ଭୁବନେଶ୍ବର : ତୃତୀୟ ପର୍ଯ୍ୟାୟରେ ଆସନ୍ତାକାଲିଠାରୁ ମେ ୧୭ ତାରିଖ ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ଲକଡାଉନ ରାଜ୍ୟ ସରକାର ଆଜି ସନ୍ଧ୍ୟାରେ ଏକ ନୂତନ ଗାଇଡଲାଇନ ଜାରି କରିଛନ୍ତି । ତେବେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ପାଇଁ କେନ୍ଦ୍ର ସରକାରଙ୍କର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍ଲାଇନ୍ରେ ପରିବର୍ତ୍ତନ କରି ରାଜ୍ୟ ସରକାର ଆଜି ଏକ ନୂତନ ଗାଇଡ୍ ଲାଇନ୍ ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ନୂତନ ଗାଇଡଲାଇନ ଅନୁସାରେ ସୋମବାର (୨୦୨୦ ମେ’ ମାସ ୪ ତାରିଖ) ଠାରୁ ଲକଡାଉନ କଟକଣା ସହ କଣ୍ଟେନମେଣ୍ଟ ଜୋନ୍, ରେଡ୍ ଜୋନ୍, ଅରେଞ୍ଜ ଜୋନ୍ ଓ ଗ୍ରୀନ୍ ଜୋନ୍ ପାଇଁ ଅଲଗା ଅଲଗା ନିୟମ କରାଯାଇଛି। ତେବେ ଏହି ଗାଇଡଲାଇନରେ ସମସ୍ତ ଜୋନରେ କିଛି ସେବା ଓ କାର୍ଯ୍ୟ ଉପରେ କଟକଣା ପୂର୍ବବତ ଜାରି ରହିବ ବୋଲି ସ୍ପଷ୍ଟ ଭାବେ ସୂଚିତ କରାଯାଇଛି।
୧- ସବୁ ଘରୋଇ ଏବଂ ଅନ୍ତର୍ଜାତୀୟ ଯାତ୍ରା ବନ୍ଦ। କେବଳ ପୁଲିସ, ମେଡିକାଲ ସେବା ଓ ଜରୁରୀ ସେବା ସହ ଗାଡ଼ି ଚାଲି ପାରିବ। ଏଥିଲାଗି ସ୍ବରାଷ୍ଟ୍ର ମନ୍ତ୍ରାଳୟର ଅନୁମତି ଜରୁରୀ।
୨- ସମସ୍ତ ରେଳ ଚଳାଚଳ ବନ୍ଦ, କେବଳ ସରକାରଙ୍କ ଦ୍ବାରା ଅନୁମୋଦିତ ଚଳାଚଳ ଜାରି ରହିବ। ମାଲପରିବହନ ଜାରି ରହିବ।
୩- ଅନ୍ତଃରାଜ୍ୟ ଯାତ୍ରା ନିଷେଧ। କେବଳ ସରକାରୀ ଅନୁମୋଦିତ ଓ ଜରୁରୀ ସେବା ଜାରି ରହିବ।
୪- ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ତେବେ ଅନଲାଇନ୍ ଓ ଦୂରଶିକ୍ଷା ଅନୁମୋଦିତ।
୫- ସିନେମା, ସପିଂମଲ, ଜିମ, ସ୍ପୋର୍ଟସ କମ୍ପେ୍ଲକ୍ସ, ସୁଇମିଂ ପୁଲ, ପାର୍କ, ଥିଏଟର, ବାର ବନ୍ଦ ରହିବ ।
୬- ସମସ୍ତ ସାମାଜିକ, ରାଜନୈତିକ,ଧାର୍ମିକ ଓ ଅନ୍ୟ ସବୁଧରଣର ସମାବେଶ ବନ୍ଦ ରହିବ।
୭- ସବୁ ଦେବାଳୟ, ଧର୍ମପୀଠ ଓ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ।