ଭୁବନେଶ୍ବର: ମଙ୍ଗଳବାର ରାତିରେ ଶ୍ରୀବଳଭଦ୍ର ତାଳଧ୍ବଜ ରଥରୁ ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ହୋଇ ଯାଉଥିବା ବେଳେ ଚାରମାଳରେ ପଡ଼ିଯାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପୁରୀ ଯାଇ ପହଣ୍ଡି ଶେଷ ହେବା ପର୍ଯ୍ୟନ୍ତ ସେଠାରେ ଉପସ୍ଥିତ ଥିଲେ। ଆହତ ସେବାୟତମାନଙ୍କୁ ହସ୍ପିଟାଲରେ ଭେଟି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। କିନ୍ତୁ ଏହାପରେ ଉପମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଯେପରି ବୟାନ ଦେଇଛନ୍ତି ତାହା କୋଟି କୋଟି ଓଡ଼ିଆଙ୍କ ଭାବନାକୁ କୁଠାରଘାତ ବୋଲି କୁହାଯାଉଛି। ଦୁଇ ଜଣଙ୍କ ବୟାନକୁ ଜଗନ୍ନାଥପ୍ରେମୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ କହିଛନ୍ତି ‌ଯେ ଏହା ସାମାନ୍ୟ ଦୁର୍ଘଟଣା ଥିଲା। ଲୀଳାମୟଙ୍କ ଲୀଳା ଥିଲା। ମୁଖ୍ୟମନ୍ତ୍ରୀଙ୍କୁ ସବୁ ଜଣାଇଛୁ। ସେହିପରି ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଏହା ଲୀଳାମୟଙ୍କ ଲୀଳା। ଆଗକୁ ଆହୁରି ଶୃଙ୍ଖଳିତ ରଥଯାତ୍ରା ପାଇଁ ବଡ଼ ପଦେକ୍ଷପ ନିଆଯିବ। ରଥ ଉପରେ ଅଣ ସେବାୟତ ଥିବା ନେଇ ଅଭିଯୋଗ ଆସିନି। ମନ୍ଦିରରେ କିଛି ଅଣ ସେବାୟତ ଥିଲେ। ଘଟଣାର ସବୁ କାରଣକୁ ଅନୁଧ୍ୟାନ କରି ଆଗାମୀ ପଦକ୍ଷେପ ନିଆଯିବ। ପହଣ୍ଡିବେଳେ ବଡ଼ ଠାକୁର ପଡ଼ିଯିବା ଘଟଣାକୁ ସମସ୍ତେ ମନୁଷ୍ୟକୃତ ଏବଂ ସେବାୟତଙ୍କ ଅବହେଳା ପାଇଁ ହୋଇଥିବା କହୁଥିବାବେଳେ ଉପମୁଖ୍ୟମନ୍ତ୍ରୀ ଓ ‌ଆଇନମନ୍ତ୍ରୀ କାହିଁକି ଏହାକୁ ଘୋଡ଼ାଇବାକୁ ଚାହୁଁଛନ୍ତି ସେନେଇ ପ୍ରଶ୍ନ ଉଠିଛି। ଏପରିକି କେତେକ ବରିଷ୍ଠ ସେବାୟତ ଗତକାଲିର ଅଘଟଣ ପାଇଁ ଯୁବ ସେବାୟତଙ୍କ ମୋବାଇଲ ମାନିଆ ଏବଂ ରଥ ଉପରେ କେତେକ ଅଣସେବାୟତ ଥିବାରୁ ଏଭଳି ଅଘଟଣ ଘଟିଲା ବୋଲି କହିଛନ୍ତି।

Advertisment

ପୁରୀ: ରଥ ଉପରକୁ ଅଧିକ ସଂଖ୍ୟକ ସେବକ ଏବଂ ଅସଂପୃକ୍ତ ସେବକ ଚଢ଼ିବାରୁ ଏତେ ବଡ଼ ଅଘଟଣ ଘଟିଲା ବୋଲି କ୍ଷୋଭର ସହ କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ପୂର୍ବରୁ କେବେ ବି ଠାକୁରଙ୍କ ସହ ଏମିତି ଅଘଟଣ ଦେଖିନି ବୋଲି କହିଛନ୍ତି ଗଜପତି। ଗଜପତି କହିଛନ୍ତି, ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ବିଜେ ପହଣ୍ଡି ବେଳେ ବଡ଼ଠାକୁର ଯେଉଁଭଳି ଚାରମାଳ ଉପରୁ ପଡ଼ିଗଲେ ତାହାକୁ ସମସ୍ତେ ଦେଖିଛନ୍ତି। ଘଟଣାଟି ସମସ୍ତଙ୍କୁ ମର୍ମାହତ କରିଛି। ସମଗ୍ର ବିଶ୍ବର ଜଗନ୍ନାଥପ୍ରେମୀ ଭକ୍ତମାନଙ୍କୁ ଏହା ଦୁଃଖିତ କରିଛି। ଏଭଳି ଦୃଶ୍ୟ ଆମେ କେବେ ଦେଖିନଥିଲୁ। କାହିଁକି ହେଲା, କେମିତି ହେଲା, ଏ ବିଷୟରେ ପ୍ରଶାସନିକ ସ୍ତରରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ ହେବ। ଆଗାମୀ ସମୟରେ ଏଭଳି ଅଘଟଣ ଯେଭଳି ନ ଘଟେ, ସେଥିପାଇଁ ପ୍ରଶାସନ ଓ ସେବକ ଭାଇମାନେ ଉପଯୁକ୍ତ ପଦକ୍ଷେପ ନେବେ। ଏ ବିଷୟରେ ଆଜି ଆମର ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି।

୧୫ ତାରିଖରେ ବାହୁଡ଼ା ଯାତ୍ରା। ରଥ ଉପରକୁ ପୁଣି ଶ୍ରୀଗୁଣ୍ଡିଚା ଘରୁ ମହାପ୍ରଭୁମାନଙ୍କର ପହଣ୍ଡି ବିଜେ। ପୁଣି ୧୯ ତାରିଖରେ ନୀଳାଦ୍ରି ବିଜେ ପହଣ୍ଡି। ଗତକାଲି ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା, ନିଶ୍ଚିତ ଭାବେ ଆମର ସବୁ ସେବକ ଭାଇମାନେ ସେଥିରୁ ଯାହା ଶିଖିବା କଥା ଶିଖିଛନ୍ତି। ପୁନର୍ବାର ଯେଭଳି ଏହାର ପୁନରାବୃତ୍ତି ନ ଘଟେ, ସେଥିପାଇଁ ନିଶ୍ଚିତ ଭାବେ ଯତ୍ନବାନ ହେବେ। ଏହି ବଡ଼ ଅଘଟଣର କେତେକ ମୂଳ ସମସ୍ୟା ରହିଛି। ପହଣ୍ଡିରେ ଅଧିକ ସଂଖ୍ୟକ ସେବକ ଓ ରଥ ଉପରେ ଅଧିକ ଅସଂପୃକ୍ତ ସେବକ ଏହାର ପ୍ରମୁଖ କାରଣ। ଏ ସଂପର୍କରେ ଆଲୋଚନା ବି ହୋଇଛି। ନୀଳାଦ୍ରି ବିଜେ ପରେ ପରେ ପରିଚାଳନା କମିଟି ଏ ବିଷୟରେ ବିଷଦ୍‌ ଭାବେ ଆଲୋଚନା କରିବ। ଆଗାମୀ ରଥଯାତ୍ରାରେ ଏଭଳି ପରିସ୍ଥିତି ଯେପରି ନ ଘଟେ, ସେ ଦିଗରେ ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନିଆଯିବ। ବାକି ରଥ ଉପରେ ଠାକୁର ପଡ଼ିଯିବା ଉପରେ କ’ଣ ସବୁ ପୂଜାବିଧି କରାଯିବ, ସେ ଉପରେ ପଣ୍ଡିତମାନଙ୍କଠାରୁ ଆବଶ୍ୟକ ପରାମର୍ଶ ନିଆଯିବ ବୋଲି ଗଜପତି କହିଛନ୍ତି।

କାରଣ ଖୋଜିବାକୁ କମିଟି: ୧୦ ଦିନ ଭିତରେ ରିପୋର୍ଟ, ଯାଞ୍ଚ ହେବ ଡ୍ରୋନ୍‌, ଭିଡିଓ ଫୁଟେଜ

ପୁରୀ: ଆଡ଼ପ ପହଣ୍ଡି ବେଳେ ତାଳଧ୍ବଜ ରଥରେ ବଡ଼ଠାକୁରଙ୍କ ସହ ଯେଉଁଭଳି ଅଘଟଣ ଘଟିଲା, ସାରା ବିଶ୍ବର ଅଗଣିତ ଭକ୍ତ ତାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏଭଳି ଅଘଟଣ ଓ ଚରମ ବିଶୃଙ୍ଖଳା ଘଟାଇଥିବା ସେବକଙ୍କ ବିରୋଧରେ ନିନ୍ଦା, ଅପବାଦ ଝାଡ଼ୁଥିବା ବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜଗନ୍ନାଥପ୍ରେମୀମାନେ ଦାବି କରିଛନ୍ତି। ପୂର୍ବରୁ ଅନେକ ବାର ଏଭଳି ବିଶୃଙ୍ଖଳା ହୋଇ ଆସୁଥିଲେ ବି ପ୍ରଶାସନ ନିଦାବିଷ୍ଣୁ ସାଜିବା ଓ ସବୁ ଭୁଲ୍‌କୁ ଅଣଦେଖା କରିବା କାରଣରୁ ଏତେ ବଡ଼ ଅଘଟଣ ଘଟିଗଲା ଓ ବଡ଼ଠାକୁର ଚାରମାଳ ଉପରେ ମୁହଁ ମାଡ଼ି ପଡ଼ିଗଲେ ବୋଲି ସାଧାରଣରେ ଅଭିଯୋଗ ହେଉଛି। ଅଗଣିତ ଭକ୍ତ ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଥିବାବେଳେ ଏହାର କାରଣ ଖୋଜିବା ଆରମ୍ଭ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ଏଥିପାଇଁ ୩ଜଣିଆ କମିଟି ବି ଗଠନ ହୋଇଛି। ଯେଉଁଥିରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ରହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ପହଣ୍ଡି ବେଳେ ବଡ଼ଠାକୁର ଶ୍ରୀବଳଭଦ୍ର ରଥ ଉପରୁ ଘୋଷାରି ହୋଇ ଆସି ଚାରମାଳ ଉପରେ ମୁହଁମାଡ଼ି ପଡ଼ିଥିଲେ। ପହଣ୍ଡି ବେଳେ କେବଳ ଦଇତାପତି, ସୁଆର ମହାସୁଆର, ପୂଜାପଣ୍ଡା, ପୁଷ୍ପାଳକ ଓ ପ୍ରତିହାରୀଙ୍କୁ ମିଶାଇ ପ୍ରାୟ ୪୦ ଜଣ ରହିବା ନିୟମ ରହିଥିବାବେଳେ ସେବା ନ ଥିବା ଅନଧିକୃତ ବ୍ୟକ୍ତି ଶତାଧିକ ସଂଖ୍ୟାରେ ରଥ ଉପରେ ଚଢ଼ିଥିଲେ। ନା ଅଭିଜ୍ଞତା ଥିଲା, ନା ମାର୍ଗଦର୍ଶନ ପାଇଁ କେହି ଥିଲେ। ପହଣ୍ଡିକୁ ଗୁରୁତ୍ବ ଦେବା ବଦଳରେ ଫଟୋ ପୋଜ୍‌ରେ ମାତିଥିଲେ। ମୋବାଇଲ୍‌ ଅଣ୍ଟାରେ ଖୋସି ପହଣ୍ଡିରେ ଚଢ଼ିଥିଲେ। ଏମାନେ ମୋବାଇଲ୍‌ ସମ୍ଭାଳିବା, ଫଟୋ ଉଠାରେ ସମୟ ଯାଇଥିଲା। କେହି ପହଣ୍ଡିକୁ ନଜର ଦେଇନଥିଲେ। ପରିଣାମ ସ୍ବରୂପ ଯେଉଁମାନେ ପହଣ୍ଡି ଦାୟିତ୍ବରେ ଥିଲେ ସେମାନେ ବଡ଼ଠାକୁରଙ୍କୁ ଚାରମାଳ ଉପରେ ପକାଇ ଦେଇଥିଲେ।

ଆଜି ପରିଚାଳନା କମିଟି ବି ଏହି ଅବହେଳା ନେଇ ପ୍ରତିକ୍ରିୟାଶୀଳ ହୋଇଛି। ସଂପୂର୍ଣ୍ଣ ଘଟଣାର ଯାଞ୍ଚ ପାଇଁ କମିଟି ଗଠନ କରିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ କହିଛନ୍ତି, ଆଜି ଶ୍ରୀଗୁଣ୍ଡିଚା ଯାତ୍ରା ପହଣ୍ଡି, ଆଡ଼ପ ପହଣ୍ଡି ସବୁର ସମୀକ୍ଷା କରାଯାଇଥିଲା। ବିସ୍ତୃତ ଆଲୋଚନା ସହ ଶୃଙ୍ଖଳା ଓ ବିଶୃଙ୍ଖଳା ଉପରେ ଆଲୋଚନା ହୋଇଥିଲା। ସର୍ବସମ୍ମତିକ୍ରମେ ଏହି ଘଟଣାର ତଦନ୍ତ ପାଇଁ ପୁରୀ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ଡିଏସ୍‌ପି ସ୍ତରର ଜନୈକ ପୁଲିସ ଅଧିକାରୀଙ୍କୁ ନେଇ କମିଟି ଗଠନ କରାଯାଇଛି। ଏହି କମିଟି ସଂପୂର୍ଣ୍ଣ ଘଟଣାବଳି ଅନୁଧ୍ୟାନ କରିବ। ନୀଳାଦ୍ରି ବିଜେ ପରଠୁ ୧୦ ଦିନ ଭିତରେ କମିଟି ପରିଚାଳନା କମିଟିକୁ ବିସ୍ତୃତ ରିପୋର୍ଟ ଦେବ। ଏହା ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ପହଣ୍ଡି ବେଳର ଅଘଟଣର ଡ୍ରୋନ୍‌ ଭିଡିଓ ଚିତ୍ର ଓ ଅନ୍ୟାନ୍ୟ ଭିଡିଓ ଫୁଟେଜ ଯାଞ୍ଚ ହେବ ବୋଲି ଶ୍ରୀ ଯାଦବ କହିଛନ୍ତି।