେ ହିନସ୍ତା ହେଉଥିବା ବେଳେ ସେମାନଙ୍କ ପ୍ରତି ପ୍ରଶାସନର ଉଦାସୀନତା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲ୍ଲାପାଳ ତଥା ସ୍ୱତନ୍ତ୍ର ରିଲିଫ କମିସନର ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କ ନିର୍ଦ୍ଦେଶକ୍ରମେ ଗଣଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ସମ୍ବିତ ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ, ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ବାଇଁ, ପୂର୍ବତନ ବାଲେଶ୍ବର ସାଂସଦ ରବୀନ୍ଦ୍ର କୁମାର ଜେନା, ଭୋଗରାଇ, ଜୟରାମପୁର ଓ କୁମ୍ଭୀରଗଡ଼ି ପଞ୍ଚାୟତ ଦାୟିତ୍ୱରେ ଥିବା ଖଇରା ବିଡିଓ ପର୍ଶୁରାମ ପଣ୍ଡା, ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡା, ବିଡିଓ ଶଙ୍କର ପଟ୍ଟନାୟକଙ୍କ ସମେତ ଭୋଗରାଇ ବିଧାୟକ ଅନନ୍ତ ଦାସ, ବ୍ଲକ ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗଣପତି ଗିରି, ଆଇନଜୀବୀ ଭୁବନାନନ୍ଦ ଦାସ, ରମାକାନ୍ତ କରଣ ପ୍ରମୁଖ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ରିଲିଫ କାର୍ଯ୍ୟ ତଦାରଖ କରିଛନ୍ତି।

ସୋମବାର ଅପରାହ୍ନରେ ବ୍ଲକ ସମ୍ମିଳନୀ କକ୍ଷରେ ଏ ନେଇ ଏକ ସମୀକ୍ଷା ବୈଠକ ଅଧ୍ୟକ୍ଷ ଶ୍ରୀ ଗିରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଶାର ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ, ବାଲେଶ୍ବର ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ବିଧାୟକ ଶ୍ରୀ ଦାସ, ଉପଜିଲ୍ଲାପାଳ ଶ୍ରୀ ସ୍ବାଇଁ ଯୋଗଦେଇ ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର ଓ ଥଇଥାନ, ରିଲିଫ୍ ପରିଚାଳନା ଓ ବନ୍ୟା ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ସମୀକ୍ଷା କରି କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଥିଲେ। ଏଥିସହିତ ସମସ୍ତ ବିଭାଗୀୟ ପଦାଧିକାରୀ ତଥା ସ୍ଥାନୀୟ ଜନ ପ୍ରତିନିଧିମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦିଆଯାଇଥିଲା।

ସେହିପରି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ, ବିଜେପି ନେତା ଅଂଶୁମାନ ମହାନ୍ତି, ସମାଜସେବୀ ବିଦୁବେନ୍ଦୁ ପାତ୍ର, ଭୋଗରାଇ କଂଗ୍ରେସ ନେତା ସତ୍ୟଶିବ ଦାସ ପ୍ରମୁଖ ବନ୍ୟାଞ୍ଚଳ ପରିଦର୍ଶନ କରି ପ୍ରଭାବିତଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରିଛନ୍ତି।